Advertisment

ଜାମିନ ପରେ ଜେଲରୁ ବାହାରିଲେ ହେମନ୍ତ ସୋରେନ୍‌

ଜାମିନ ମିଳିବା ପରେ ହେମନ୍ତ ସୋରେନ ବିର୍ସା ମୁଣ୍ଡା ଜେଲରୁ ବାହାରିଛନ୍ତି।

author-image
Hemant Lenka
Hemanta Soren

Hemanta Soren

ଜେଲରୁ ବାହାରିଛନ୍ତି ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଆଜି ହାଇକୋର୍ଟ ତାଙ୍କୁ ଜମି ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଥିଲେ। ଜାମିନ ମିଳିବା ପରେ ହେମନ୍ତ ସୋରେନ ବିର୍ସା ମୁଣ୍ଡା ଜେଲରୁ ବାହାରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ଜେଲ ପାଖରେ ପତ୍ନୀ କଳ୍ପନା ସୋରେନ ପହଞ୍ଚିଥିଲେ।

Advertisment

ଏଥିସହ ଜେଏମଏମର ଅନେକ ନେତା ଓ କର୍ମୀ ମଧ୍ୟ ଜେଲ ବାହାରେ ଉପସ୍ଥିତ ରହି ଶ୍ରୀ ସୋରେନଙ୍କୁ ସ୍ୱାଗତ କରିଛନ୍ତି। ସୋରେନ ଜେଲରୁ ବାହାରିବା କ୍ଷଣି ସେମାନେ ନାରାବାଜୀ କରି ସ୍ୱାଗତ କରିଥିଲେ।

ସେ ମଧ୍ୟ ହାତ ହଲାଇ କର୍ମୀ ଓ ନେତାଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଜେଲରୁ ବାହାରିବା ପରେ ହେମନ୍ତ ସୋରେନ ସିଧା ବାପା ଶିବୁ ସୋରେନଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ସହ କିଛି ସମୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। 

Advertisment

ଜମି ଦୁର୍ନୀତି ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ଜାନୁଆରୀ ୩୧ରେ ଗିରଫ କରିଥିଲା। ପୂର୍ବରୁ ତାଙ୍କୁ ତଦନ୍ତକାରୀ ସଂସ୍ଥା ୯ ଥର ସମନ ପଠାଇବା ପରେ ଶେଷରେ ତାଙ୍କୁ ଗିରଫ କରିଥିଲା। ଗିରଫର କିଛି ସେକେଣ୍ଡ ପୂର୍ବରୁ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଏହି ଘଟଣାରେ ସୋରେନଙ୍କ ସମେତ ୨୫ ଜଣଙ୍କୁ ଇଡି ଗିରଫ କରିଥିଲା। ଗିରଫ ସମୟରେ ସୋରେନ ତାଙ୍କ ବିରୋଧରେ ଆସିଥିବା ଜମି ହଡ଼ପ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ରାଜନୀତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଗିରଫ କରିଥିବା ସେ କହିଥିଲେ।

ଆଜି ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ଦେବା ବେଳେ ଇଡି ଜୋରଦାର ବିରୋଧ କରିଥିଲା। କିନ୍ତୁ ହାଇକୋର୍ଟଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ଦେଇଥିଲେ। ଜାମିନ ମିଳିବା ପରେ ରାଞ୍ଚି ସ୍ଥିତ ତାଙ୍କ ବାସଭବନରେ ମିଣ୍ଟା ବଣ୍ଟା ଯାଇଥିଲା। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ସୋରେନ ମଧ୍ୟ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଥିଲେ।

ସେ କହିଥିଲେ, “ହେମନ୍ତ ସୋରେନ ଜଣେ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ନେତା। ସେ ଗୋଟିଏ ମାମଲା ପାଇଁ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଆଜି ହାଇକୋର୍ଟରୁ ସେ ଜାମିନ ପାଇଛନ୍ତି। ମୁଁ ବହୁତ ଖୁସି। ମୋର ଆଶା ସେ ତୁରନ୍ତ ସର୍ବସାଧାରଣ କାର୍ଯ୍ୟକ୍ରମ ଆରମ୍ଭ କରିବେ।”

Jharkhand Hemant Soren