Advertisment

ମୁସଲିମ ପକ୍ଷର ଆବେଦନ ଖାରଜ: ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିବ ପୂଜା

ହାଇକୋର୍ଟ ମୁସଲିମ ପକ୍ଷଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ଦେଇ ନାହାନ୍ତି। ବେସମେଣ୍ଟରେ ଚାଲିଥିବା ପୂଜା ଉପରେ କୋର୍ଟ କୌଣସି ରୋକ ଲଗାଇବାକୁ ମନା କରି ଦେଇଛନ୍ତି।

author-image
Hemant Lenka
Masjid

Masjid

ବାରାଣସୀର ଜ୍ଞାନବ୍ୟାପୀ ମସଜିଦର ବେସମେଣ୍ଟରେ ପୂର୍ବଭଳି ପୂଜାର୍ଚ୍ଚନା ହୋଇପାରିବ। ପୂଜାର୍ଚ୍ଚନା ବିରୋଧରେ ହୋଇଥିବା ଆବେଦନକୁ ଆଜି ଆହ୍ଲାବାଦ ହାଇକୋର୍ଟ ଗ୍ରହଣ କରି ନାହାନ୍ତି। ପ୍ରଥମେ ବାରାଣସୀର ଗୋଟିଏ କୋର୍ଟ ବେସ୍‌ମେଣ୍ଟରେ ସିଲ୍‌ ହୋଇଥିବା ଅଞ୍ଚଳରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବା ପାଇଁ ଅନୁମତି ଦେଇଥିଲେ।

Advertisment

ଏହା ବିରୋଧରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ହାଇକୋର୍ଟ ମୁସଲିମ ପକ୍ଷଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ଦେଇ ନାହାନ୍ତି। ବେସମେଣ୍ଟରେ ଚାଲିଥିବା ପୂଜା ଉପରେ କୋର୍ଟ କୌଣସି ରୋକ ଲଗାଇବାକୁ ମନା କରି ଦେଇଛନ୍ତି।

ହାଇକୋର୍ଟ ଏକକ ବେଞ୍ଚର ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲ ଜ୍ଞାନବ୍ୟାପୀ ମସଜିଦ ବାହାରେ ଓ ଭିତରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ଶୁଣାଣି ଆସନ୍ତା ଫେବୃଆରୀ ୬ରେ ହେବ। ଏହି ସମୟସୀମା ମଧ୍ୟରେ ପୂଜା ଉପରେ କୌଣସି ପ୍ରକାରର ରୋକ ଲାଗି ପାରିବ ନାହିଁ।

Advertisment

ପୂଜା ପାଇଁ ବାରାଣସୀ କୋର୍ଟ ଦେଇଥିବା ରାୟ ବିରୋଧରେ ମସଜିଦ କମିଟି ସିଧା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। କିନ୍ତୁ ସର୍ବୋଚ୍ଚ ଅଦାଲତ ଆବେଦନକାରୀଙ୍କୁ ପ୍ରଥମେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ। ତେଣୁ କମିଟି ହାଇକୋର୍ଟରେ ଆବେଦନ କରିଥିଲା।

ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ଏସଏଫଏ ନକବୀ ଓ ପୁନୀତ ଗୁପ୍ତା ମସଜିଦ କମିଟି ପାଇଁ ପକ୍ଷ ରଖିଥିଲେ। ସେମାନେ ହାଇକୋର୍ଟଙ୍କୁ କହିଥିଲେ ଯେ ଆମର ୪ ତେହଖାନା ମଧ୍ୟରୁ ହିନ୍ଦୁ ପକ୍ଷ ଗୋଟିଏକୁ ନେବା ପାଇଁ ଦାବି କରୁଛନ୍ତି। ବ୍ୟାସ କା ତେହଖାନା ବେସମେଣ୍ଟରେ ରହିଛି। ସେଠାରେ ସେମାନେ ପୂଜାର୍ଚ୍ଚନା କରିବାକୁ ଚାହୁଁଛନ୍ତି। ଏହା ଗ୍ରହଣୀୟ ନୁହେଁ। 

କିନ୍ତୁ ହିନ୍ଦୁ ପକ୍ଷରୁ ଓକିଲାତି କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ମସଜିଦ କମିଟିର ଆବେଦନକୁ ବିରୋଧ କରିଥିଲେ। ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଜିଲ୍ଲା କୋର୍ଟ ପୂଜା ପାଇଁ ଦେଇଥିବା ଅନୁମତି ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି।

ଜାନୁଆରୀ ୩୧ରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ପୂଜାର୍ଚ୍ଚନା କରିବାକୁ ବାରାଣସୀର ଗୋଟିଏ କୋର୍ଟ ହିନ୍ଦୁ ପକ୍ଷଙ୍କୁ ଅନୁମତି ଦେଇଥିଲେ। ପୂର୍ବରୁ ଏଏସ୍‌ଆଇ ସର୍ଭେ ବେଳେ ଉକ୍ତ ବେସମେଣ୍ଟଟି ସିଲ୍‌ ହୋଇ ରହିଥିଲା। ଏବେ ହିନ୍ଦୁ ଗୋଷ୍ଠୀ ସିଲ୍‌ ହୋଇଥିବା ବ୍ୟାସ କା ତେହଖାନାରେ ପୂଜା କରିପାରିବେ ବୋଲି କୋର୍ଟ କହିଥିଲେ।

ପୂଜା ୭ ଦିନ ଭିତରେ ଆରମ୍ଭ କରିବାକୁ କୋର୍ଟ କହିଥିବା ବେଳେ ରାୟ ଦିନ ମଧ୍ୟରାତ୍ରରେ ହିଁ ବେସମେଣ୍ଟରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଥିଲା। ଦୀର୍ଘ ୩୦ ବର୍ଷର ପରେ ଜ୍ଞାନବ୍ୟାପୀ ମସଜିଦର ବେସ୍‌ମେଣ୍ଟରେ ମନ୍ତ୍ର ପାଠ ଓ ଆଳତି କରାଯାଇଥିଲା। କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଉନ୍ମକ୍ତ ହୋଇ ନାହିଁ ।

୩୧ ତାରିଖରେ କୋର୍ଟ ରାୟ ଦେବା କ୍ଷଣି ସେହିଦିନ ରାତିରେ ଜ୍ଞାନବ୍ୟାପୀ ମସଜିଦର ବେସ୍‌ମେଣ୍ଟ ନିକଟରେ ହଠାତ ଗହଳୀ ବଢ଼ିବାକୁ ଲାଗିଥିଲା। ରାତି ପ୍ରାୟ ୧୦ଟା ବେଳେ ବାରାଣସୀ ଜିଲ୍ଲାପାଳ ଓ ଡିଆଇଜି ଜ୍ଞାନବ୍ୟାପୀ ମସଜିଦ ପରିସରରେ ପହଞ୍ଚିଲେ। ଏହାପରେ ସେଠାରେ ଥିବା ବ୍ୟାରିକେଡକୁ ହଟାଯିବା ସହ ଜ୍ଞାନବ୍ୟାପୀ ପରିସର ବାହାରେ ପୁଲିସ୍‌ ସୁରକ୍ଷାକୁ ବଢ଼ାଇ ଦିଆଯାଇଥିଲା।

ରାତି ପ୍ରାୟ ୨ଟା ବେଳେ ଉଭୟ ଜିଲ୍ଲାପାଳ ଓ ଡିଆଇଜି ବାହାରକୁ ଆସି କୋର୍ଟଙ୍କ ନିୟମର ଅନୁପାଳନ କରାଯାଇ ପୂଜାର୍ଚ୍ଚନା କରାଯାଇଥିବା ସୂଚନା ଦେଇଥିଲେ। କେବିଏମ୍‌ ଟ୍ରଷ୍ଟର ପୂଜାରୀଙ୍କ ଦ୍ୱାରା ବେସମେଣ୍ଟରେ ମୂର୍ତ୍ତି ସ୍ଥାପନ କରାଯିବା ପରେ ଶୟନ ଆଳତି କରାଯାଇଥିଲା। ଏଥିସହ ଅଖଣ୍ଡ ଜ୍ୟୋତି ବି ପ୍ରଜ୍ୱଳନ କରାଯାଇଛି। ୩୧ ତାରିଖ ରାତିରୁ ହିଁ ପ୍ରତିଦିନ ସକାଳେ ମଙ୍ଗଳା ଆଳଳି, ଭୋର ଆଳତି ଓ ସନ୍ଧ୍ୟା ଆଳତି ସହ ଶୟନ ଆଳତି ବି କରାଯାଉଛି।

Gyanvapi Masjid Gyanvapi Mosque Survey