Advertisment

ଏଫଆଇଆର ଅଲଗା ରାଜ୍ୟରେ ଥିଲେ ବି ଗିରଫ ପୂର୍ବରୁ ଜାମିନ ଦେଇପାରିବେ ଯେକୌଣସି ହାଇକୋର୍ଟ

କୋର୍ଟଙ୍କ ସୀମା ବାହାରେ ବି ଯଦି ଏଫଆଇଆର ରୁଜୁ ହୋଇଛି, ତଥାପି ଆବେଦନକାରୀଙ୍କୁ ଜାମିନ ଦିଆଯାଇ ପାରିବ ବୋଲି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜଲ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି।

author-image
Hemant Lenka
SC

SC

ଅଲଗା ରାଜ୍ୟରେ ଏଫଆଇଆର ରୁଜୁ ହୋଇଥିଲେ ହେଁ ହାଇକୋର୍ଟ ଓ ସେସନ୍ସ କୋର୍ଟ ଗିରଫଦାରୀ ପୂର୍ବରୁ ଅଭିଯୁକ୍ତଙ୍କୁ ଜାମିନ ଦେଇପାରିବେ। ନ୍ୟାୟର ସ୍ୱାର୍ଥ ପାଇଁ ସେମାନେ ଏପରି କରିପାରିବେ। କିନ୍ତୁ କେବଳ ବିରଳ ଓ କଠିନ ପରିସ୍ଥିତିରେ ହାଇକୋର୍ଟ ଏବଂ ସେସନ୍ସ କୋର୍ଟ ଆଗୁଆ ଜାମିନ ଦେଇପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ଜଣେ ନାଗରିକଙ୍କ ଜୀବନ ଅଧିକାରୀ ଓ ବ୍ୟକ୍ତିଗତ ସ୍ୱାଧୀନତାର ସୁରକ୍ଷା ପାଇଁ ହାଇକୋର୍ଟ ଓ ସେସନ୍ସ କୋର୍ଟ କିଛି ଦିନ ପାଇଁ ଅନ୍ତରୀଣ ଜାମିନ ଦେଇପାରିବେ। କୋର୍ଟଙ୍କ ସୀମା ବାହାରେ ବି ଯଦି ଏଫଆଇଆର ରୁଜୁ ହୋଇଛି, ତଥାପି ଆବେଦନକାରୀଙ୍କୁ ଜାମିନ ଦିଆଯାଇ ପାରିବ ବୋଲି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜଲ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି।

କିନ୍ତୁ ଖଣ୍ଡପୀଠ କହିଛନ୍ତି ଯେ ଆବେଦନକାରୀ ଏପରି ଜାମିନ ପାଇବା ପୂର୍ବରୁ କିଛି ସର୍ତ୍ତକୁ ପୂରଣ କରିବେ। ଏଫଆଇଆର ରୁଜୁ ହୋଇଥିବା ରାଜ୍ୟର ହାଇକୋର୍ଟକୁ ଆବେଦନକାରୀ କାହିଁକି ଯାଇ ପାରିବେ ନାହିଁ, ସେନେଇ ସନ୍ତୋଷଜନକ କାରଣ କହିବେ। ଏହାପରେ ହିଁ ତାଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରାଯିବ। ନଚେତ ଏଫଆଇଆର ରୁଜୁ ହୋଇଥିବା ରାଜ୍ୟରେ ହିଁ ସେ ଜାମିନ ପାଇଁ ଆବେଦନ କରିବେ।

Advertisment

ଉପଯୁକ୍ତ କାରଣ, ତତକ୍ଷଣାତ ଜୀବନପ୍ରତି ବିପଦ, ବ୍ୟକ୍ତିଗତ ସ୍ୱତନ୍ତ୍ରତା ଓ ଶାରୀରିକ ଅସୁସ୍ଥ କ୍ଷେତ୍ରରେ ଜଣେ ବ୍ୟକ୍ତି ଆଗୁଆ ଜାମିନ ପାଇଁ ଅଲଗା ରାଜ୍ୟର କୋର୍ଟରେ ଆବେଦନ କରିପାରିବେ। ଏପରି ଅନ୍ତରୀଣ ସୁରକ୍ଷା ସମ୍ପର୍କରେ ପ୍ରଥମରୁ ହିଁ ତଦନ୍ତକାରୀ ଅଫିସର ଓ ଏଜେନ୍ସିକୁ ଅବଗତ କରାଇବାକୁ ପଡ଼ିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଭିଯୁକ୍ତ କେବଳ ଜାମିନ ପାଇଁ ଅଲଗା ଏକ ରାଜ୍ୟକୁ ଯାଇ ପାରିବେ ନାହିଁ। ସେ କାହିଁକ ଅଲଗା ରାଜ୍ୟକୁ ଯାଇ ଜାମିନ ଆବେଦନ କରୁଛନ୍ତି, ସେ ବିଷୟରେ ଉପଯୁକ୍ତ କାରଣ କହିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସର୍ବୋଚ୍ଚ ଅଦାଲତ ଗୋଟିଏ ଯୌତୁକ ମାମଲା (ପ୍ରିୟା ଇନ୍ଦୋରିଆ ବନାମ କର୍ଣ୍ଣାଟକା ସରକାର)ର ଶୁଶାଣି କରିବା ବେଳେ ଏପରି କହିଛନ୍ତି। ମାର୍ଚ୍ଚ ମାସରେ ପ୍ରିୟାଙ୍କ ଆବେଦନ ଆଧାରରେ ସର୍ବୋଚ୍ଚ ଅଦାଲତ ସବୁ ପକ୍ଷଙ୍କୁ ନୋଟିସ କରିଥିଲେ। ପ୍ରିୟା ରାଜସ୍ଥାନରେ ଏଫଆଇଆର ରୁଜୁ କରିଥିଲେ। କିନ୍ତୁ ତାଙ୍କର ଅଭିଯୁକ୍ତ ସ୍ୱାମୀଙ୍କୁ ବେଙ୍ଗାଲୁରୁ ଜିଲ୍ଲା କୋର୍ଟରୁ ଜାମିନ ମିଳିଥିଲା।

ଏହାକୁ ପ୍ରିୟାଙ୍କ ଓକିଲ ବିରୋଧ କରିଥିଲେ। ହେଲେ ସୁପ୍ରିମକୋର୍ଟ ବରିଳ ଓ କଠିନ ପରିସ୍ଥିତିରେ ଅଭିଯୁକ୍ତ ଅଲଗା ରାଜ୍ୟର କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି।

Supreme Court High Court