Advertisment

ମହାକୁମ୍ଭ ନଦୀରୁ ମିଳିଲା ମଣିଷ ଓ ପଶୁ ମଳରେ ଥିବା ଜୀବାଣୁ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ। ସେଠାରେ ଥିବା ନଦୀର ଏକାଧିକ ସ୍ଥାନରେ କୋଟି କୋଟି ଲୋକ ପୁଣ୍ୟ ଅର୍ଜନ କରିବା ଆଶାରେ ବୁଡ଼ ପକାଉଛନ୍ତି।

author-image
Hemant Lenka
Mahakumbh

Mahakumbh

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ। ସେଠାରେ ଥିବା ନଦୀର ଏକାଧିକ ସ୍ଥାନରେ କୋଟି କୋଟି ଲୋକ ପୁଣ୍ୟ ଅର୍ଜନ କରିବା ଆଶାରେ ବୁଡ଼ ପକାଉଛନ୍ତି। ହେଲେ ଲୋକମାନେ ବୁଡ଼ ପକାଉଥିବା ନଦୀର ପାଣିରୁ ମିଳିଛି ମଣିଷ ଓ ପଶୁ ମଳର ଥିବା ଜୀବାଣୁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଜରିଆରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କୁ ଏପରି ତଥ୍ୟ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ମହାକୁମ୍ଭ ଚାଲିଥିବା ପ୍ରୟାଗରାଜର ବିଭିନ୍ନ ସ୍ଥାନର ନଦୀ ଜଳ ଗାଧୋଇବା ଯୋଗ୍ୟ ନୁହେଁ। କାରଣ ଏଥିରେ ଫେକଲ କୋଲିଫର୍ମ ଠାବ ହୋଇଛି। ଫେକଲ କୋଲିଫର୍ମ ସ୍ୱରେଜ ପାଣିରୁ ମିଳିଥାଏ। ସେହିପରି ମଣିଷ ଓ ପଶୁଙ୍କ ମଳରେ ଏପରି ଜୀବାଣୁ ମିଳିଥାଏ। 

Advertisment

ପ୍ରାୟଗରାଜରେ ଥିବା ଗଙ୍ଗା ଓ ଯମୁନାକୁ ସ୍ୱରେଜ ପାଣି ନ ଛାଡ଼ିବାକୁ ହୋଇଥିବା ଆବେଦନର ଶୁଣାଣି ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବଳ, ନ୍ୟାୟିକ ସଦସ୍ୟ ଜଷ୍ଟିସ ସୁଧୀର ଅଗ୍ରୱାଲ ଓ ଏକ୍ସପର୍ଟ କମିଟି ସଦସ୍ୟ ଏକ ସେନ୍ଥିଲ ଭେଲଙ୍କ ଖଣ୍ଡପୀଠ କରିଛନ୍ତି। ଏହି ସମୟରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ୧୭ ଫେବୃଆରୀରେ ଏନଜିଟି ରାୟରେ ସିପିସିବି ରିପୋର୍ଟକୁ ଆଧାର କରାଯାଇଛି।

ଏଥିରେ କୁହାଯାଇଛି ଯେ ବିଭିନ୍ନ ସମୟରେ ଯାଞ୍ଚ କରାଯାଇଥିବା ସମସ୍ତ ସ୍ଥାନରୁ ଫେକଲ କୋଲିଫର୍ମ ମିଳିଛି। ଏଥଯୋଗୁ ନଦୀ ପାଣିର ଗୁଣବତ୍ତା ସ୍ନାନ ପାଇଁ ପ୍ରାଥମିକ ଭାବେ ଉପଯୁକ୍ତ ନଥିଲା। ପ୍ରୟାଗରାଜରେ ମହାକୁମ୍ଭ ମେଳା ସମୟରେ ନଦୀରେ କୋଟି କୋଟି ଲୋକ ବୁଡ଼ ପକାଇଛନ୍ତି। ଏଥିଯୋଗୁ ପ୍ରଦୂଷଣ ମାତ୍ରା ଆହୁରି ବଢ଼ି ଯାଇଛି। ଖଣ୍ଡପୀଠ ଆହୁରି କହିଛନ୍ତି ଯେ ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପୂର୍ବରୁ ଟ୍ରିବ୍ୟୁନାଲ ଦେଇଥିବା ନିର୍ଦ୍ଦେଶକୁ ପାଳନ କରି ନାହାନ୍ତି।

Advertisment

ନଦୀ ଜଳକୁ ପ୍ରଦୂଷଣ ମୁକ୍ତ ରଖିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ତା’ର ରିପୋର୍ଟ ଦେବାକୁ କୁହାଯାଇଥିଲା। ହେଲେ ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେବଳ କିଛି ପାଣି ପରୀକ୍ଷାର ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟରେ ମଧ୍ୟ ବିଭିନ୍ନ ସ୍ଥାନରୁ ସଂଗୃହୀତ ପାଣିରୁ ଉଚ୍ଚ ମାତ୍ରାର ଫେକଲ ଓ ସଂପୂର୍ଣ୍ଣ କୋଲିଫର୍ମ ଠାବ ହୋଇଛି ବୋଲି ଖଣ୍ଡପୀଠ କହିଛନ୍ତି।

ଏହାପରେ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାରଙ୍କ ଓକିଲଙ୍କୁ ରିପୋର୍ଟ ପଢ଼ି ଜବାବ ରଖିବାକୁ ଗୋଟିଏ ଦିନର ସମୟ ଦେଇଛନ୍ତି। ଟ୍ରିବ୍ୟୁନାଲ କହିଛନ୍ତି, “ୟୁପିପିସିବିର ସଚିବ ଓ ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ୱ ହେଲା ପ୍ରୟାଗରାଜରେ ଥିବା ଗଙ୍ଗା ନଦୀର ପାଣିକୁ ପରଷ୍କାର ରଖିବା। ଆସନ୍ତାକାଲି ଅଧିକୃତ ଅଧିକାରୀମାନେ ଶୁଣାଣି ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହି ଜବାବ ଦେବେ।”

Uttar Pradesh Prayagraj