ଉତ୍ତରପ୍ରଦେଶର କନୌଜରେ ଘଟିଛି ଭୟଙ୍କର ଘଟଣା। ପ୍ରବଳ ବର୍ଷା, ବନ୍ୟା ଯୋଗୁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ଛିଣ୍ଡି ଘର ଉପରେ ପଡ଼ିଲା। ଏଥିଯୋଗୁ ବହୁ ଘରେ ନିଆଁ ଲାଗି ଯାଇଥିବା ବେଳେ କରେଣ୍ଟ ସଂସ୍ପର୍ଶରେ ଆସି ପ୍ରାୟ ୩୦ ପାଖାପାଖି ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଅଛନ୍ତି। କନୌଜର ଗୁରସହାଗଞ୍ଜରେ ଏପରି ଅଭାବନୀୟ ଘଟଣା ଘଟିଛି।
ଗୁରସହାଗଞ୍ଜ ଅଞ୍ଚଳରେ ଗତକାଲି ଦିନ ସାରା ପ୍ରବଳ ବର୍ଷା ଓ ପବନ ଲାଗି ରହିଥିଲା। ପବନ ଜୋରରେ ବୋହିବାରୁ ହଠାତ୍ ବିଦ୍ୟୁତ୍ ତାର ଛିଣ୍ଡି କିଛି ଲୋକଙ୍କ ଘର ଉପରେ ପଡ଼ି ଯାଇଥିଲା। ଫଳରେ ଘରେ ବିଦ୍ୟୁତ୍ ସଂଯୋଗ ହୋଇ ଯାଇଥିବା ବେଳେ ନିଆଁ ଲାଗି ଯାଇଥିଲା।
ଏହି ଅଘଟଣରେ ପ୍ରାୟ ୩୦ ପାଖାପାଖି ଲୋକ ଗୁରୁତର ହୋଇଛନ୍ତି। ଘରେ ବିଦ୍ୟୁତ୍ ସଂଯୋଗ ହେବା ସହ ନିଆଁ ଲାଗି ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଲା। ମାତ୍ର ସ୍ଥାନୀୟ ଲୋକେ ବହୁ କଷ୍ଟରେ ସମସ୍ତଙ୍କୁ ଘରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାପରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଗୁରୁତରଙ୍କ ମଧ୍ୟରେ ଗୋଟିଏ ପରିବାରର ୨୦ ଜଣ ରହିଛନ୍ତି। ତୁରନ୍ତ ଘରୁ ସମସ୍ତ ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।