Advertisment

ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ସରକାରଙ୍କୁ ହାଇକୋର୍ଟଙ୍କ ୯ଟି ପ୍ରଶ୍ନ

ମାମଲାର ସ୍ଥାନାନ୍ତର ନେଇ କୋର୍ଟଙ୍କୁ ଅବଗତ କରାଇବାରେ ହୋଇଥିବା ପ୍ରକ୍ରିୟାଗତ ତ୍ରୁଟିକୁ ଆଡ୍‌ଭୋକେଟ୍ ଜେନେରାଲ ସ୍ୱୀକାର କରିଥିବା ବେଳେ ରାଜ୍ୟ ସରକାରଙ୍କୁ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି ହାଇକୋର୍ଟ।

ଅଦ୍ୟତନ ହୋଇଛି
Crowd

Crowd

Advertisment

ଆରସିବିର ଆଇପିଏଲ ବିଜୟୋତ୍ସବ ପାଳନ ବେଳେ ବେଙ୍ଗାଲୁରୁରେ ଘଟିଥିବା ଦଳଚକଟା ଘଟଣାକୁ ନେଇ ହୋହଲ୍ଲା ଜାରି ରହିଥିବା ବେଳେ ଏହା ହାଇକୋର୍ଟରେ ପହଞ୍ଚିଯାଇଛି। ଏହି ଦଳଚକଟା ଘଟଣାରେ ହୋଇଥିବା ଗିରଫଦାରୀକୁ ନେଇ ହାଇକୋର୍ଟରେ କିଛି ଆବେଦନ ହୋଇଥିବା ବେଳେ ଏହା ଉପରେ ଶୁଣାଣି କରି ହାଇକୋର୍ଟ କର୍ଣ୍ଣାଟକା ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ଘଟଣା ପାଇଁ କାହାକୁ ଉତ୍ତରଦାୟୀ କରାଯିବ, ତାହା ନିରୂପଣ ଉପରେ ଜୋର ଦେଇଛନ୍ତି ହାଇକୋର୍ଟ। ଏହା ସହିତ କୋର୍ଟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି।

Advertisment

ସରକାରଙ୍କ କାର୍ଯ୍ୟାନୁଷ୍ଠାନର ସବିଶେଷ ବିବରଣୀ ମାଗିବା ସହିତ ସ୍ପଷ୍ଟୀକରଣ ପାଇଁ ହାଇକୋର୍ଟ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ (ଏଜି)ଙ୍କୁ ଅନେକ ପ୍ରଶ୍ନ କରିଛନ୍ତି। ଏହି ଘଟଣାର ତଦନ୍ତ ଦାୟିତ୍ୱ ସିଆଇଡିକୁ ଦିଆଯାଇଥିବା ନେଇ ଏଜି କୋର୍ଟଙ୍କୁ ଅବଗତ କରାଇଛନ୍ତି। ତେବେ ଏଯାବତ ସମସ୍ତ ଗିରଫଦାରୀ ବେଙ୍ଗାଲୁରୁ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) କରିଛି। ସେହିପରି ଗିରଫ ପରେ ଅଭିଯୁକ୍ତମାନଙ୍କୁ କବ୍ବନ ପାର୍କ ଥାନାକୁ ନିଆଯାଇଥିଲା।

ମାମଲାର ସ୍ଥାନାନ୍ତର ନେଇ କୋର୍ଟଙ୍କୁ ଅବଗତ କରାଇବାରେ ହୋଇଥିବା ପ୍ରକ୍ରିୟାଗତ ତ୍ରୁଟିକୁ ଆଡ୍‌ଭୋକେଟ୍ ଜେନେରାଲ ସ୍ୱୀକାର କରିଥିବା ବେଳେ ରାଜ୍ୟ ସରକାରଙ୍କୁ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି ହାଇକୋର୍ଟ।

Advertisment

ସେଗୁଡ଼ିକ ହେଉଛି- (୧) ବିଜୟୋତ୍ସବ ପାଳନ ପାଇଁ କିଏ ଓ କେତେବେଳେ ନିଷ୍ପତ୍ତି ନେଇଥିଲେ? ସେହିପରି କେଉଁ ଭଳି ଢଙ୍ଗରେ ଏହାକୁ ପାଳନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ?

(୨) ଟ୍ରାଫିକ ପରିଚାଳନା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଥିଲା?

(୩) ଭିଡ଼ ପରିଚାଳନା ପାଇଁ କ’ଣ ପଦକ୍ଷେପ ନିଆଯାଇଥିଲା?

(୪) କାର୍ଯ୍ୟକ୍ରମ ସ୍ଥଳରେ ମେଡିକାଲ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଥିଲା?

(୫) ଲୋକଙ୍କ ସଂଖ୍ୟା ଉପରେ ଆଗୁଆ କିଛି ଆକଳନ କରାଯାଇଥିଲା କି?

(୬) ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା କି? ଯଦି ନୁହେଁ, କାହିଁକି?

(୭) ଆହତମାନଙ୍କୁ ଡାକ୍ତରଖାନା ନେବାକୁ କେତେ ସମୟ ଲାଗିଥିଲା?

(୮) ଯେକୌଣସି କ୍ରୀଡ଼ା କାର୍ଯ୍ୟକ୍ରମ ବା ଏଭଳି ଢଙ୍ଗରେ କରାଯାଉଥିବା ବିଜୟୋତ୍ସବ, ଯେଉଁଥିରେ ୫୦ ହଜାର ବା ତା’ଠାରୁ ଅଧିକ ଲୋକଙ୍କ ସମାଗମ ହେଉଛି, ସେଥିପାଇଁ କିଛି ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର) କରାଯାଇଛି କି?

(୯) ଏହି କାର୍ଯ୍ୟକ୍ରମ ପାଇଁ କୌଣସି ଅନୁମତି ନିଆଯାଇଥିଲା କି?

ହାଇକୋର୍ଟଙ୍କ ଏହି ସବୁ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ ସରକାର ସମୟ ମାଗିଛନ୍ତି। ବନ୍ଦ ଲଫାପାରେ ସରକାର ତାଙ୍କ ଉତ୍ତର କୋର୍ଟଙ୍କୁ ଦେବେ। ଆଡଭୋକେଟ୍ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ ଅଭିଯୁକ୍ତମାନେ ସେମାନଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିବାକୁ ଓ ଆଶ୍ୱସ୍ତି ପାଇବାକୁ ତଦନ୍ତ ଓ ଗିରଫ କରିଥିବା ଏଜେନ୍ସୀ ମଧ୍ୟରେ ପାର୍ଥକ୍ୟ ଥିବା ଦର୍ଶାଇଛନ୍ତି। ସେ ଆହୁରି କହିଥିଲେ ଯେ ଏହି କାରଣ ଯୋଗୁ ଖୋଲା କୋର୍ଟରେ ଅଧିକ ସବିଶେଷ ତଥ୍ୟ ଦିଆଯାଇପାରିବ ନାହିଁ।

ସୋମବାର ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିକାରୀ ନିଖିଲ ସୋସାଲେ କୋର୍ଟଙ୍କୁ କହିଥିଲେ ଯେ ଦଳଚକଟା ଘଟଣାରେ ତାଙ୍କର ଗିରଫଦାରୀ ବେଆଇନ। ସେହିପରି ଆରସିବିର ବିଜୟୋତ୍ସବର ଆୟୋଜନ କରିଥିବା ଡିଏନ୍‌ଏ ଏଣ୍ଟରଟେନମେଣ୍ଟ ନେଟୱର୍କ ପ୍ରାଇଭେଟ ଲିମିଟେଡ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଥିଲା ଯେ ଏହି କାର୍ଯ୍ୟକ୍ରମକୁ ଆସିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆମନ୍ତ୍ରଣ କରିଥିଲେ।

Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe