/odisha-reporter/media/media_files/2026/01/02/hp-2026-01-02-18-16-56.jpg)
ଛାତ୍ରୀ
ରାଗିଂ( Ranging) ଓ ଯୌନ ନିର୍ଯାତନା ଯୋଗୁ ଅସୁସ୍ଥ ହୋଇ ପଡ଼ିଥିବା ଜଣେ ଛାତ୍ରୀ ଶେଷରେ ଆଖି ବୁଜିଛନ୍ତି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଛାତ୍ରୀ ଜଣଙ୍କ ହିମାଚଳ ପ୍ରଦେଶର ଧର୍ମଶାଳାରେ ସରକାରୀ କଲେଜର ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ତାଙ୍କ ମୃତ୍ୟୁ ପରେ ରୁଜୁ ହୋଇଥିବା ଏଫଆଇଆରରେ ୩ ଜଣ ଛାତ୍ରୀ ଓ କଲେଜର ଜଣେ ପ୍ରଫେସରଙ୍କ ନାଁ ରହିଛି।
ପ୍ରାଣ ହରାଇବା ପୂର୍ବରୁ ଛାତ୍ରୀ ଜଣଙ୍କ ତାଙ୍କ ସହ ଘଟିଥିବା ବର୍ବରକାଣ୍ଡ ସମ୍ପର୍କରେ ଗୋଟିଏ ଭିଡିଓରେ ସବୁ କିଛି କହିଛନ୍ତି। ପ୍ରଫେସର ଜଣଙ୍କ ତାଙ୍କୁ କେମିତି ଆପତ୍ତିଜନକ ଭାବେ ସ୍ପର୍ଶ କରୁଥିଲେ ଓ ଅନ୍ୟମାନେ ତାଙ୍କୁ କେମିତି ମାନସିକ ନିର୍ଯାତନା ଦେଉଥିଲେ, ସେକଥା ସେ ଭିଡିଓରେ କହିଛନ୍ତି।
ଛାତ୍ରୀଙ୍କ ବାପା ପୁଲିସ୍ ନିକଟରେ ଦାଖଲ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେପ୍ଟେମ୍ବର ୧୮ରେ ହର୍ଷିତା, ଅକ୍ରିତି ଓ କୋମୋଲିକା ନାମକ ୩ ଜଣ ଛାତ୍ରୀ ତାଙ୍କ ଝିଅଙ୍କୁ ରାଗିଂ ନାଁରେ ଭୟଙ୍କର ଢଙ୍ଗରେ ମାଡ଼ ମାରି ନିର୍ଯାତନା ଦେଇଥିଲେ। ମୁହଁ ବନ୍ଦ ରଖିବାକୁ ସେମାନେ ଧମକାଇଥିଲେ। ଅଭିଯୋଗରେ ଛାତ୍ରୀଙ୍କ ବାପା କଲେଜର ପ୍ରଫେସର ଅଶୋକ କୁମାରଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି।
ଛାତ୍ରୀଙ୍କ ବାପା କହିଛନ୍ତି ଯେ ପ୍ରଫେସରଙ୍କ ଆପତ୍ତିଜନକ ବ୍ୟବହାର ଓ ମାନିସକ ନିର୍ଯାତନା ଯୋଗୁ ତାଙ୍କ ଝିଅ ଗଭୀର ମାନସିକ ଚିନ୍ତାରେ ରହିଥିଲେ। ସେହିପରି ରାଗିଂ ବେଳେ ତାଙ୍କ ଝିଅଙ୍କୁ ମାଡ଼ ମରାଯିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନିୟମିତ ବିଗିଡ଼ିବାରେ ଲାଗିଥିଲା। ଡିସେମ୍ବର ୨୬ରେ ଝିଅ ପ୍ରାଣ ହରାଇବା ପୂର୍ବରୁ ପରିବାର ଲୋକ ବିଭିନ୍ନ ହସ୍ପିଟାଲରେ ତାଙ୍କର ଚିକିତ୍ସା କରିଥିଲେ।
ହେଲେ ଶେଷରେ ଲୁଧିଆନାର ଡିଏମସି ହସ୍ପିଟାଲରେ ଝିଅ ଆଖି ବୁଜିଥିଲା। ଝିଅର ମୃତ୍ୟୁରେ ସ୍ତବ୍ଧ ହୋଇ ଯାଇଥିବା ପରିବାର ଲୋକ ତୁରନ୍ତ ଅଭିଯୋଗ କରି ନଥିଲେ। ହେଲେ ଏବେ ତାଙ୍କ ବାପା ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ପରିବାର ଲୋକଙ୍କ କହିବା କଥା ଯେ ମୃତ୍ୟୁ ପୂର୍ବରୁ ଝିଅ ଗୋଟିଏ ମୋବାଇଲରେ ଭିଡିଓ ରେକର୍ଡ କରିଥିଲେ। ଏହି ଭିଡିଓରେ ପ୍ରଫେସର ଜଣଙ୍କ ତାଙ୍କ ସହ ଅଭଦ୍ରଙ୍କ ଭଳି ବ୍ୟବହାର କରୁଥିଲେ। ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିବା ସହ ଶ୍ରେଣୀ ଗୃହ ଓ କ୍ୟାମ୍ପରେ ମାନସିକ ନିର୍ଯାତନା ଦେଉଥିଲେ। ସେ ଏହାକୁ ବିରୋଧ କଲେ ପ୍ରଫେସର ଜଣଙ୍କ ତାଙ୍କୁ ବିଭିନ୍ନ ପ୍ରକାରର ଧମକ ମଧ୍ୟ ଦେଇଥିଲେ ବୋଲି ଛାତ୍ରୀ ଜଣଙ୍କ ଭିଡିଓରେ କହିଛନ୍ତି।
ଛାତ୍ରୀଙ୍କ ବାପା ଆହୁରି କହିଛନ୍ତି ସେମାନେ ପୁଲିସ ଓ ମୁଖ୍ୟମନ୍ତ୍ରୀ ହେଲପ ଲାଇନ ନମ୍ବରକୁ ଡିସେମ୍ବର ୨୦ରେ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। କିନ୍ତୁ ସେମାନେ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରି ନଥିଲେ।
ଏବେ ପୁଲିସ ଭାରତୀୟ ନ୍ୟାୟ ସଂହିତା ଓ ହିମାଚଳ ପ୍ରଦେଶର ରାଗିଂ ଆଇନ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଡିସେମ୍ବର ୨୦ରେ ହୋଇଥିବା ରାଗିଂ ଅଭିଯୋଗର ତଦନ୍ତ ଜାରି ରହିଛି।
ପ୍ରଫେସରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତକୁ ବ୍ୟାପକ କରାଯାଇଛି। ଛାତ୍ରୀ ଜଣଙ୍କ ଚିକିତ୍ସିତ ହେଉଥିବା ହସ୍ପିଟାଲଗୁଡ଼ିକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
