Advertisment

ଆଦାନି-ହିଣ୍ଡେନବର୍ଗ ମାମଲା: ତଦନ୍ତ ପାଇଁ ଆଉ ୩ ମାସ ନେଲା ସେବି

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସେବିକୁ ଅଗଷ୍ଟ ୧୪ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହାପରେ ସେବିକୁ ଅଧିକ ସମୟ ଦିଆଯିବ କି ନାହିଁ, ତା’ର ବିଚାର କରାଯିବ। ଆମେ ଆପଣଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୟ ଦେଉନାହୁଁ।

author-image
Hemant Lenka
SEBI

SEBI

ଆଦାନି ଗ୍ରୁପ୍‌ ବିରୋଧରେ ଆମେରିକୀୟ କମ୍ପାନୀ ହିଣ୍ଡେବର୍ଗ ଦେଇଥିବା ରିପୋର୍ଟର ତଦନ୍ତ ପାଇଁ ଆଉ ୩ ମାସ ସମୟ ନେଇଛି ସେବି। ତଦନ୍ତ ଶେଷ କରିବାକୁ ସେବି ପକ୍ଷରୁ ୬ ମାସର ସମୟ ମଗାଯାଇଥିଲା। କିନ୍ତୁ ଏହାକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ୩ ମାସର ସମୟ ଦେଇଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସେବିକୁ ଅଗଷ୍ଟ ୧୪ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହାପରେ ସେବିକୁ ଅଧିକ ସମୟ ଦିଆଯିବ କି ନାହିଁ, ତା’ର ବିଚାର କରାଯିବ। ଆମେ ଆପଣଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୟ ଦେଉନାହୁଁ।

ଯଦି କୌଣସି ସମସ୍ୟା ରହିଛି, ତା’ହେଲେ ଜଣାନ୍ତୁ। ଆମେ ଆପଣଙ୍କୁ ସେପ୍ଟେମ୍ବର ୩୦ ଯାଏ ସମୟ ଦେବାକୁ ରାଜି। କିନ୍ତୁ ତଦନ୍ତ କେଉଁ ପର୍ଯ୍ୟାୟରେ ପହଞ୍ଚିଛି, ସେକଥା ଜଣାନ୍ତୁ। ତଦନ୍ତର ଷ୍ଟାଟସ କ’ଣ ସେକଥା କୁହନ୍ତୁ ବୋଲି ସିଜେଆଇ କହିଛନ୍ତି।

Advertisment

ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ କରାଯିବ। ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ପ୍ୟାନେଲ ତା’ର ରିପୋର୍ଟ ଦାଖଲ କରି ସାରିଛି। ଏହା ଉପରେ ଶୁଣାଣି ଜୁଲାଇ ୧୧ରେ କରାଯିବ।

ଆଦାନି ଗ୍ରୁପ୍‌ ସମ୍ପର୍କରେ ହିଣ୍ଡେନବର୍ଗ ରିପୋର୍ଟ ଦେବା ପରେ କିମ୍ବା ପୂର୍ବରୁ କୌଣସି ପ୍ରକାରର ନିୟମ ଉଲ୍ଲଙ୍ଘନ ହୋଇଛି କି ନାହିଁ, ତା’ର ତଦନ୍ତ କରିବାକୁ ମାର୍ଚ୍ଚ ୨ରେ ସେବିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨ ମାସ ମଧ୍ୟରେ ତଦନ୍ତ ସାରିବାକୁ କୁହାଯାଇଥିଲା। ସେବିର ତଦନ୍ତ ଅବଧି ସରିବାକୁ ୩ ଦିନ ଥିବା ବେଳେ ଏପ୍ରିଲ ୨୯ରେ ସଂସ୍ଥା ଆଉ ୬ ମାସ ସମୟ ମାଗିଥିଲା। ବିଦେଶ ରାଷ୍ଟ୍ର ସହ ଲିଙ୍କ ଥିବାରୁ ତଦନ୍ତ ପ୍ରକ୍ରିୟା ସାରିବାକୁ ସମୟ ଦରକାର ବୋଲି ସେବି କହିଥିଲା।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏଏମ ସାପ୍ରେ ତଦନ୍ତର ଆଭ୍ୟନ୍ତରୀଣ ରିପୋର୍ଟ ରେଜିଷ୍ଟ୍ରୀ ନିକଟରେ ଦାଖଲ କରିଛନ୍ତି। ପ୍ୟାନେଲ ନିୟମିତ ଭାବେ ପୂରା ଘଟଣାରେ କୋର୍ଟକୁ ସହାୟତା କରିବେ। ଏଥିସହ ଘଟଣା ସହ ଜଡ଼ିତ ଥିବା ସବୁ ପକ୍ଷ ଓ ଆଇନଜୀବୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଆଜି ସିଜେଆଇ କହିଛନ୍ତି।

ମେ’ ୧୨ ଶୁଣାଣି ବେଳେ ଆବେଦନକାରୀ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ତଦନ୍ତରୁ କ’ଣ ସବୁ ମିଳିଛି ଅତିକମରେ ସେବି ସେସବୁ କହିବା ଦରକାର। ସେବି ହେଉଛି ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେସନ ଅଫ ସିକ୍ୟୁରିଟିଜ କମିଶନର ସଦସ୍ୟ। ତେଣୁ ବିଦେଶ ରାଷ୍ଟ୍ରରୁ ତଥ୍ୟ ଆଣିବା ସଂସ୍ଥା ପାଇଁ ଆଦୌ କଷ୍ଟରକର ନୁହେଁ ବୋଲି ସେ କହିଥିଲେ।

ଏହାର ଜବାବରେ ସିଜେଆଇ କହିଥିଲେ, “ତଦନ୍ତରୁ ସେବି କ’ଣ ସବୁ ପାଇଛି, ବର୍ତ୍ତମାନ ସମୟରେ ସେଗୁଡ଼ିକ ସାର୍ବଜନୀନ କରିବାକୁ କହିବା ଆଦୌ ଠିକ ହେବନି। ଅପେକ୍ଷା କରନ୍ତୁ। କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମଧ୍ୟ ସମୟ ଦିଆଯାଇ ପାରିବ ନାହିଁ।”

ହେଲେ ଆଜି କୋର୍ଟ ରିପୋର୍ଟକୁ ବିଭିନ୍ନ ପକ୍ଷଙ୍କ ସହ ଶେୟାର କରାଯିବ ବୋଲି କହିଛନ୍ତି।

Gautam Adani Supreme Court Hindenburg Issues SEBI