Advertisment

କାମ ଦେଲାନି ପୁଲିସ୍‌ର ବଳପ୍ରୟୋଗ, ହିନ୍ଦୁ ଯୁବକଙ୍କୁ ବିବାହ କଲେ ମୁସଲିମ ଯୁବତୀ

ଅପେକ୍ଷାର ଫଳ ମିଠା ଭଳି ଆଜି ହାତକୁ ଦି’ ହାତ ହୋଇଛନ୍ତି ପ୍ରେମ ପକ୍ଷୀ। ମଙ୍ଗଳବାର ବେଶ ଆନନ୍ଦ ଉଲ୍ଲାସରେ ମୁସଲିମ ଯୁବତୀଙ୍କୁ ବିବାହ କରିଛନ୍ତି ଜଣେ ହିନ୍ଦୁ ଯୁବକ।

author-image
Hemant Lenka
Love Bird

Love Bird

ପ୍ରେମ ଆଗରେ ହାର ମାନିଛି ସବୁ ପ୍ରତିକୂଳ ପରିସ୍ଥିତି। ଏ ସମାଜ, ପରିବାର ଲୋକ ଓ ପୁଲିସ୍‌ର ଶତ ଚେଷ୍ଟା ମଧ୍ୟ ପ୍ରେମ ପକ୍ଷୀଙ୍କୁ ଅଲଗା କରିପାରି ନାହିଁ। ଭିନ୍ନ ଧର୍ମର ହୋଇଥିଲେ ହେଁ ପ୍ରେମ ସେମାନଙ୍କୁ ସାତ ଜନ୍ମର ସାଥୀ କରିଛି। ନିଜ ପ୍ରେମକୁ ପାଇବା ପାଇଁ ମଧ୍ୟ ସେମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି।

Advertisment

ହେଲେ ଅପେକ୍ଷାର ଫଳ ମିଠା ଭଳି ଆଜି ହାତକୁ ଦି’ ହାତ ହୋଇଛନ୍ତି ପ୍ରେମ ପକ୍ଷୀ। ମଙ୍ଗଳବାର ବେଶ ଆନନ୍ଦ ଉଲ୍ଲାସରେ ମୁସଲିମ ଯୁବତୀଙ୍କୁ ବିବାହ କରିଛନ୍ତି ଜଣେ ହିନ୍ଦୁ ଯୁବକ।

କିଛି ଦିନ ତଳେ କେରଳ ପୁଲିସ ବାହାଘର ବେଦୀରୁ ହିଁ କନିଆଙ୍କୁ ଭିଡ଼ିଭିଡ଼ି ନେଇ ଯାଇଥିଲା। ଏହାକୁ ନେଇ ବେଶ ତମ୍ଭିତୋଫାନ ମଧ୍ୟ ଦେଖାଯାଇଥିଲା। ହେଲେ ଆଜି ପୁଲିସର ନାଲି ଆଖି କିମ୍ବା ପରିବାର ଲୋକଙ୍କ ତାଗିଦ ଅଖିଲ ଓ ଅଲଫିୟାଙ୍କୁ ଅଲଗା କରିପାରିନି। ସେମାନେ ବିବାହ ବନ୍ଧନରେ ସବୁ ଦିନ ପାଇଁ ବାନ୍ଧି ହୋଇଛନ୍ତି।

Advertisment

୨୧ ବର୍ଷୀୟ ଅଖିଲ ଓ ୧୮ ବର୍ଷୀୟ ଅଲଫିୟା ପରସ୍ପରକୁ ବହୁତ ଭଲ ପାଆନ୍ତି। ସେମାନେ ଏହାକୁ ବିବାହର ରୂପ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଜୁନ ୧୭ରେ ଥିରୁଅନନ୍ତପୁରମରେ ଗୋଟିଏ ମନ୍ଦିରରେ ଉଭୟ ବାହା ହେବାକୁ ଯାଇଥିଲେ। ହେଲେ ବାହାଘରର ଠିକ୍‌ ପୂର୍ବରୁ ପୁଲିସ୍‌ ସେଠାରେ ପହଞ୍ଚି ଯାଇଥିଲା। ପୁଲିସ୍‌ କର୍ମଚାରୀମାନେ ବଳପୂର୍ବକ ମନ୍ଦିର ଭିତରୁ ହିଁ ଅଲଫିୟାଙ୍କୁ ଭିଡ଼ିଭିଡ଼ି ତଳକୁ ଆଣିଥିଲେ। ଏହାପରେ ଗାଡ଼ିରେ ବସାଇ ନେଇଯାଇଥିଲେ। 

ଅଖିଲ ଓ ଅଲଫିୟା ଭିନ୍ନ ଧର୍ମର ହୋଇଥିବାରୁ ଏହି ବାହାଘରକୁ ଉଭୟ ପକ୍ଷର ପରିବାର ବିରୋଧ କରୁଥିଲେ। ପୁଲିସ୍‌ ପରିବାର ଲୋକଙ୍କ କଥାରେ ପଡ଼ି ଏହି ବାହାଘରକୁ ଜୁନ ୧୭ରେ ଭାଙ୍ଗି ଦେଇଥିଲା।

ଅଖିଲଙ୍କୁ ବିବାହ କରିବା ପାଇଁ ଅଲଫିୟା ଜୁନ ୧୬ରେ ଘର ଛାଡ଼ିଥିଲେ। ହେଲେ ପରିବାର ଲୋକ ପୁଲିସ୍‌ର ଦ୍ୱାରସ୍ଥ ହୋଇ ଝିଅ ନିଖୋଜ ହୋଇଯାଇଥିବା ରିପୋର୍ଟ ଲେଖିଥିଲେ। କିନ୍ତୁ ଅଲଫିୟା ପୁଲିସ୍‌କୁ ଯୋଗାଯୋଗ କରି ସେ ନିଜ ଇଚ୍ଛାରେ ଘର ଛାଡ଼ିଥିବା କହିଥିଲେ। ତଥାପି ପୁଲିସ୍‌ ଜୁନ ୧୭ରେ ତାଙ୍କୁ ବାହାଘର ବେଦୀରୁ ଉଠାଇ ଆଣିଥିଲା।

ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ସଫେଇ ମଧ୍ୟ ଦେଇଥିଲା। ପୁଲିସ୍‌ କହିଥିଲା ଯେ ଅଲଫିୟା ନିଖୋଜ ଥିବା ତାଙ୍କ ପରିବାର ଲୋକ କହିଥିଲେ। ଏନେଇ ମାମଲା ମଧ୍ୟ ହୋଇଥିଲା। ମାମଲାକୁ ବନ୍ଦ କରିବା ପାଇଁ ଅଲଫିୟାଙ୍କୁ ଜଣେ ବିଚାରପତିଙ୍କ ଆଗରେ ହାଜର କରିବାର ଥିଲା। ଏକଥା ପୁଲିସ୍‌ ଅଲଫିୟାଙ୍କୁ ବୁଝାଇ ଥିଲେ ହେଁ ସେ ସହଯୋଗ କରି ନଥିଲେ। ତେଣୁ ବଳ ଲଗାଇବାକୁ ବାଧ୍ୟ ହୋଇଥିବା ନିଜ ସଫେଇରେ କହିଛି।

ତେବେ ଜୁନ ୧୭ରେ ଅଖିଲ ଓ ଅଲଫିୟା ଯାହା କରି ପାରି ନଥିଲେ। ଆଜି ସେକଥା କରି ଦେଖାଇଛନ୍ତି। ଏବେ ଅଖିଲ ଓ ଅଲଫିୟା ସ୍ୱାମୀ-ସ୍ତ୍ରୀ ହୋଇ ସାରିଛନ୍ତି।

Kerala Love Story Love Birds