Advertisment

'ସପ୍ତପଦୀ' ଓ ପାରମ୍ପାରିକ ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ

ଯେଉଁ ବିବାହରେ 'ସପ୍ତପଦୀ' ଅର୍ଥାତ୍ ଅଗ୍ନିକୁ ସାକ୍ଷୀ ରଖି ବର-କନିଆଁ ସାତ ଥର ଫେରା ନେଇନହାନ୍ତି କିମ୍ବା ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇନାହିଁ ସେ ବିବାହ ହିନ୍ଦୁ ବିବାହ ଆଇନ ଅନୁସାରେ ବୈଧ ନୁହେଁ, କହିଲେ ଆହ୍ଲାବାଦ ହାଇକୋର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
Representative image

Representative image

ହିନ୍ଦୁ ରୀତିନୀତିରେ ବିବାହକୁ ନେଇ ଅନେକ ସମୟରେ ତର୍କ ହୁଏ। ଏକ ବିବାହ ବାସ୍ତବରେ କିପରି ହେବା ଉଚିତ୍? ଏଥିରେ ପରମ୍ପରା ମୁଖ୍ୟ ନା ଆଇନଗତ ପ୍ରକ୍ରିୟା ଆଗ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜେ, ଆଉ ତର୍କବିତର୍କ ବି ହୁଏ। ଏସବୁ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ  ଟିପ୍ପଣୀ। କୋର୍ଟ କହିଛନ୍ତି, ହିନ୍ଦୁ ବିବାହ ଆଇନରେ ରୀତିନୀତିକୁ ଶ୍ରେଷ୍ଠତା ପ୍ରଦାନ କରାଯାଇଛି। 

Advertisment

ଅଦାଲତ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି, ଯେଉଁ ବିବାହରେ 'ସପ୍ତପଦୀ' ଅର୍ଥାତ୍ ଅଗ୍ନିକୁ ସାକ୍ଷୀ ରଖି ବର-କନିଆଁ ସାତ ଥର ଫେରା ନେଇନହାନ୍ତି କିମ୍ବା ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇନାହିଁ ସେ ବିବାହ ହିନ୍ଦୁ ବିବାହ ଆଇନ ଅନୁସାରେ ବୈଧ ନୁହେଁ। ଆଉ ହିନ୍ଦୁ ରୀତି ଆଧାରରେ ଯେଉଁ ବିବାହ ବୈଧ ନୁହେଁ ତାକୁ ବିବାହ ବୋଲି ମାନି ନିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି।

ସ୍ମୃତି ସିଂହ ନାମକ ଜଣେ ମହିଳା କରିଥିବା ଆବେଦନର ଶୁଣାଣି ସମୟରେ ଏପରି ଟିପ୍ପଣୀ ଦେଇଛନ୍ତି ଅଦାଲତ।

Advertisment

ସୂଚନା ଅନୁସାରେ, ସ୍ମୃତି ୨୦୧୭ରେ ସତ୍ୟମ ସିଂହ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛିଦିନ ପରେ ସେ ଶାଶୁଘର ଛାଡ଼ି ବାପଘରେ ରହୁଥିଲେ। ଶାଶୁଘରେ ଯୌତୁକ ନିର୍ଯାତନା ଦେଉଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୁଲିସ ସ୍ୱାମୀ ଏବଂ ଶାଶୁଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା।

ଏହାପରେ ସତ୍ୟମ, ପତ୍ନୀ ଛାଡ଼ପତ୍ର ନ ଦେଇ ଅନ୍ୟତ୍ର ବିବାହ କରିଥିବାର ଏକ ଅଭିଯୋଗ ଦାଖଲ କରିଥିଲେ। ଏନେଇ ମିର୍ଜାପୁର କୋର୍ଟରେ ମାମଲା ବିଚାରାଧୀନ ଚାଲିଛି। ଅପ୍ରେଲ ୧, ୨୦୨୨ରେ କୋର୍ଟ ସ୍ମୃତିଙ୍କୁ ସମନ ପଠାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ମୃତି।

ଦ୍ୱିତୀୟ ବିବାହ ନେଇ ସ୍ୱାମୀ କରିଥିବା ଆବେଦନ, ମିର୍ଜାପୁର କୋର୍ଟଙ୍କ ସମନ ଏବଂ ପରବର୍ତ୍ତୀ କାର୍ଯାନୁଷ୍ଠାନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସ୍ମୃତି। ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି ସମୟରେ ଦ୍ୱିତୀୟ ବିବାହର କୌଣସି ପ୍ରମାଣ ନଥିବା ଦର୍ଶାଇଛନ୍ତି। ଅଦାଲତ ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ଧାରା ୭କୁ ଉଲ୍ଲେଖ କରି କହିଛନ୍ତି। ଏହି ଧାରା ଅନୁସାରେ ଉଭୟ ପକ୍ଷର ପାରମ୍ପାରିକ ରୀତିନୀତି ତଥା ସମାରୋହ ଅନୁଯାୟୀ ଏକ ହିନ୍ଦୁ ବିବାହ ଉତ୍ସବ ସଂପନ୍ନ ହୋଇପାରେ। ଦ୍ୱିତୀୟତଃ, ଏହିପରି ରୀତିନୀତି ଏବଂ ସମାରୋହରେ 'ସପ୍ତପଦୀ' ନିଆଯିବା ପରେ ବିବାହକୁ ସଂପୂର୍ଣ୍ଣ ଏବଂ ବାଧ୍ୟତାମୂଳକ ଧରାଯାଏ।

ଯେହେତୁ ସ୍ମୃତିଙ୍କ ବିପକ୍ଷରେ ସ୍ୱାମୀ ଆଣିଥିବା ଅଭିଯୋଗରେ ଏପରି ପ୍ରମାଣ ନାହିଁ ତେଣୁ ମିର୍ଜାପୁର କୋର୍ଟରେ ଚାଲିଥିବା ପ୍ରକ୍ରିୟାକୁ ବନ୍ଦ କରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ।

Hindu Marriage Hindu Marriage Ac Saptapadi Hindu Marriage Rituals Allahabad High Court