ଏକ ଛାଡ଼ପତ୍ର ମାମଲାର ଶୁଣାଣି ସମୟରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ କହିଛନ୍ତି, "ହିନ୍ଦୁ ବିବାହ ହେଉଛି ଶାସ୍ତ୍ର ଆଧାରିତ, ଏହା ପବିତ୍ର, କୌଣସି ଚୁକ୍ତି ବା ରାଜିନାମା ପରି ଭାଙ୍ଗି ଦିଆଯାଇ ପାରିବ ନାହିଁ। କ୍ୱଚିତ କ୍ଷେତ୍ରରେ ଏପରି କରାଯାଇ ପାରିବ, ଏଥିପାଇଁ ଉଭୟ ପକ୍ଷଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗର ଯଥେଷ୍ଟ ପ୍ରମାଣ ଆବଶ୍ୟକ।"
ବିବାହ ବିଚ୍ଛେଦ ବିରୋଧରେ ଜଣେ ମହିଳା କରିଥିବା ଆବେଦନର ଶୁଣାଣି ସମୟରେ ଏପରି କହିଛନ୍ତି ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ସୌମିତ୍ରା ଦିନଲ ସିଂ ଏବଂ ଦୋନାଦି ରମେଶଙ୍କୁ ନେଇ ଗଠିତ ଖଣ୍ଡପୀଠ।
ରିପୋର୍ଟ ଅନୁସାରେ, ଜଣେ ମହିଳା 2011ରେ ବୁଲନ୍ଦସହର ଅତିରିକ୍ତ ଜିଲ୍ଲା ଜଜ୍ ଦେଇଥିବା ଛାଡପତ୍ର ଆଦେଶକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ସ୍ୱାମୀଙ୍କ ଆବେଦନ କ୍ରମେ କୋର୍ଟ ଛାଡ଼ପତ୍ର ପାଇଁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ସେ ଛାଡ଼ପତ୍ର ଚାହୁଁନଥିବାରୁ ଏହାକୁ ପ୍ରତ୍ୟାହାର କରିବାକୁ ଆବେଦନ କରିଥିଲେ।
ବାସ୍ତବରେ ମହିଳା ଜଣକ 2006ରେ ବିବାହ କରିଥିଲେ। ତାଙ୍କ ସ୍ୱାମୀ ଜଣେ ଭାରତୀୟ ସେନା କର୍ମଚାରୀ। 2006ରେ ଉଭୟଙ୍କ ବିବାହ ପରେ ମହିଳା ଜଣକ ତା ପର ବର୍ଷ ବାପଘରକୁ ଚାଲିଯାଇଥିଲେ। ଏହି କାରଣ ଦର୍ଶାଇ 2008ରେ ତାଙ୍କ ସ୍ୱାମୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।
ଏହି ସମୟରେ ପତ୍ନୀ ମଧ୍ୟ ଛାଡ଼ପତ୍ର ପାଇଁ ରାଜି ହୋଇଥିଲେ ଏବଂ ତାଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଥିଲା। କିନ୍ତୁ ସେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ବଦଳାଇ ଛାଡ଼ପତ୍ର ନେବେ ନାହିଁ ବୋଲି କହିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ତାଙ୍କ ସହ ରହିବାକୁ ମନା କରିଦେଇଥିଲେ। ଫଳରେ ମଧ୍ୟସ୍ଥତା କ୍ରମେ ଉଭୟ କିଛି ଦିନ ଏକାଠି ରହିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ହୋଇଥିଲା।
କିନ୍ତୁ ବୁଲନ୍ଦସହର ଅତିରିକ୍ତ ଜିଲ୍ଲା ଜଜ୍ ପ୍ରାଥମିକ ବିବୃତ୍ତି କ୍ରମେ 2011ରେ ଛାଡପତ୍ରକୁ ମଞ୍ଜୁରୀ ଦେଇ ଦେଇଥିଲେ, ଯାହାକୁ ମହିଳା ଜଣକ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହାର ବିଚାର କରି ମହିଳାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ଉଭୟ ପକ୍ଷଙ୍କ ନିଷ୍ପତ୍ତି ବିନା ଛାଡ଼ପତ୍ର ପାଇଁ ମଞ୍ଜୁରୀ ମିଳିପାରିବ ନାହିଁ, ଏହା ବେଆଇନ ବୋଲି କହିଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି, ମହିଳା ଜଣକ ପ୍ରଥମେ ଛାଡ଼ପତ୍ର ପାଇଁ ସମ୍ମତି ପ୍ରକାଶ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରି ନେଇଥିଲେ। ତେଣୁ ତାଙ୍କୁ ମୂଳ ସମ୍ମତିକୁ ଗ୍ରହଣ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ହିନ୍ଦୁ ବିବାହ ହେଉଛି ପବିତ୍ର, ଏହାକୁ କଣ୍ଟ୍ରାକ୍ଟ ବା ଚୁକ୍ତି ପରି ଭାଙ୍ଗି ହେବ ନାହିଁ। ଏଥିପାଇଁ ଉଭୟ ପକ୍ଷଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗର ଯଥେଷ୍ଟ ପ୍ରମାଣ ଏବଂ ସମ୍ମତି ଆବଶ୍ୟକ।