ଭାରତରେ ହିନ୍ଦୁ ଜନସଂଖ୍ୟା ୧୯୫୦ରୁ ୨୦୧୫ ମଧ୍ୟରେ ୭.୮୨% ହ୍ରାସ ପାଇଛି। ଏହି ସମୟ ସୀମା ମଧ୍ୟରେ ମୁସଲିମ ଜନସଂଖ୍ୟା ୪୩.୧୫% ବଢ଼ିଛି। ଏପରି ଦାବି କରିଛି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା ପରିଷଦ ବା ଇଏସି-ପିଏମ।
କମିଟି ପକ୍ଷରୁ ଧାର୍ମିକ ସଂଖ୍ୟାଲଘୁ: ଏ କ୍ରସ କଣ୍ଟ୍ରୀ ଆନାଲିସିସ(୧୯୫୦-୨୦୧୫) ଶୀର୍ଷକ ଗୋଟିଏ ରିପୋର୍ଟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଦେଶରେ ଜୈନ ଜନସଂଖ୍ୟା ୧୯୫୦ରେ ୦.୪୫% ଥିବା ବେଳେ ୨୦୧୫ ବେଳକୁ ଏହା ୦.୩୬% ହୋଇ ଯାଇଛି।
ଦେଶର ସଂଖ୍ୟାଗରିଷ୍ଠ ହିନ୍ଦୁ ଜନସଂଖ୍ୟା ୧୯୫୦ରେ ୮୪.୬୮% ରହିଥିବା ବେଳେ ୨୦୧୫ ସୁଦ୍ଧା ଏହା ୭.୮୨% ହ୍ରାସ ପାଇଛି। ୨୦୧୫ରେ ହିନ୍ଦୁ ଜନସଂଖ୍ୟା ୭୮.୦୬%ରେ ପହଞ୍ଚି ଯାଇଛି।
୧୯୫୦ରେ ମୁସଲିମ ଜନସଂଖ୍ୟା ୯.୮୪% ଥିଲା। କିନ୍ତୁ ୨୦୧୫ ବେଳକୁ ଏହା ୧୪.୦୯%ରେ ପହଞ୍ଚିଛି। ମୁସଲିମ ଜନସଂଖ୍ୟାରେ ୪୩.୧୫% ବୃଦ୍ଧି ହୋଇଛି। ଏପରି ରିପୋର୍ଟ ଇଏସି-ପିଏମର ସଦସ୍ୟ ଶମିକା ରବିଙ୍କ ନେତୃତ୍ୱରେ ପ୍ରସ୍ତୁତ କରାଯାଇଛି।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ଦେଶରେ ଖ୍ରୀଷ୍ଟିୟାନ ଜନସଂଖ୍ୟା ୨.୨୪%ରୁ ବଢ଼ି ୨.୩୬%ରେ ପହଞ୍ଚିଛି। ୧୯୫୦ରୁ ୨୦୧୫ ମଧ୍ୟରେ ଖ୍ରୀଷ୍ଟିୟାନ ଜନସଂଖ୍ୟା ୫.୩୮% ବଢ଼ିଛି।
ଶିଖ ସଂପ୍ରଦାୟର ଜନସଂଖ୍ୟା ମଧ୍ୟ ୬.୫୮% ବଢ଼ିଛି। ୧୯୫୦ରେ ଶିଖ ସଂପ୍ରଦାୟର ଜନସଂଖ୍ୟା ୧.୨୪% ରହିଥିଲା। ହେଲେ ୨୦୧୫ ବେଳକୁ ଏହା ୧.୮୫% ଛୁଇଁଛି। ପାର୍ସୀ ଜଦସଂଖ୍ୟା ୮୫% ହ୍ରାସ ପାଇଛି।