ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖରେ ଆଧୁନିକ ଓ ଭବ୍ୟ ଶୈଳୀରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ। ବିରୋଧୀ ଏହି କାର୍ଯ୍ୟକ୍ରମକୁ ବୟକଟ କରିବାକୁ ଘୋଷଣା କରିଥିଲେ ହେଁ ସରକାରୀ ସ୍ତରରେ ଉଦଘାଟନୀ ଉତ୍ସବ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।
ସଂସଦର ନୂଆ ବିଲଡିଂରେ ଇତିହାସର ପ୍ରତୀକ ରାଜଦଣ୍ଡ ସେଙ୍ଗୋଲକୁ ସ୍ଥାପିତ କରାଯିବ। ଏହା ବାଚସ୍ପତିଙ୍କ ଚୌକି ପାଖରେ ରହିବ। ବ୍ରିଟିଶରଙ୍କ ଠାରୁ କ୍ଷମତା ଆଣିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏହି ରାଜଦଣ୍ଡକୁ ବ୍ୟବହାର କରିଥିଲେ। ଇତିହାସ ପୃଷ୍ଠାକୁ ସ୍ମରଣୀୟ କରି ରଖିବା ପାଇଁ ସଂସଦର ନୂଆ ବିଲ୍ଡିଂରେ ରାଜଦଣ୍ଡକୁ ସ୍ଥାପିତ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ସଂସଦର ନୂଆ ବିଲଡିଂ କାମରେ ନିୟୋଜିତ ହୋଇଥିବା ୬୦ ହଜାର ଶ୍ରମିକଙ୍କୁ ୨୮ ତାରିଖ ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ସମ୍ମାନୀତ କରିବେ। ଏହି ଅବସରରେ ଐତିହାସିକ ମୁହୂର୍ତ୍ତଗୁଡ଼ିକୁ ପୁଣି ତାଜା କରାଯିବ। ଐତିହାସିକ ପ୍ରତୀକ ସେଙ୍ଗୋଲକୁ ସଂସଦର ନୂଆ ବିଲଡିଂରେ ସ୍ଥାପିତ କରାଯିବ।
ଏହାକୁ ୧୯୪୭ ମସିହା ଅଗଷ୍ଟ ୧୪ରେ ବ୍ୟବହାର କରାଯାଇଥିଲା। ବ୍ରିଟିଶରମାନେ କ୍ଷମତା ହସ୍ତାନ୍ତର କରିବା ବେଳେ ଏହାର ପ୍ରତୀକ ଭାବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଏହାର ବ୍ୟବହାର କରିଥିଲେ ବୋଲି ଶାହ କହିଛନ୍ତି।
ଶାହ କହିଛନ୍ତି, ତାମିଲରେ ଏହାକୁ ସେଙ୍ଗୋଲ ବୋଲି କୁହାଯାଏ। ଏହାର ଅର୍ଥ ହେଲା ସମ୍ପଦପୂର୍ଣ୍ଣ। ସେଙ୍ଗୋଲ ହେଉଛି ଐତିହାସିକ ପରମ୍ପରାର ପ୍ରତୀକ। ସ୍ୱାଧୀନର ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ନୂଆ ସଂସଦ ଉର୍ତ୍ସଗ କରିବେ। ଏହାର ତାଙ୍କ ଦୂରଦର୍ଶୀକୁ ପ୍ରଦର୍ଶିତ କରୁଛି। ଆମ ସଂସ୍କୃତି, ପରାମ୍ପରା ଓ ସଭ୍ୟତାକୁ ଆଧୁନିକତା ସହ ମିଶାଇବା ପାଇଁ ଏହା ଏକ ସୁନ୍ଦର ଉଦ୍ୟମ।
ପ୍ରାୟ ୬୦ ହଜାର ଲୋକ ରେକର୍ଡ ଟାଇମରେ ସଂସଦର ନୂଆ ବିଲଡିଂର ନିର୍ମାଣ କରିଛନ୍ତି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନୀତି କରିବେ। ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ହେଲା ସମ୍ମାନ ଓ ଆମ ଐତିହାସିକ ପରମ୍ପରାର ପୁନଃଉଦ୍ଧାର। ସେଙ୍ଗୋଲ ଆମ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଭାହ କରିଥିଲା।
ଯେତେବେଳେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ସୂଚନା ପାଇଥିଲେ ସେତେବେଳେ ଏହାର ଖୋଳତାଡ଼ କରିଥିଲେ। ଏହାପରେ ଦେଶ ସାମ୍ନାରେ ଏହାକୁ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିକ୍ରମେ ସଂସଦର ନୂଆ ବିଲଡିଂ ଉଦଘାଟନ ବେଳେ ସେଙ୍ଗୋଲକୁ ମଧ୍ୟ ସାମ୍ନାକୁ ଅଣାଯିବ ବୋଲି ସେ କହିଛନ୍ତି।
ସେଙ୍ଗୋଲର ଇତିହାସ
ସେଙ୍ଗୋଲକୁ କ୍ଷମତା ହସ୍ତାନ୍ତରର ପ୍ରତୀକ ଭାବେ ଅନେକ ଗବେଷଣା ପରେ ଚୟନ କରାଯାଇଥିଲା। ଯେତେବେଳେ କ୍ଷମତା ହସ୍ତାନ୍ତରର ସମୟ ଆସିଥିଲା ସେତେବେଳେ ଲର୍ଡ ମାଉଣ୍ଟବାଟେନ ପୂର୍ବତନ ପ୍ରଧାନମନ୍ତ୍ରୀ ନେହରୁଙ୍କୁ ଡାକିଥିଲେ। ଏହି ସମୟରେ ଭାରତୀୟ ପରମ୍ପରା ଅନୁସାରେ କ୍ଷମତା ହସ୍ତାନ୍ତରର ପ୍ରତୀକ ଭାବେ କ’ଣ ବ୍ୟବହାର କରାଯିବ ବୋଲି ପ୍ରଶ୍ନ କରିଥିଲେ।
ନେହରୁ ଏ ସମ୍ପର୍କରେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଖ୍ୟାତ ଐତିହାସିକ ସି ରାଜଗୋପାଲଚାରିଙ୍କ ସହ ଆଲୋଚନା କରିଥିଲେ। ରାଜଗୋପାଲଚାରି ରାଜାଜୀ ନାଁରେ ପରିଚିତ ଥିଲେ। ଐତିହାସିକ ଗବେଷଣା ପରେ ରାଜାଜୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ନେହରୁଙ୍କୁ ନୂଆ ରାଜାଙ୍କୁ ତାମିଲ ପରମ୍ପରା ଅନୁଯାୟୀ ସର୍ବୋଚ୍ଚ ପୂଜକ ଗୋଟିଏ ସ୍ମରଣୀୟ ପ୍ରତୀକ ହସ୍ତାନ୍ତର କରନ୍ତି ବୋଲି କହଥିଲେ।
ଚୋଳ ରାଜ ଶାସନ ସମୟ କଥା ମନେପକାଇ ରାଜାଜୀ ଏପରି କହିଥିଲେ। ଏକଥା ଶୁଣି ନେହରୁ କ୍ଷମତା ହସ୍ତାନ୍ତରର ପ୍ରତୀକ କ’ଣ ରହିବ ବୋଲି ରାଜାଜୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ।
ଭାରତର ସ୍ୱାଧୀନତାର ପ୍ରତୀକ କ’ଣ ରହିବ, ତା’ର ବ୍ୟବସ୍ଥା କରିବାକୁ ରାଜାଜୀ ତାମିଲନାଡୁରେ ଥିବା ପ୍ରସିଦ୍ଧ ମଠ ଥିରୁବାଦୁଥୁରାଇ ଅଥୀନାମକୁ ଯୋଗାଯୋଗ କରିଥିଲେ। ମଠର ତତ୍କାଳୀନ ମହନ୍ତ ଏହି ଦାୟିତ୍ୱକୁ ଗ୍ରହଣ କରିଥିଲେ। ଏହାପରେ ରାଜଦଣ୍ଡକୁ ମାଡ୍ରାସରେ ଥିବା ଭୁମ୍ମିଡି ବାଙ୍ଗାରୁ ଚେଟ୍ଟୀ ପ୍ରସ୍ତୁତ କରିଥିଲେ। ରାଜଦଣ୍ଡ ସେଙ୍ଗୋଲର ଲମ୍ବ ୫ ଫୁଟ ଥିବା ବେଳେ ଏହା ଉପରେ ଗୋଟିଏ ଷଣ୍ଢକୁ ସ୍ଥାପନ କରାଯାଇଥିଲା। ଏହା ନ୍ୟାୟର ପ୍ରତୀକ ଭାବେ ସ୍ଥାନ ପାଇଥିଲା।
ରିପୋର୍ଟ ଅନୁସାରେ, ମଠର ବରିଷ୍ଠ ମହନ୍ତ ଏହି ସେଙ୍ଗୋଲକୁ ପ୍ରଥମେ ମାଉଣ୍ଟବାଟ୍ଟେନଙ୍କୁ ଦେଇଥିଲେ। ଏହାପରେ ତାଙ୍କ ଠାରୁ ଏହାକୁ ଆଣିଥିଲେ। ରାଜଦଣ୍ଡ ଉପରେ ଗଙ୍ଗା ଜଳ ଛିଞ୍ଚା ଯାଇଥିଲା। ଶେଷରେ ବିରାଟ ଶୋଭାଯାତ୍ରାରେ ରାଜଦଣ୍ଡକୁ ନେହରୁଙ୍କ ପାଖକୁ ନିଆଯାଇଥିଲା। ମଧ୍ୟରାତ୍ରର ଠିକ୍ ୧୫ ମିନିଟ ପୂର୍ବରୁ ଏହି ରାଜଦଣ୍ଡକୁ ନେହରୁ ଗ୍ରହଣ କରିଥିଲେ। ରାଜଦଣ୍ଡକୁ ଗ୍ରହଣ କରିବା ବେଳେ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଗୀତକୁ ପରିବେଷଣ କରାଯାଇଥିଲା।
ସେଙ୍ଗୋଲର ତାମିଲ ଶବ୍ଦ ସେମ୍ମାଇରୁ ଆସିଛି। ଏହାର ଅର୍ଥ ସତ୍ୟ, ନ୍ୟାୟ ଓ ଧର୍ମ। ଏହାକୁ ଚୋଳ ରାଜଶାସନ ବେଳେ ବ୍ୟବହାର କରାଯାଉଥିଲା।