Advertisment

ହିଂସା ସମ୍ପର୍କରେ ବେଙ୍ଗଲକୁ ରିପୋର୍ଟ ମାଗିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଙ୍ଗଲ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଅଭିଯୋଗ କରିଥିଲେ।

author-image
Hemant Lenka
Bengal

Bengal

ରାମନବମୀ ଓ ଏହାର ପରବର୍ତ୍ତୀ ସମୟରେ ଘଟିଥିବା ହିଂସା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ବେଙ୍ଗଲ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଙ୍ଗଲ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଅଭିଯୋଗ କରିଥିଲେ। ଏଥିସହ ନିକଟରେ ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବେଙ୍ଗଲ ସରକାରଙ୍କୁ ରିପୋର୍ଟ ଦେବାକୁ କହିଛି। ତେବେ କେତେ ଦିନ ଭିତରେ ସରକାର ରିପୋର୍ଟ ଦେବେ, ସେ ବିଷୟରେ ଜଣାପଡ଼ିନି।

Advertisment

ସୁକାନ୍ତ ମଜୁମଦାର ତାଙ୍କ ଚିଠିରେ ଲେଖିଥିଲେ ଯେ “ଗତକାଲି ସନ୍ଧ୍ୟାରେ ହୋଗଲୀ ଜିଲ୍ଲାରେ ପଥର ମାଡ଼ ହୋଇଛି। ଏଥିଯୋଗୁ ଟ୍ରେନ ସେବାକୁ ବନ୍ଦ କରାଯାଇଛି। ଶାସକ ଦଳ ଟିଏମସି ଓ ଏହାର ବରିଷ୍ଠ ନେତାଙ୍କ ବିନା ସମର୍ଥନରେ ଏମିତି ଘଟଣା ଘଟିବା ଅସମ୍ଭବ। କିନ୍ତୁ ସବୁଠାରୁ ପରିତାପର ବିଷୟ ହେଉଛି ଯେ ପୁଲିସ୍‌ର ନିଷ୍କ୍ରିୟତା।

ବେଙ୍ଗଲ ଡିଜିପି ମନୋଜ ମାଲବ୍ୟ ସଂପୂର୍ଣ୍ଣ ଭାବେ ସରକାରଙ୍କ କଥାରେ ପରିଚାଳିତ। ସେ ନିଜର ନିରପେକ୍ଷତା ହରାଇଛନ୍ତି। ସାଧାରଣ ଲୋକ ବିଶେଷ କରି ପ୍ରଭାବିତ ହୋଇଥିବା ହିନ୍ଦୁମାନଙ୍କ ସୁରକ୍ଷା କରିବା ବଦଳରେ ପୁଲିସ୍‌ ପ୍ରଶାସନ ଆଖି ବନ୍ଦ କରି ଦେଉଛି। ପୁଲିସ ପ୍ରଭାବିତ ଲୋକଙ୍କୁ ହଇରାଣ ଓ ଗିରଫ କରୁଛି। ସଂଖ୍ୟାଲଘୁ ସଂପ୍ରଦାୟର ଅପରାଧୀମାନଙ୍କୁ ଧରୁନାହିଁ। ହିଂସାରେ ସେମାନଙ୍କ ଭୂମିକା ସିସିଟିଭିରୁ ସ୍ପଷ୍ଟ ହେଉଥିଲେ ମଧ୍ୟ ପୁଲିସ୍‌ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ସଂଖ୍ୟାଲଘୁ ଭୋଟ ପାଇଁ ଅପରାଧୀ ଓ ଦେଶଦ୍ରୋହୀଙ୍କୁ ସମର୍ଥନ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ପୁଲିସ୍‌ ଏମିତି କରୁଛି।”

Advertisment

ଦଙ୍ଗା ପ୍ରଭାବିତ ଅଞ୍ଚଳକୁ ରାଜ୍ୟ ପ୍ରଶାସନ କେମିତି ବିଜେପି ନେତା ଓ ସାଂସଦମାନଙ୍କୁ ଛାଡ଼ୁ ନାହିଁ, ସେବିଷୟରେ ମଧ୍ୟ ବିଜେପି ମୁଖ୍ୟ ମଜୁମଦାର ଚିଠିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “ଆମ ଦଳର ବରିଷ୍ଠ ନେତା ଓ ସାଂସଦମାନଙ୍କୁ ପ୍ରଭାବିତ ଅଞ୍ଚଳକୁ ଯିବାକୁ ଦିଆଯାଉନି। ହେଲେ ଟିଏମସି ନେତା ଓ ମନ୍ତ୍ରୀମାନେ ଉକ୍ତ ଅଞ୍ଚଳରେ ବୁଲୁଛନ୍ତି।

ରିଶରା ଜାତୀୟ ରାଜପଥ ଠାରୁ ୫କିମି ଦୂରରୁ ମୋତେ ଅଟକାଇ ଦିଆଯାଇଥିଲା। ଦିଲୀପ ଘୋଷଙ୍କ ଉପରେ ଆକ୍ରମଣ ହୋଇଛି। ମନୋଜ ମାଲବ୍ୟଙ୍କ ଅଧୀନରେ ଥିବା ବେଙ୍ଗଲ ପୁଲିସ୍‌ ସମସ୍ତଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରୁଛି।” ଏହି ଚିଠି ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବେଙ୍ଗଲ ସରକାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି।

West Bengal Home Minister