/odisha-reporter/media/post_attachments/uploadimage/library/16_9/16_9_0/IMAGE_1674377030.jpg)
ଶାହରୁଖ ଖାନ୍ କିଏ? ପଚାରିବର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଲା ଫୋନ୍ କଲ୍
ଗତକାଲି ଶାହରୁଖ ଖାନ୍ କିଏ ବୋଲି ପଚାରିଥିଲେ। ଏହି ପ୍ରଶ୍ନ କରିବାର କିଛି ଘଣ୍ଟା ପରେ ହିଁ କିଙ୍ଗ ଖାନ୍ଙ୍କ ଆସିଲା ଫୋନ୍ କଲ୍। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ରାତି ୨ଟାରେ ଫୋନ୍ କରି କଥା ହେଲେ ବଲିଉଡର ବାଦ୍ଶାହା ଶାହରୁଖ ଖାନ୍। ଏନେଇ ଟ୍ୱିଟ୍ କରି ଖୋଦ୍ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଆସନ୍ତା ୨୫ରେ ହଲକୁ ଆସିବ ଶାହରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପଠାନ୍’। ଏହି ଫିଲ୍ମର ରିଲିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବା ବେଳେ ବିବାଦ ମଧ୍ୟ ଲାଗି ରହିଛି। ପଠାନ୍ ଫିଲ୍ମ ରିଲିଜ ପୂର୍ବରୁ ଏହାର ଗୀତ ବେସରମ୍ ରଙ୍ଗ...କୁ ନେଇ ବିବାଦ ଦେଖିବାକୁ ମିଳିଥିଲା। ଆଉ ଏସବୁ ବିବାଦ ଭିତରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶାହରୁଖ କିଏ ପଚାରିଥିଲେ? କିନ୍ତୁ ଏବେ ଟ୍ୱିଟ୍ କରି ଶାହାରୁଖଙ୍କ ବାବଦରେ ବଡ ବୟାନ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।
ହିମନ୍ତ ବିଶ୍ୱଶର୍ମା ଟ୍ୱିଟ୍ କରି କହିଛନ୍ତି ‘ଶାହରୁଖ ମୋତେ ରାତି ୨ଟାରେ ଫୋନ୍ କରି କଥା ହୋଇଥିଲେ। ଏପରିକି ନିଜ ଫିଲ୍ମର ସ୍କ୍ରିନିଂ ବେଳେ ଗୌହାଟୀରେ ହୋଇଥିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଆଇନ ଶୃଙ୍ଖଳା ବଜାୟ ରଖିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ଏହି ଘଟଣା ବାବଦରେ ଆମେ ପଚରାଉଚରା କରୁଛୁ ଏବଂ ଆଗକୁ ଯେପରି ଏହି ଘଟଣାର ପୁନରାବୃତ୍ତି ନ ହୁଏ ତାହା ସୁନିଶ୍ଚିତ କରିବୁ ବୋଲି ଶାହରୁଖଙ୍କୁ ମୁଁ ଆଶ୍ୱସ୍ତ କରିଛି।’
ଶାହରୁଖ୍ଙ୍କ ଫିଲ୍ମ ବିରୋଧରେ ଦକ୍ଷିଣପନ୍ଥୀ କର୍ମୀମାନେ ଉଗ୍ର ପ୍ରତିବାଦ ପ୍ରଦର୍ଶନ ବିଷୟରେ ଗତକାଲି ଗୌହାଟିରେ ସାମ୍ବାଦିକମାନ ପଚାରିବାରୁ ଉତ୍କ୍ଷିପ୍ତ ହୋଇ ଶର୍ମା କହିଥିଲେ, ଶାହରୁଖ୍ ଖାନ୍ କିଏ? ମୁଁ ତାଙ୍କ ବିଷୟରେ କି ‘ପଠାନ୍’ ଫିଲ୍ମ ବିଷୟରେ କିଛି ଜାଣେନି।
ଖାନ୍ ବଲିଉଡ୍ର ସୁପର୍ଷ୍ଟାର୍ ବୋଲି କହିବାରୁ ସେ କହିଥିଲେ, ରାଜ୍ୟବାସୀ ବଲିଉଡ୍ ନୁହେଁ, ଆସାମୀ ଚଳଚ୍ଚିତ୍ର ପ୍ରତି ଯତ୍ନବାନ ହେବା ଉଚିତ। ଯେତେବେଳେ କିଛି ସମସ୍ୟା ଆସେ ବଲିଉଡ କଳାକାର ମୋତେ କଲ କରନ୍ତି। ଯଦି ଶାହରୁଖ ମୋତେ ଫୋନ୍ କରନ୍ତି ତେବେ ଏହି ଘଟଣାକୁ ମୁଁ ଗମ୍ଭୀରତାର ସହ ନେବି।
ସୂଚନାଯୋଗ୍ୟ, ଗୌହାଟିରେ ଏକ ହଲ୍ ବାହାରେ ଶାହରୁଖ୍ ଖାନ୍ଙ୍କ ଅଭିନୀତ ‘ପଠାନ’ ଫିଲ୍ମ ପଠାନକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିଲା। ଏପରିକି ଫିଲ୍ମର ପୋଷ୍ଟର ଚିରିବା ସହ କିଛି ସାମାଜିକକର୍ମୀ ତାକୁ ଜଳାଇ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
