ସୁସ୍ମିତା ବାନାର୍ଜୀଙ୍କୁ ୨୫ ବର୍ଷ ବୟସ ହୋଇଥାଏ। ପଶ୍ଚିମବଙ୍ଗର କୋଲକାତାରେ ଗୋଟିଏ ଥିଏଟରରେ ରିହର୍ସଲ ବେଳେ ତାଙ୍କର ଦେଖା ଆଫଗାନିସ୍ତାନର ଜାମବାଜ ଖାନଙ୍କ ସହ ହୁଏ। ଜାମବାଜ ଭାରତରେ ଋଣ ଦେବା କାମ କରନ୍ତି। ସୁସ୍ମିତା ଓ ଜାମବାଜ ସପ୍ତାହକୁ ଗୋଟିଏ ଦିନ ଦେଖା ହୁଅନ୍ତି ଓ ପ୍ରାୟ ୧ ଘଣ୍ଟା ଏକାଠି ବିତାନ୍ତି। କଫି ପିଇବା ଓ ପେଷ୍ଟ୍ରୀ ଖାଉ ଖାଉ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଗଭୀର ବନ୍ଧୁତା। ସେମାନେ ପରସ୍ପରକୁ ଜାଣିବାକୁ ଲାଗିଥିଲେ।
କାହାଣୀ ଏତିକିରେ ସରିନି। ଏହି ବନ୍ଧୁତା ପ୍ରେମର ରୂପ ନେଇଥିଲା। ଦୁହେଁ ବାହା ବି ହୋଇଯାଇଥିଲେ। ଏହାପରେ ସୁସ୍ମିତା ନିଜକୁ ତାଲିବାନ ଶାସିତ ଆଫଗାନିସ୍ତାନର ଖାରାନା ଠାରେ ପାଇଥିଲେ। ୧୯୮୮ ମସିହା ଜୁଲାଇ ୨ରେ ଉଭୟ ଗୁପ୍ତ ଭାବେ ବିବାହ କରିଥିଲେ। ବାହାଘର ପରେ ଜାମବାଜ ତାଙ୍କୁ ଆଫଗାନିସ୍ତାନ ନେଇ ଯାଇଥିଲେ। ସୁସ୍ମିତା ହେଉଛନ୍ତି ଜଣେ ବେଙ୍ଗଲୀ ବ୍ରାହ୍ମଣ ପରିବାରର ଝିଅ। ସେ ଆଫଗାନ ମୁସଲିମ ଜାମବାଜଙ୍କୁ ଘର ଲୋକଙ୍କ ଇଚ୍ଛା ବିରୋଧରେ ବାହା ହୋଇଥିଲେ। ପରିବାର ଲୋକ ସେମାନଙ୍କ ବାହାଘର କଥା ଜାଣିବା ପରେ ଛାଡ଼ପତ୍ର କରାଇ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୁସ୍ମିତା କୋଲକାତା ଛାଡ଼ି ଜାମବାଜଙ୍କ ସହ କାବୁଲ ଚାଲି ଯାଇଥିଲେ।
ଜାମବାଜଙ୍କୁ ବିବାହ କରିବା ବେଳେ ସୁସ୍ମିତାଙ୍କୁ ୨୭ ବର୍ଷ ବୟସ ହୋଇଥିଲା। ବାହାଘର ପରେ ବି ସେ ଇସଲାମ ଧର୍ମ ଗ୍ରହଣ କରି ନଥିଲେ। ଆଫଗାନିସ୍ତାନକୁ ଆସିବାର ୩ ବର୍ଷରୁ କମ ସମୟ ହୋଇଥାଏ। ହଠାତ ଜାମବାଜ କାହାକୁ କିଛି ନ କହି କେଉଁ ଆଡ଼େ ଚାଲି ଯାଇଥିଲେ। ତାଙ୍କୁ ଆଫଗାନିସ୍ତାନ ଛାଡ଼ି ଭାରତକୁ ଆସିବାକୁ ପଡ଼ିଥିଲା। ଭାରତରେ ସେ ବ୍ୟବସାୟ କରୁଥିବାରୁ କାମ ପାଇଁ ଆସିବାକୁ ପଡ଼ିଥିଲା। କିନ୍ତୁ ସୁସ୍ମିତାଙ୍କୁ ଏକଥା ଜଣା ନଥିଲା। ଅନେକ ଆଶଙ୍କା ତାଙ୍କ ମନକୁ ଆସିଥିଲା। ଜାମବାଜ ଜଣେ ହିନ୍ଦୁଙ୍କୁ ବିବାହ କରିଥିବାରୁ ସମ୍ଭବତଃ ତାଲିବାନ ତାଙ୍କୁ ବନ୍ଦୀ କରି ନେଇଛି ବୋଲି ସେ ଭାବିଥିଲେ। କିନ୍ତୁ ଜାମବାଜ ନିଜ ଇଚ୍ଛାରେ ଭାରତ ଆସିଥିଲେ।
ସୁସ୍ମିତା ତାଲିବାନ ଶାସିତ ଆଫଗାନରେ ରହିବାକୁ ବାଧ୍ୟ ହୋଇଥିଲେ। ତାଲିବାନ ତା’ର ମହିଳା ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରି ଚାଲିଥାଏ। ଏହାକୁ ଦେଖି ସୁସ୍ମିତା ପୂରା ଭୟ କରି ଯାଇଥିଲେ। ତଥାପି ତାଙ୍କୁ ସେଠାରେ ରହିବାକୁ ପଡ଼ିଥିଲା।
ଏହି ଘଟଣା ଭାରତୀୟ ମହିଳା ଉଜମା ଅହମଦଙ୍କ ପାକିସ୍ତାନ କାହାଣୀ ଠାରୁ ବହୁତ ପୂର୍ବରୁ ଘଟିଥିଲା। ଉଜମା ସମାନ ସ୍ଥିତିରେ ପାକିସ୍ତାନର ଖାୟବର ପାଖତୁନଖ୍ୱାରେ ଫସି ଯାଇଥିଲେ। ସେଠାରୁ ସେ ବେଶ ନାଟକୀୟ ଢଙ୍ଗରେ ଭାରତକୁ ଫେରିଥିଲା। ଉଜମାଙ୍କ କାହାଣୀକୁ ଜନ ଆବ୍ରାହମ ଓ ସାଡିଆ ଖାତୀବଙ୍କ ଦ ଡିପ୍ଲୋମାଟରେ ଦେଖିବାକୁ ମିଳିବ। ଉଜମା ଭାରତ ଫେରି ପାରିଥିବାରୁ ନିଜକୁ ସୌଭାଗ୍ୟ ମଣିଥିଲେ। କିନ୍ତୁ ସୁସ୍ମିତାଙ୍କ ଘଟଣାରେ କିଛି ଭିନ୍ନ ଟ୍ୱିଷ୍ଟ ରହିଛି।
କାବୁଲିୱାଲାଙ୍କ ବେଙ୍ଗଲୀ କନ୍ୟା
ସୁସ୍ମିତା ବାନାର୍ଜୀ ୧୯୯୫ରେ ବେଶ ଚର୍ଚ୍ଚାକୁ ଆସିଥିଲେ। ତାଲିବାନ କବଳରୁ ସେ ଖସି ଆସିବାର କାହାଣୀ ବେଙ୍ଗଲ ଓ ପୂରା ଦେଶର ହେଡଲାଇନ୍ସ ବନିଥିଲା। କାବୁଲିୱାଲାଙ୍କ ବେଙ୍ଗଲୀ କନ୍ୟାରେ ସୁସ୍ମିତା ଆଫଗାନିସ୍ତାନର ପାହାଡ଼ରେ ତାଙ୍କ ଦିନ କେମିତି କଟୁଥିଲା, ସେକଥା ମନେ ପକାଇଥିଲେ। ତାଲିବାନର ଭୟ ଓ ଜାମବାଜ ଭାରତ ଆସିବା ପରେ ତାଙ୍କ ପରିବାର ଲୋକଙ୍କ ନିର୍ଯାତନା ସୁସ୍ମିତାଙ୍କ ଜୀବନକୁ ଏକପ୍ରକାରର ନର୍କ କରି ଦେଇଥିଲା। ଭାରତରେ ଥିବା ଜାମବାଜ କ୍ୟାସେଟରେ କଥା ରେକର୍ଡ କରି ସୁସ୍ମିତାଙ୍କ ପାଖକୁ ମାସେ ଗ୍ୟାପରେ ପଠାଉଥିଲେ। ଯୁଦ୍ଧ ଶେଷ ହୋଇଗଲା ପରେ ତୁମେ ଭାରତକୁ ଆସିବ ବୋଲି ଜାମବାଜ କହି ଚାଲିଥିଲେ।
ସୁସ୍ମିତା ଯେତେବେଳେ ତାଙ୍କ ସ୍ୱାମୀଙ୍କ ଘରେ ପହଞ୍ଚିଲେ ସେତେବେଳେ ସେଠାରେ ସେ ତାଙ୍କ ପ୍ରଥମ ପତ୍ନୀ ଗୁଲଗୁଟ୍ଟିଙ୍କୁ ଦେଖିଥିଲେ। ଜାମବାଜ ୧୦ ବର୍ଷ ତଳେ ତାଙ୍କୁ ବିବାହ କରିଥିଲେ। ଏହାକୁ ଦେଖି ସୁସ୍ମିତା ପୂରା ଚକିତ ହୋଇଯାଇଥିଲେ। କିନ୍ତୁ ସମସ୍ତଙ୍କ ସହ ରହିବାକୁ ଲାଗିଥିଲେ। ୨୦୦୩ରେ ସୁସ୍ମିତା ବାନାର୍ଜୀ ରେଡିଫ.କମକୁ କହିଥିଲେ ଯେ “ଗୁଲଗୁଟ୍ଟି ବେଶ ଶାନ୍ତ, ଲାଜକୁଳି ଓ ବଢ଼ିଆ। ସେ ମୋତେ ସାହିବ କମଲ ଡାକନ୍ତି।” ନିଜ ବହିରେ ସୁସ୍ମିତା ଲେଖିଛନ୍ତି ଯେ ସାହିବ କମଲର ସମ୍ଭାବ୍ୟ ଅର୍ଥ ସାହିବ କା ମାଲ। ସୁସ୍ମିତାଙ୍କୁ ଗୁଲଗୁଟ୍ଟି, ଜାମବାଜଙ୍କ ୩ ଜଣ ଭାଇ ଓ ସେମାନଙ୍କ ପତ୍ନୀମାନଙ୍କ ସହ ରହିବାକୁ ପଡ଼ିଥିଲା।
ସମୟକ୍ରମେ ତାଲିବାନର ଅତ୍ୟାଚାର ବଢ଼ି ଚାଲିଥିଲା। ସେମାନେ ନୂଆ ନିୟମ ଲାଗୁ କରିବା ଆରମ୍ଭ କରିଥିଲେ। ପୁରୁଷମାନଙ୍କୁ ବାଧ୍ୟତାମୂଳକ ଭାବେ ଦାଢ଼ି ରଖିବାକୁ କୁହାଯାଇଥିଲା। ମହିଳାମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଖବରକାଗଜକୁ ଚିରା ଯାଇଥିଲା, ରେଡିଓ ବ୍ୟାନ ହୋଇଥିଲା ଓ ବହିଗୁଡ଼ିକୁ ଜାଳି ଦିଆଯାଇଥିଲା। ପୁରୁଷମାନେ ଦିନକୁ ୫ଥର ମସଜିଦ ଯିବେ ଓ ମହିଳାମାନେ ହସ୍ପିଟାଲ ଯାଇ ପାରିବେ ନାହିଁ। କାରଣ ହସ୍ପିଟାଲରେ ପୁରୁଷ ଡାକ୍ତର ସେମାନଙ୍କୁ ସ୍ପର୍ଶ କରିବାର ଥିବାରୁ ମହିଳାମାନଙ୍କୁ ସେଠାକୁ ନ ଯିବାକୁ ତାଲିବାନ ନିର୍ଦ୍ଦେଶ ଦେଇଥିଲା।
ଜାମବାଜଙ୍କ ଘରେ ମଧ୍ୟ ସୁସ୍ମିତା ଅତ୍ୟାଚାର ସହିଥିଲେ। ଅନେକ ରାତି ସେ ଉଜାଗର ରହିଥିବା ବେଳେ ଦିନ ଦିନ ଧରି ତାଙ୍କୁ ଖାଇବାକୁ ମିଳେନି। ଜାମବାଜଙ୍କ ଘରେ ତାଙ୍କୁ ମାଡ଼ ମଧ୍ୟ ମରାଯାଏ। ଜାମବାଜଙ୍କ ଭାଇମାନେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଅନ୍ତି। ସୁସ୍ମିତା ତାଙ୍କ ସ୍ମୃତିରେ ଲେଖିଛନ୍ତି ଯେ “ସେମାନେ ମଣିଷ ନଥିଲେ। ମଣିଷ ରୂପରେ ଜଣେ ଜଣେ ରାକ୍ଷାସ। ସେଠାରେ ମୁଁ ଅଣଔପଚାରିକ ଭାବେ ବନ୍ଦୀ ଜୀବନ କାଟୁଥିଲି। କାରଣ ପୂରା ଦେଶ ଗୋଟିଏ ଜେଲରେ ପରିଣତ ହୋଇଥିଲା।”
ତାଲିବାନ ଆଖି ଆଗରେ ଗାଁର ଡାକ୍ତର
ଆଫଗାନିସ୍ତାନରେ ମହିଳା ଡାକ୍ତର ନାହାନ୍ତି କହିଲେ ଚଳେ। ଏହାର ଅର୍ଥ ତାଲିବାନ ନିର୍ଦ୍ଦେଶ ଅନୁସାରେ ମହିଳାଙ୍କର ଚିକିତ୍ସା ହୋଇପାରେନି। ଯଦି ମହିଳାମାନେ ଅସୁସ୍ଥ ହେଉଥିଲେ, ତା’ହେଲେ ସେମାନଙ୍କୁ ଘରେ ରହି ରହି ମରିବାକୁ ପଡ଼ୁଥିଲା। କାରଣ ପୁରୁଷ ଡାକ୍ତରମାନେ ସେମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ ବୋଲି ତାଲିବାନ ନିର୍ଦ୍ଦେଶ ଦେଇଥିଲା।
ସୁସ୍ମିତାଙ୍କ ପାଖରେ ନର୍ସିଂର ତାଲିମ ରହିଥିଲା। ଗାୟେନାକୋଲୋଜି ଉପରେ ସେ କିଛି ବହି ପଢ଼ିଥିଲେ। ଏହି ସବୁ ବିଦ୍ୟା ଆଫଗାନିସ୍ତାନରେ କାମରେ ଆସିଥିଲା। ମହିଳାଙ୍କ ଚିକିତ୍ସା ପାଇଁ ସେ ଅଣ୍ଟା ଭିଡ଼ିଥିଲେ। ତାଲିବାନ ସମସ୍ତ କଲେଜକୁ ବନ୍ଦ କରି ଦେଇଥିଲା। ତେଣୁ ମେଡିସିନ ଉପରେ କେହି ପଢ଼ି ପାରୁ ନଥିଲେ। ଏପରି ଏକ ପରିସ୍ଥିତିରେ ସୁସ୍ମିତା ନିଜର କ୍ଲିନିକ ଖୋଲିଥିଲେ ଓ ଏହି ବାହାନାରେ ସେମାନଙ୍କ ସହ ଚାଲିଥିବା ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାକୁ ପ୍ରବର୍ତ୍ତାଇଥିଲେ। କିଛି ତାଲିବାନ ଲୋକ ୧୯୯୫ରେ ତାଙ୍କ କ୍ଲିନିକକୁ ଠାବ କରିଥିଲେ। ଏହାକୁ ଭାଙ୍ଗି ଦେବା ସହ ସୁସ୍ମିତାଙ୍କୁ ପ୍ରବଳ ପିଟିଥିଲେ।
ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ସୁସ୍ମିତା ଆଫଗାନିସ୍ତାନରୁ ଖସି ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଲିବାନ କବଳରେ ଥିବା ଆଫଗାନିସ୍ତାନରୁ ଖସିବାକୁ ଚାହୁଁଥିଲେ। କିନ୍ତୁ ଏହା ଆଦୌ ସହଜ ନଥିଲା।
ଖସିବାର ପ୍ରଥମ ପ୍ରାୟସ: କିଛି ସମର୍ଥକଙ୍କ ସହାୟତାରେ ସୁସ୍ମିତା ଗୋଟିଏ ଜିପରେ ବସିଥିଲେ। ଉକ୍ତ ଗାଡ଼ି ତାଙ୍କୁ ପାକିସ୍ତାନର ଇସଲାମାବାଦକୁ ନେଇ ଯାଇଥିଲା। ସେଠାରେ ସେ ଭାରତୀୟ ହାଇକମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସବୁଠାରୁ ଚିନ୍ତା ଓ କ୍ରୋଧିତ କରିବା ଭଳି କଥା ହେଉଛି ଯେ ତାଙ୍କୁ ତାଲିବାନକୁ ଫେରାଇ ଦିଆଯାଇଥିଲା।
ଦ୍ୱିତୀୟ ପ୍ରୟାସ: ପୁଣି ଆଫଗାନିସ୍ତାନକୁ ଆସିଥିଲେ ହେଁ ଆଶା ହରାଇ ନଥିଲେ ସୁସ୍ମିତା। ସେ ପୁଣି ତାଲିବାନ କବଳରୁ ଖସିବାକୁ ଚାହିଁଥିଲେ। ଏଥର ତାଙ୍କୁ ରାତି ସାରା ଦୌଡ଼ିବାକୁ ପଡ଼ିଥିଲା। କିନ୍ତୁ ତାଙ୍କୁ ତାଲିବାନ ଗିରଫ କରି ନେଇଥିଲା। ସେ ଖସିଯିବାକୁ ପ୍ରୟାସ କରୁଥିବାରୁ ତାଲିବାନ ପୂରା ରାଗି ଯାଇଥିଲା। ଏଥିପାଇଁ ଗୋଟିଏ ଫତୱା ଜାରି କରାଯାଇଥିଲା। ୧୯୯୫ ମସିହା ଜୁଲାଇ ୨୨ରେ ତାଙ୍କୁ ମରିବାକୁ ପଡ଼ିବ ବୋଲି ତାଲିବାନ କହିଥିଲା।
ତୃତୀୟ ପ୍ରୟାସ: ଲୋକଙ୍କ ପାଇଁ କାମ କରୁଥିବାରୁ ଗାଁର ମୁଖିଆ ଡ୍ରନୈ ଚାଚା ସବୁବେଳେ ସୁସ୍ମିତାଙ୍କୁ ପସନ୍ଦ କରୁଥିଲେ। ଚାଚାଙ୍କ ପୁଅଙ୍କୁ ମଧ୍ୟ ତାଲିବାନ ହତ୍ୟା କରିଥିଲା। ତେଣୁ ସେ ତାଲିବାନ ବିରୋଧରେ ମୋର୍ଚ୍ଚା ସମ୍ଭାଳିଥିଲେ। ତୃତୀୟ ଥର ପାଇଁ ଯେଉଁ ଦିନ ସୁସ୍ମିତା ତାଲିବାନ କବଳରୁ ଖସିବାକୁ ଉଦ୍ୟମ କରିଥିଲେ ସେଦିନ ସେ ଗୋଟିଏ ଏକେ ୪୭ ଉଠାଇଥିଲେ ଓ ୩ ତାଲିବାନୀଙ୍କୁ ହତ୍ୟା କରିଥିଲେ। ଗାଁ ମୁଖିଆ ଚାଚା ତାଙ୍କୁ ଜିପ୍ରେ ବସାଇ କାବୁଲ ଆଣିଥିଲେ।
କାବୁଲ ନିକଟରେ ୧୫ ଜଣିଆ ତାଲିବାନ ଟିମ ସୁସ୍ମିତାଙ୍କୁ ଅଟକାଇ ଜେରା କରିଥିଲେ। ଯେହେତୁ ସେ ତାଙ୍କ ସ୍ୱାମୀଙ୍କ ଘର ଛାଡ଼ିଛନ୍ତି, ତେଣୁ ତାଙ୍କୁ ହତ୍ୟା କରାଯିବା ଉଚିତ ବୋଲି ତାଲିବାନ ସଦସ୍ୟ କହିଥିଲେ। “କିନ୍ତୁ ମୁଁ ଜଣେ ଭାରତୀୟ ହୋଇଥିବାରୁ ମୋ ଦେଶକୁ ଯିବାର ଅଧିକାର ମୋର ରହିଛି। ରାତି ତମାମ ମୋତେ ଜେରା କରାଯାଇଥିଲା। ସକାଳେ ମୋତେ ଭାରତୀୟ ଦୂତାବାସକୁ ନିଆଯାଇଥିଲା। ସେଠାରେ ମୋ ସୁରକ୍ଷାକୁ ନିଶ୍ଚିତ କରାଯାଇଥିଲା। ଏହାପରେ ମୋତେ ଭିସା ଓ ପାସପୋର୍ଟ ମିଳିଥିଲା।” ସୁସ୍ମିତା ଏକଥା ୧୯୯୮ ମସିହା ଆଉଟଲୁକ ସ୍ତମ୍ଭରେ ଲେଖିଥିଲେ।
ଭାରତର ରାଜଧାନୀ ଦିଲ୍ଲୀରେ ସୁସ୍ମିତାଙ୍କ ବିମାନ ଲ୍ୟାଣ୍ଡ କରିବା ବେଳେ ପ୍ରବଳ ବର୍ଷା ହେଉଥିଲା। ତଥାପି ସେ ଦିଲ୍ଲୀରୁ ସିଧା କୋଲକାତା ଯାଇଥିଲେ। ୧୯୯୫ ମସିହା ଅଗଷ୍ଟ ୧୨ରେ ସେ କୋଲାକାତାରେ ପହଞ୍ଚିଥିଲେ। ଏହାର ୩ ମାସ ପୂର୍ବରୁ ସେ ଆଫଗାନିସ୍ତାନ ଛାଡ଼ିବାକୁ ମାନସିକସ୍ତରରେ ନିଜକୁ ପ୍ରସ୍ତୁତ କରିଥିଲେ। କୋଲାକତା ଫେରିବା ପରେ ସୁସ୍ମିତା ସ୍ୱାମୀ ଜାମବାଜଙ୍କୁ ପାଇଥିଲେ। ଉଭୟ ଏକାଠି ରହିବା ଆରମ୍ଭ କରିଥିଲେ।
ପୁଣି ଆଫଗାନିସ୍ତାନ କଲେ
୧୮ ବର୍ଷ ଧରି ସୁସ୍ମିତା ବାନାର୍ଜୀ ଓ ଜାମବାଦ ଭାରତରେ ରହିଥିଲେ। ସେ ନିଜର ବହି ଓ ମନୀଷା କୋଇରାଲାଙ୍କ ଅଭିନୀତ ୨୦୦୩ ମସିହା ଏସକେପ ଫର୍ମ ତାଲିବାନ ସିନେମା ଉପରେ କାମ କରିଥିଲେ। ଏସବୁ ଭିତରେ ଆଫଗାନିସ୍ତାନ ମହିଳାଙ୍କ ପାଇଁ ସେ କିଛି କରିବାକୁ ଚାହୁଁଥିଲେ। ତାଙ୍କର ଆଶା ଥିଲା ଫିଲ୍ମଟି ମିଳିତ ଜାତିସଂଘର ଦୃଷ୍ଟିକୁ ଆସିବ ଓ ସେମାନେ କିଛି କରିବେ।
୨୦୧୩ରେ ସୁସ୍ମିତା କୋଲକାତାରେ ସପ୍ତାହକ ଯାଏ ଇଦ ପାଳନ କରିଥିଲେ। ଏହାପରେ ସ୍ୱାମୀଙ୍କ ଆଫଗାନିସ୍ତାନ ସ୍ଥିତ ଘରକୁ ପୁଣି ଯାଇଥିଲେ। ଜାମବାଜଙ୍କୁ ଆଫଗାନିସ୍ତାନରେ ରହିବାର ଥିଲା। ତେଣୁ ସୁସ୍ମିତା ମଧ୍ୟ ସେଠାକୁ ଯିବାକୁ ଚାହିଁଥିଲେ। ଏହି ସମୟରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ନିଜର ନାଁ ସାୟେଦା କମଳା ରଖିଥିଲେ।
୨୫ ଗୁଳି ଓ ନୀରବ କବର
ଆଫଗାନିସ୍ତାନକୁ ଫେରିବା ପରେ ସେ ପାକଟିକା ପ୍ରଦେଶରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାମ କରିବା ଆରମ୍ଭ କରିଥିଲେ। କାମ କରିବା ବେଳେ ସ୍ଥାନୀୟ ମହିଳାଙ୍କ ଜୀବନ ଶୈଳୀର ଶୁଟିଂ ମଧ୍ୟ କରୁଥିଲେ। ତାଲିବାନକୁ ଏହା ବହୁତ ବାଧିଥିଲା। ସେମାନେ ଖାରାନା ସ୍ଥିତ ଜାମବାଜଙ୍କ ଘରେ ପହଞ୍ଚିଥିଲେ। ୨୦୧୩ ସେପ୍ଟେମ୍ବର ୪ ତାରିଖ ରାତିର ଘଟଣା। ସେମାନେ ଘରେ ପଶି ଜାମବାଜଙ୍କୁ ବାହାରକୁ ଆଣିଥିଲେ।
ତାଙ୍କୁ ପ୍ରଥମେ ବାନ୍ଧି ପକାଇଥିଲେ। ଏହାପରେ ସୁସ୍ମିତାଙ୍କୁ ବାହାରକୁ ଆଣି ଆଖି ବୁଜା ଗୁଳି ମାଡ଼ କରିଥିଲେ। ତାଲିବାନ ପକ୍ଷରୁ ୨୫ଟି ଗୁଳି ସୁସ୍ମିତାଙ୍କୁ ମାଡ଼ କରାଯାଇଥିଲା। ମୃତଦେହକୁ ଗୋଟିଏ ମଦ୍ରାସା ନିକଟରେ ଫିଙ୍ଗି ସେମାନେ ଚାଲି ଯାଇଥିଲା। ମୃତଦେହକୁ ଜାମବାଜ ଓ ତାଙ୍କ ପରିବାର ଲୋକ ନୀରବରେ କବର ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।