Advertisment

ଅତିକ ଓ ଅଶରଫଙ୍କୁ ମାରିବା ପାଇଁ କେମିତି ଯୋଜନା କରିଥିଲେ ୩ ଯୁବକ?

ଅତିକ ଓ ଅଶରଫଙ୍କୁ କ୍ୟାମେରା ସାମ୍ନାରେ ହତ୍ୟା କରିବା ପାଇଁ ୩ ଯୁବକ ପୂର୍ବରୁ ହିଁ ଯୋଜନା କରି ସାରିଥିଲେ। ଏଥିପାଇଁ ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।

Atiq Ahmed

Atiq Ahmed

Advertisment

ପୁଲିସ୍‌ ଗାଡ଼ିରୁ ଓହ୍ଲାଇବାର ୪୦ ସେକେଣ୍ଡ ପରେ ଅତିକ ଅହମଦ ଓ ଅଶରଫଙ୍କୁ ୩ ଜଣ ଯୁବକ ଆଖିବୁଜା ଗୁଳିମାଡ଼ କରି ହତ୍ୟା କରିଛନ୍ତି। ଉଭୟ ହସ୍ପିଟାଲକୁ ମେଡିକାଲ ଚେକଅପ ପାଇଁ ପୁଲିସ୍‌ର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଯାଉଥିଲେ ହେଁ ସେମାନଙ୍କୁ ୩ ଜଣ ଯୁବକ ସାମ୍ବାଦିକ ବେଶରେ ଆସି ଗୁଳିମାଡ଼ କରିଥିଲେ।

Advertisment

ତେବେ ଅତିକ ଓ ଅଶରଫଙ୍କୁ କ୍ୟାମେରା ସାମ୍ନାରେ ହତ୍ୟା କରିବା ପାଇଁ ୩ ଯୁବକ ପୂର୍ବରୁ ହିଁ ଯୋଜନା କରି ସାରିଥିଲେ। ଏଥିପାଇଁ ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ସେମାନେ ନକଲି ସାମ୍ବାଦିକ ସାଜି ପରିଚୟପତ୍ର, କ୍ୟାମେରା ଓ ମାଇକ ଧରି ଦିନ ତମାମ ଅତିକ ଓ ଅଶରଫଙ୍କ ଗତିବିଧି ଉପରେ ନଜର ରଖିଥିଲେ। ହତ୍ୟାକୁ କେମିତି ସଫଳ ରୂପ ଦିଆଯାଇ ପାରିବ, ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ସେମାନେ କରିଥିଲେ।

ପୁଲିସ୍‌ର ସୂଚନା ଅନୁସାରେ, ଗୁଳି ଚଳାଇଥିବା ଲଭଲେଶ ତିୱାରି, ସନ୍ନି ଓ ଅରୁଣ ମୌର୍ଯ୍ୟ ସ୍ୱୀକାର କରିଛନ୍ତି ଯେ ସେମାନେ ଅତିକଙ୍କୁ ହତ୍ୟା କରିଛନ୍ତି। ଅଣ୍ଡରୱାଲର୍ଡରେ ପ୍ରସିଦ୍ଧି ଲାଭ କରିବା ପାଇଁ ସେମାନେ ଏପରି କରିଛନ୍ତି। ଅତିକ ଓ ଅଶରଫଙ୍କୁ ମାରିବା ପାଇଁ ୩ ଯୁବକ ଗୁରୁବାର ଠାରୁ ପ୍ରୟାଗରାଜ ଆସିଥିଲେ ଓ ଗୋଟିଏ ଲଜ୍‌ରେ ରହିଥିଲେ। ପୁଲିସ ଏବେ ଉକ୍ତ ଲଜ୍‌ ମ୍ୟାନେଜରଙ୍କୁ ପଚରାଉଚରା କରୁଛି।

Advertisment

ଅତିକ ଅହମଦ ଓ ଅଶରଫ ପୁଲିସ୍‌ ହେପାଜତରେ ଅଛନ୍ତି ଓ ସେମାନଙ୍କୁ ମେଡିକାଲ ଚେକଅପ ପାଇଁ ରାତିରେ ନିଆଯିବ ବୋଲି ଖବର ପାଇବା ପରେ ୩ ଯୁବକ ହତ୍ୟାକାଣ୍ଡ ଘଟାଇବାକୁ ଯୋଜନା କରିଥିଲେ। ଅତିକ ଓ ଅଶରଫଙ୍କ ଅତି ନିକଟରେ ପହଞ୍ଚିବା ପାଇଁ ଏକମାତ୍ର ବାଟ ହେଲା ସାମ୍ବାଦିକ ସାଜିବା। ଏଥିପାଇଁ ସେମାନେ ନକଲି ପରିଚୟପତ୍ର, କ୍ୟାମେରା ଓ ବୁମ ଯୋଗାଡ଼ କରିଥିଲେ। ଶନିବାର ଯୋଜନା ଅନୁସାରେ ସେ ଅନ୍ୟ ପ୍ରକୃତ ସାମ୍ବାଦିକମାନଙ୍କ ସହ ମିଶି ଅତିକ ଓ ଅଶରଫଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ଯୋଗାଡ଼ କରିଥିଲେ।

ଶେଷରେ ରାତି ପ୍ରାୟ ୧୦ଟା ବେଳେ ପ୍ରୟାଗରାଜର ମୋତିଲାଲ ନେହରୁ ଡିଭିଜନାଲ ହସ୍ପିଟାଲ ନିକଟରେ ସେମାନେ ଯୋଜନାକୁ ଚୂଡ଼ାନ୍ତ ରୂପ ଦେଇଥିଲେ। ଦୁଇ ଭାଇଙ୍କ ହାତରେ ହ୍ୟାଣ୍ଡକପ୍‌ ପକାଇ କିଛି ପୁଲିସ୍‌ କର୍ମଚାରୀ ସେମାନଙ୍କୁ ହସ୍ପିଟାଲକୁ ଚଲାଇ ଚଲାଇ ନେଇଥିଲେ। ଏହି ସମୟରେ ସାମ୍ବାଦିକମାନେ ଅତିକ ଓ ଅଶରଫଙ୍କ ବାଇଟ୍‌ ନେବାକୁ ଚେଷ୍ଟା କରୁଥିଲେ।

ପୁଅ ଅସଦଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ ଅତିକ ମତ ରଖୁଥିବା ବେଳେ ପୂର୍ବରୁ ସାମ୍ବାଦିକ ବେଶରେ ଥିବା ୩ ଯୁବକ ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ। ଘଟଣାସ୍ଥଳରେ ହିଁ ଅତିକ ଓ ଅଶରଫ ତଳେ ପଡ଼ି ଯାଇଥିଲେ। ସେମାନଙ୍କୁ ୩ ପଟୁ ଘେରି ଯାଇ ୩ ଯୁବକ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ।

ଅରୁଣ ମୌର୍ଯ୍ୟ ପ୍ରଥମେ ପଏଣ୍ଟ ବ୍ଲାଙ୍କରୁ ଅତିକଙ୍କ ମୁଣ୍ଡକୁ ଗୁଳି କରିଥିଲା। ଏହାପରେ ସେ ଅଶରଫ ଓ ଅତିକଙ୍କୁ ସନ୍ନି ଓ ଲଭଲେଶ ସହ ମିଶି ଗୁଳି ମାଡ଼ କରିଥିଲା। ଏହି ହତ୍ୟାକାଣ୍ଡ ପାଇଁ ୨୦ ରାଉଣ୍ଡ ଗୁଳି ମାଡ଼ କରାଯାଇଛି। ପୁଲିସ୍‌ ଗୋଟିଏ ହେଲେ ବି ଗୁଳି ଚଳାଇ ନାହିଁ। ଗୁଳିମାଡ଼ ଯୋଗୁ ଘଟଣାସ୍ଥଳରେ ଅତିକ ଓ ଅଶରଙ୍କ ମୃତ୍ୟୁ ଘଟିଥିଲା।

ପୁଲିସ୍‌ କହିଛି ଯେ ଗୁଳି ମାଡ଼ କରିଥିବା ୩ ଯୁବକଙ୍କ ଠାରୁ ୩ଟି ନକଲି ମିଡିଆ ପରିଚୟପତ୍ର, ଗୋଟିଏ ମାଇକ୍ରୋଫୋନ ଓ ଗୋଟିଏ କ୍ୟାମେରା ଜବତ କରାଯାଇଛି। ଗୁଳିମାଡ଼ ପରେ ୩ ଜଣ ଯାକ ବନ୍ଧୁକ ଫିଙ୍ଗି ଆତ୍ମସମର୍ପଣ କରିଥିଲେ। ତେବେ ଗୁଳିମାଡ଼ ବେଳେ ଗୋଟିଏ ଗୁଳି ଲଭଲେଶର ଗୋଡ଼ରେ ବାଜିଛି। ସେହିପରି ଜଣେ ସ୍ଥାନୀୟ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଉଭୟ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Uttar Pradesh Atiq Ahmed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe