Advertisment

Cyber Fraud: ୨୪୨ ଡେବିଟ କାର୍ଡ, ୫୮ ଫୋନ, ପୁଳାପୁଳା ଟଙ୍କା: କେମିତି ସାଇବର ସ୍କାମ ଦୁନିଆକୁ ଚଳାଉଥିଲେ ମା’-ପୁଅ?

ଏହି ନେଟୱର୍କର ଲିଙ୍କ ଦେଶରେ ହୋଇଥିବା ପ୍ରାୟ ୮୬୪ ସାଇବର ଅପରାଧ ସହ ରହିଛି। ପୂରା ନେଟୱର୍କର ମାଷ୍ଟରମାଇଣ୍ଡ ହେଉଛି ପ୍ରେମ ତନେଜା। ସେ ଦୁବାଇ ଭିତ୍ତିକ ଭାରତୀୟ ବୁକି। ଏକଦା ୨୦୧୩ ଆଇପିଏଲ ସ୍ପଷ୍ଟ ଫିକ୍ସିଂ ଘଟଣାରେ ମୁମ୍ବାଇ ପୁଲିସ ତା’କୁ ଗିରଫ କରିଥିଲା।

Cyber

ଗିରଫ ମା’-ପୁଅ

Advertisment

ବୟସ ମାତ୍ର ୨୨। ଅଧାରୁ ଛାଡ଼ିଥିଲେ ପାଠପଢ଼ା। ହେଲେ ବୁଦ୍ଧି ବେଶ ତୀକ୍ଷ୍ଣ। ‌ଏହି ବୁଦ୍ଧିକୁ ସେ ଲଗାଇଥିଲେ ସାଇବର ଅପରାଧ ଦୁନିଆରେ। ଜାଲ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଲୁଟୁଥିଲେ ଶହଶହ କୋଟି। ଏହାକୁ ବିଦେଶକୁ ପଠାଉଥିଲେ। ଏଥିରେ ୨୨ ବର୍ଷୀୟ ପୁଅକୁ ସବୁ ପ୍ରକାରର ସହାୟତା କରୁଥିଲେ ତାଙ୍କ ମା’।

Advertisment

ସାଇବର ସ୍କାମ(Cyber Fraud) ଦୁନିଆର ଏହି ମା-ପୁଅ ଯୋଡ଼ିଙ୍କୁ ଏବେ ବେଙ୍ଗାଲୁ ପୁଲିସ୍‌ର ସ୍ପେଶାଲ ଟିମ ଗିରଫ କରିବାକୁ ସକ୍ଷମ ହୋଇଛି। ୨୨ ବର୍ଷୀୟ ମହମ୍ମଦ ଉଜୈଫ ହେଉଛନ୍ତି ଅଧାରୁ ପାଠ ଛାଡ଼ିଥିବା ବିକମ ଛାତ୍ର। ତାଙ୍କ ମା’ଙ୍କ ନାଁ ହେଲା ସବନା ଅବଦୁଲ ବାରୀ। 

ତଦନ୍ତରୁ ଜଣାପଡ଼ିଛି ଯେ ମହମ୍ମଦ ଉଜୈଫ ଦୁବାଇ ଭିତ୍ତିକ ଜଣେ ଭାରତୀୟ ଅପରେଟରଙ୍କ ପାଇଁ କାମ କରୁଥିଲା। ସେ ଜାଲ ଆକାଉଣ୍ଟକୁ ପରିଚାଳନା କରୁଥିବାରୁ ବାର୍ଷିକ ୨୫ ଲକ୍ଷ ଟଙ୍କା ପାଉଥିଲା। ହଜାର ହଜାର ବ୍ୟାଙ୍କ ଆକାଉଣ୍ଟକୁ ସନ୍ଦେହ କରୁ ନଥିବା ସାଧାରଣ ଲୋକଙ୍କ ନାଁରେ ଖୋଲାଯାଇ ଚାଲିଥିଲା ସାଇବର ଅପରାଧ।

Advertisment

ଉଜୈଫଙ୍କୁ ତାଙ୍କ ମା’ ପ୍ରାୟ ୪୨୦୦ ଏପରି ଆକାଉଣ୍ଟକୁ ନିୟନ୍ତ୍ରଣ କରିବାରେ ସବୁ ପ୍ରକାରର ସହାୟତା କରୁଥିଲେ। ଏହି ସବୁ ଆକାଉଣ୍ଟ ଜରିଆରେ ଏହି ମା’-ପୁଅ ଯୋଡ଼ି ପ୍ରାୟ ୨୪ କୋଟି ଟଙ୍କା ଅନ୍ୟତ୍ର ପଠାଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ସାଇବର ଠକେଇ ଜରିଆରେ ଏପରି ଟଙ୍କା ସେମାନେ ହାତେଇ ଥିଲେ। 

ପ୍ରଥମେ ଗୋଟିଏ ଛୋଟିଆ ଅପରେସନ ଭାବେ ସବୁ କିଛି ଆରମ୍ଭ ହୋଇଥିଲା। କିନ୍ତୁ ଏବେ ଏହି ସାଇବର ଅପରାଧର ଲିଙ୍କ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରହିଥିବା ଜଣାପଡ଼ିଛି। ପୁଲିସ୍‌ ଏହି ଘଟଣାରେ ଦିଲ୍ଲୀରୁ ଆଉ ୯ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏମାନେ ମା’-ପୁଅ ଯୋଡ଼ିଙ୍କୁ ଆକାଉଣ୍ଟକୁ ପରିଚାଳନା, ଡେବିଟ କାର୍ଡ ଲିଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ଓ ବିଦେଶୀକୁ କାର୍ଡ କୋରିୟର ଆଦି କାମ କରୁଥିଲେ। 

ଏମାନେ ସମସ୍ତେ ମିଳିତ ଭାବେ ୯ ହଜାର ଜାଲ ବ୍ୟାଙ୍କ ଆକାଉଣ୍ଟକୁ ବିଭିନ୍ନ ଲୋକଙ୍କ ନାଁରେ ଚଳାଉଥିଲେ। ଏହି ଆକାଉଣ୍ଟଗୁଡ଼ିକ ଦ୍ୱାରା ହୋଇଥିବା ୨୪୦ କୋଟି ଟଙ୍କାକୁ ଏବେ ଜବତ କରାଯାଇଛି। 

ବେଙ୍ଗାଲୁରୁ ସିଟି ପୁଲିସ୍‌ କମିଶନର ସୀମନ୍ତ କୁମାର ସିଂହଙ୍କ କହିବା କଥା ଯେ ଏହି ନେଟୱର୍କର ଲିଙ୍କ ଦେଶରେ ହୋଇଥିବା ପ୍ରାୟ ୮୬୪ ସାଇବର ଅପରାଧ ସହ ରହିଛି। ପୂରା ନେଟୱର୍କର(Cyber Crime) ମାଷ୍ଟରମାଇଣ୍ଡ ହେଉଛି ପ୍ରେମ ତନେଜା। ସେ ଦୁବାଇ ଭିତ୍ତିକ ଭାରତୀୟ ବୁକି। ଏକଦା ୨୦୧୩ ଆଇପିଏଲ ସ୍ପଷ୍ଟ ଫିକ୍ସିଂ ଘଟଣାରେ ମୁମ୍ବାଇ ପୁଲିସ ତା’କୁ ଗିରଫ କରିଥିଲା। ହେଲେ ଏହା ପର ଠାରୁ ସେ ଫେରାର ରହିଛି। 

ପୁଲିସ୍‌ ରେଡ ବେଳେ ୨୪୨ଟି ଡେବିଟ କାର୍ଡ, ୫୮ଟି ମୋବାଇଲ ଫୋନ, ୫୩୧ ଗ୍ରାମ ସୁନା ଅଳଙ୍କାର, ନଗଦ ୪.୯ ଲକ୍ଷ ଟଙ୍କା, ୯ଟି ଦାମୀ ହାତ ଘଣ୍ଟା, ୩୩ଟି ଚେକ ବହି, ୨୧ଟି ପାସବୁକ, ଗୋଟିଏ ଡିଜିଟାଲ ପେମେଣ୍ଟ ରିଙ୍ଗ ଓ କ୍ରିପ୍ଟୋକରେନ୍ସି ନେଣଦେଣର ତଥ୍ୟ ଜବତ କରିଛି। 

ପୁଲିସ୍‌ କହିଛି ଯେ ସେମାନେ ଗତବର୍ଷ ନଭେମ୍ବର ମାସରେ ଏନେଇ ଗୁଇନ୍ଦା ସୂଚନା ପାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ସର୍ଭେଲାନ୍ସ। ଏହି ସମୟରେ ଉଜୈଫ ଓ ତାଙ୍କ ମା’ ନିୟମିତ ସରକାରୀ ହସ୍ପିଟାଲକୁ ଯାଉଥିବା ଜଣାପଡ଼ିଥିଲା। ବିଶେଷ କରି ସେମାନେ ବିଭିନ୍ନ ପ୍ରସବ ୱାର୍ଡ ସହ କଲେଜକୁ ମଧ୍ୟ ଯାଉଥିଲେ। ସେଠାରେ ସେମାନେ ଲୋକଙ୍କୁ ୨ ରୁ ୫ ହଜାର ଟଙ୍କାର କମିସିନି ବଦଳରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ବୁଝାଉଥିଲେ। 

କମିସିନି ଲୋଭରେ ଆକାଉଣ୍ଟ ଖୋଲୁଥିବା ଲୋକଙ୍କ ପାସବୁକ, ଡେବିଟ କାର୍ଡ ଓ ଚେକ ବହି ମା’-ପୁଅ ନିଜ ପାଖରେ ରଖୁଥିଲେ। ଆକାଉଣ୍ଟ ଖୋଲୁଥିବା ଲୋକଙ୍କ ପାଇଁ ଏମାନେ ଫୋନ ନମ୍ବର ଦେଉଥିଲେ। ପାସବୁକ, ଡେବିଟ କାର୍ଡ ଓ ଚେକ ବହି ପାଇବା ପରେ ସେମାନେ ଏହାକୁ ଦିଲ୍ଲୀରେ ଥିବା ନିଜର ସହଯୋଗୀଙ୍କ ପାଖକୁ ପଠାଉଥିଲେ। ସେମାନେ ନେଣଦେଣ କଥା ବୁଝିବା ସହ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ବିଦେଶକୁ ପଠାଉଥିଲେ। 

ମା’-ପୁଅଙ୍କୁ ନଭେମ୍ବର ୨୯ରେ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଡିସେମ୍ବର ୧୭ରେ ଗିରଫ କରାଯାଇଥିଲା। ଏବେ ପୁଲିସ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତକୁ କେମିତି ଦୁବାଇରୁ ଗିରଫ କରାଯିବ, ସେନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। 

ଉଜୈଫ ଓ ସବନାଙ୍କ ବ୍ୟତୀତ ପୁଲିସ୍‌ ଉତ୍ତର ପ୍ରଦେଶର ଅଙ୍କିତ କୁମାର ସିଂହ, ବିହାରର ଅଜିତ କୁମାର ଯାଦବ, ରାଜସ୍ଥାନର ଅଭିଷେକ ସିଂହ ରାଠୋର, ରାଜସ୍ଥାନର ବିଶ୍ୱରାଜ ସିଂହ ଶେଖାୱତ, ରାଜସ୍ଥାନର କୁଶଲ ସିଂହ ଚୌହାନ, ଝାରଖଣ୍ଡର ସତ୍ୟମ କୁମାର ପାଣ୍ତେ, ଉତ୍ତର ପ୍ରଦେଶର ଆକାଶ ଜୈସୱାଲ, ରାଜସ୍ଥାନର ପ୍ରଦୀପ ସିଂହ ତନୱର, ରାଜସ୍ଥାନର ପୀତାମ୍ବର ସିଂହ ଓ ରାଜସ୍ଥାନର ଅଜୟ କୁମାରଙ୍କୁ ଗିରଫ କରିଛି। 

Cyber Crime Cyber Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe