/odisha-reporter/media/post_attachments/uploadimage/library/16_9/16_9_0/Cyber_1741958910.jpg)
Cyber
‘ଏହି ଆକାଉଣ୍ଟକୁ ତୁରନ୍ତ ୧.୯୫ କୋଟି ଟଙ୍କା ପଠାଅ।’ ହାଇଦ୍ରାବାଦର ଗୋଟିଏ କମ୍ପାନୀର ଆକାଉଣ୍ଟ ଅଫିସରଙ୍କୁ ହ୍ୱାଟସଆପରେ ଏମିତି ଗୋଟିଏ ମେସେଜ ଆସିଥିଲା। ମେସେଜକୁ ଦେଖିଲେ ଲାଗୁଥିଲା ଯେ ଏହା ଉପଯୁକ୍ତ ଲୋକଙ୍କ ପାଖରୁ ଆସିଛି। କମ୍ପାନୀର ଅଧ୍ୟକ୍ଷ ଓ ଏମଡି ଉପଯୁକ୍ତ କାରଣ ପାଇଁ ଏପରି ଟଙ୍କା ମାଗିଛନ୍ତି। ନୂଆ ପ୍ରୋଜେକ୍ଟ ପାଇଁ ସେ ଟଙ୍କା ମାଗୁଥିବା ଆକାଉଣ୍ଟ ଅଫିସର ମେସେଜ ଦେଖି ବୁଝିଥିଲେ। ଏମଡି ମସେଜ କରିଥିବାରୁ କାଳ ବିଳମ୍ବ ନ କରି ସେ ୧.୯୫ କୋଟି ଟଙ୍କା ପଠାଇଥିଲେ।
କେବଳ ମେସେଜଟି ଠିକ ନଥିଲା। ମେସେଜଟି ଏମଡିଙ୍କ ହ୍ୱାଟସଆପରୁ ଆସିଥିବା ସ୍ପଷ୍ଟ ଭାବେ ଦେଖାଯାଉଥିଲା। କାରଣ ତାଙ୍କ ଫଟୋ ଡିସପ୍ଲେ ସେକସନରେ ରହିଥିଲା। ହଠାତ୍ ଜଣେ ମେସେଜରେ କୌଣସି ତ୍ରୁଟି ଥିବା ଆଦୌ ଜାଣି ପାରିବେ ନାହିଁ। କିନ୍ତୁ ବାସ୍ତବରେ ସାଇବର ଠକମାନେ କମ୍ପାନୀର ଆକାଉଣ୍ଟ ଅଫସିରଙ୍କୁ ଏମଡିଙ୍କ ନାଁରେ ମେସେଜ କରି ପ୍ରାୟ ୨ କୋଟି ଟଙ୍କା ଠକେଇ କରିବାକୁ ମୁଡରେ ରହିଥିଲେ।
ଟଙ୍କା ସାଇବର ଠକଙ୍କ ଆକାଉଣ୍ଟକୁ ଚାଲି ଯାଇଥିଲେ ହେଁ ଏମଡି, କମ୍ପାନୀର କର୍ତ୍ତୃପକ୍ଷ ଓ ଆକାଉଣ୍ଟ ଅଫିସର ତୁରନ୍ତ ତେଲଙ୍ଗାନା ସାଇବର ସିକ୍ୟୁରିଟୀ ବ୍ୟୁରୋକୁ ଯୋଗାଯୋଗ କରିଥିଲେ। ତ୍ୱରିତ ପଦକ୍ଷେପ ଯୋଗୁ ଏତେ ପରିମାଣର ଟଙ୍କା ଠକେଇରୁ କମ୍ପାନୀ ବର୍ତ୍ତି ଯାଇଛି। ସେହିପରି ନିଜର ପୂରା ଟଙ୍କା ଫେରିବାକୁ ସକ୍ଷମ ହୋଇଛି।
ମେସେଜ ଅଫିସ ଆରମ୍ଭରୁ ମିଳିଥିଲେ ହେଁ ଟ୍ରାଞ୍ଜାକସନ ଦିନ ୧.୦୨ ମିନିଟରେ ଶେଷ ହୋଇଥିଲା। ଟ୍ରାଞ୍ଜାକସନ ପରେ କମ୍ପାନୀର ପ୍ରକୃତ ଏମଡିଙ୍କ ପାଖକୁ ବ୍ୟାଙ୍କରୁ ମେସେଜ ଯାଇଥିଲା। ଏତେ ଟଙ୍କା ଆକାଉଣ୍ଟରୁ କଟି ଥିବାରୁ ସେ ବ୍ୟସ୍ତ ହୋଇ ଆକାଉଣ୍ଟ ଅଫିସରଙ୍କୁ ଯୋଗାଯୋଗ କରିଥିଲେ। ଆକାଉଣ୍ଟ ଅଫିସର ତାଙ୍କୁ ହ୍ୱାଟସଆପ ମେସେଜ ସମ୍ପର୍କରେ କହିଥିଲେ। କିନ୍ତୁ ଏମଡି ଟଙ୍କା ପାଇଁ କୌଣସି ମେସେଜ କରି ନଥିବା କହିଥିଲେ।
ଏକଥା ଶୁଣି କମ୍ପାନୀ ତୁରନ୍ତ ଜାତୀୟ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ବା ଏନସିଆରପିରେ ଅଭିଯୋଗ ଦାଖଲ କରିଥିଲା। ଏନସିଆରପି ଆକ୍ସନ ମୋଡକୁ ଆସି ପ୍ରଥମେ ଟ୍ରାଞ୍ଜାକସନକୁ ନିଶ୍ଚିତ କରିଥିଲା ଓ ଏହାପରେ ଟଙ୍କାକୁ ଟ୍ରାକ ଆରମ୍ଭ କରିଥିଲା। କିନ୍ତୁ କିଛି ତଥ୍ୟ ଦିଆଯାଇ ନଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ଏନସିଆରପି ସମସ୍ୟାର ସମ୍ମୁଖୀନ ହୋଇଥିଲା।
କିନ୍ତୁ କମ୍ପାନୀ, ଏମଡି ଓ ବ୍ୟାଙ୍କର ନୋଡାଲ ଅଫିସରଙ୍କ ସହ କଥା ହୋଇ ଟ୍ରାଞ୍ଜାକସନ ହୋଇଥିବା ଆକାଉଣ୍ଟକୁ ଠାବ କରିଥିଲା। ଏହାପରେ ଚମତ୍କାର ଢଙ୍ଗରେ ପୂରା ୧.୯୫ କୋଟି ଟଙ୍କା ଫେରାଇ ଆଣିବାକୁ ସକ୍ଷମ ହୋଇଥିଲା। ସୌଭାଗ୍ୟ ବଶତଃ ସାଇବର ଲୁଟେରାମାନେ ଟ୍ରାନ୍ସଫର ହୋଇଥିବା ଟଙ୍କାରେ ହାତ ମାରି ନଥିଲେ। ଫଳରେ ପୂରା ୧.୯୫ କୋଟି ଟଙ୍କା କମ୍ପାନୀ ଫେରି ପାଇଛି।
ତେବେ ପ୍ରଥମଥର ପାଇଁ ଯେ ଏପରି ଘଟଣା ଘଟିଛି, ତାହା ନୁହେଁ। ଏହାପୂର୍ବରୁ ଅନେକ ସଚେତନା ସତ୍ତ୍ୱେ ଲୋକମାନେ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ସର୍ବଶ୍ୱ ହରାଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
