Advertisment

ଆଧୁନିକ ଲାହୋରର ଜନକ ସାର୍‌ ଗଙ୍ଗା ରାମ, ପାକିସ୍ତାନରେ ଏବେ ଚାଲିଛି ହସ୍ପିଟାଲ

ଦିଲ୍ଲୀରେ ଥିବା ପ୍ରସିଦ୍ଧ ସାର ଗଙ୍ଗା ରାମ ହସ୍ପିଟାଲ ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ସମାନ ଧରଣର ଆଉ ଗୋଟିଏ ହସ୍ପିଟାଲ ଲାହୋରରେ ବି ରହିଛି।

author-image
Hemant Lenka
Sir Ganga Ram

Sir Ganga Ram

ବିଭାଜନ ପରେ ଏମିତି କିଛି ହାତ ଗଣତି ବ୍ୟକ୍ତିତ୍ୱ ରହିଛନ୍ତି, ଯେଉଁମାନେ ନିଜର ଛାପ ସୀମାର ଦୁଇ ପାର୍ଶ୍ୱରେ ଛାଡ଼ିବାକୁ ସକ୍ଷମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସାର ଗଙ୍ଗା ରାମ। ଜଣେ ସିଭିଲ ଇଞ୍ଜିନିୟର ଓ ବଦାନ୍ୟ ବ୍ୟକ୍ତି ଭାବେ ସେ ବେଶ ପରିଚିତ ଥିଲେ। ତାଙ୍କର ସ୍ମୃତି ଓ ଛାପ ପାକିସ୍ତାନର ଲାହୋର ଓ ଭାରତର ଦିଲ୍ଲୀରେ ଏବେ ବି ରହିଛି।

Advertisment

ଦିଲ୍ଲୀରେ ଥିବା ପ୍ରସିଦ୍ଧ ସାର ଗଙ୍ଗା ରାମ ହସ୍ପିଟାଲ ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ସମାନ ଧରଣର ଆଉ ଗୋଟିଏ ହସ୍ପିଟାଲ ଲାହୋରରେ ବି ରହିଛି। ଲାହୋରରେ ଥିବା ଉକ୍ତ ହସ୍ପିଟାଲକୁ ୧୯୨୧ରେ ସାର ଗଙ୍ଗା ରାମ ନିର୍ମାଣ କରିଥିଲେ। ଏହାର ୩୦ ବର୍ଷ ପରେ ସାର ଗଙ୍ଗା ରାମଙ୍କ ସ୍ମୃତିରେ ଦିଲ୍ଲୀରେ ସମାନଧରଣର ହସ୍ପିଟାଲ ତିଆରି କରାଯାଇଥିଲା। ଏବେ ବି ଲାହୋରରେ ଥିବା ସାର ଗଙ୍ଗା ରାମ ହସ୍ପିଟାଲକୁ ଦୈନିକ ଶହଶହ ରୋଗୀ ଆସୁଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୯୪୭ ମସିହା ବିଭାଜନ ପରେ ପାକିସ୍ତାନରେ ଅନେକ ରାସ୍ତା, ପ୍ରତିଷ୍ଠାନ ଓ ଗୁରୁତ୍ୱପୂର୍ଣ୍ଣ ବିଲଡିଂର ନାଁ ବଦଳାଇ ଦିଆଯାଇଛି। ରକ୍ଷାଣବେକ୍ଷଣ ଅଭାବରୁ ଓ ଦୁର୍ବୃତ୍ତଙ୍କ ଉପଦ୍ରବ ଯୋଗୁ ଅନେକ ପ୍ରତିଷ୍ଠାନ ଧ୍ୱଂସ ପାଇଯାଇଛି। କିନ୍ତୁ ହାର୍ଟ ଅଫ ଲାହୋରରେ ଏବେ ବି ସାର ଗଙ୍ଗା ରାମ ହସ୍ପିଟାଲ ଅକ୍ଷତ ଅବସ୍ଥାରେ ରହିଛି। କାରଣ ସାର ଗଙ୍ଗା ରାମ ହେଉଛନ୍ତି ଆଧୁନିକ ଲାହୋରର ଜନକ।

Advertisment

ବିଭାଜନ ପରେ ଲାହୋରରେ ଥିବା ସାର ଗଙ୍ଗା ରାମଙ୍କ ବଙ୍ଗଳା ପୂରା ଅପରିଚତ ଅବସ୍ଥାରେ ରହିଥିଲା। ରକ୍ଷାଣବେକ୍ଷଣ ଅଭାବରୁ ଏହା ନଷ୍ଟ ହେବା ସ୍ଥିତିରେ ପହଞ୍ଚି ଯାଇଥିଲା। କିନ୍ତୁ ନିକଟରେ ଲାହୋରର ଜଣେ ବ୍ୟବସାୟୀ ଏହାକୁ ଠାବ କରିବା ସହ ଏହାର ନବୀକରଣ କରିଛନ୍ତି। ୨୦୨୪ ଜୁନ ମାସରେ ହିଁ ଗଙ୍ଗା ରାମ ହାବେଳୀର ନବୀକରଣ କାମ ଶେଷ ହୋଇଛି। ଗୁଲବର୍ଗରେ ଏତେ ବଡ଼ ଐତିହ୍ୟ ବଙ୍ଗଳା ଥିଲେ ହେଁ ଏବିଷୟରେ ଅଧିକାଂଶ ଲୋକ ଜାଣି ନଥିଲେ। ଏହାର ଐତିହାସିକ ଗୁରୁତ୍ୱକୁ ବୁଝି ପାରୁ ନଥିଲେ। କିନ୍ତୁ ବ୍ୟବସାୟୀ ଫରାଜ ଜୈଦି ଏବେ ସାର ଗଙ୍ଗା ରାମ ବଙ୍ଗଳାର ନବୀକରଣ କରି ଚର୍ଚ୍ଚାକୁ ଆସିଛନ୍ତି।

ଜୈଦି କହିଛନ୍ତି, “ଏପରି ଏକ ସ୍ଥାନ ହାର୍ଟ ଅଫ ଲାହୋରରେ ଅଛି ବୋଲି କେହି ଜାଣି ନଥିଲେ। ଗୋଟିଏ ଦିନ ମୁଁ ପାରୁଲ ଦତ୍ତା ନାମକ ଜଣେ ମହିଳାଙ୍କ ଫୋନ ଭାରତରୁ ପାଇଥିଲି। ସେ ସାର ଗଙ୍ଗା ରାମଙ୍କ ଅଣ ନାତୁଣୀ ବୋଲି ନିଜକୁ ପରିଚୟ ଦେଇଥିଲେ। ସେ ଫୋନରେ ମୋତେ ଧନ୍ୟବାଦ ଦେବା ସହ ୨୦ ବର୍ଷ ହେଲା ସେମାନେ ଗଙ୍ଗା ରାମ ବଙ୍ଗଳାକୁ ଖୋଜୁ ଥିଲେ ବୋଲି କହିଥିଲେ। ନବୀକରଣ ପରେ ସେ ଏହାକୁ ଠାବ କରିବାକୁ ସକ୍ଷମ ହୋଇଛନ୍ତି। ନିକଟରେ ସେ ଓ ତାଙ୍କର କିଛି ସମ୍ପର୍କୀୟ ଲାହୋର ଆସିବା ସହ ଆମ ସହ ୫ ଦିନ ରହିଥିଲେ। ସୀମା ସେପଟେ ଥିବା ଲୋକମାନେ ଆମେ ଏଠାରେ କରିଥିବା କାମକୁ ପ୍ରଶଂସା କରିବା ଖୁବ ସୁନ୍ଦର ଲାଗୁଛି।”

ଲାହୋରର ମଙ୍ଗତାନୱାଲା ଗାଁରେ ୧୮୫୧ ଜନ୍ମ ଗ୍ରହଣ କରିଥିବା ଗଙ୍ଗା ରାମ ଋରକୀ(ଉତ୍ତରାଖଣ୍ଡ)ରେ ଥିବା ଥୋମାସନ ଇଞ୍ଜିନିୟରିଂ କଲେଜରୁ ପାଠ ପଢ଼ା ଶେଷ କରିଥିଲେ। ତାଙ୍କ ନେତୃତ୍ୱ ଓ ପ୍ରାୟସ ଯୋଗୁ ଲାହୋର ଭତ୍ତିଭୂମିରେ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା। ସେ ଲାହୋର ସଂଗ୍ରହାଳୟ, ଏଟିକସନ କଲେଜ, ଜେନେରାଲ ପୋଷ୍ଟ ଅଫିସ ଭଳି ଐତିହାସିକ ବିଲଡିଂର ଡିଜାଇନ ଓ ନିର୍ମାଣ କରିଥିଲେ।

ଏବେ ସେଗୁଡ଼ିକ ଲାହୋରର ଶୋଭା ବଢ଼ାଇ ଚାଲିଛନ୍ତି। ଲାହୋରର ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ମଡେଲ ଟାଉନ ଅଞ୍ଚଳ ମଧ୍ୟ ତାଙ୍କ ନେତୃତ୍ୱରେ ହୋଇଛି। ଲାହୋରକୁ ନୂଆ ରୂପ ଦେବାରେ ସାର ଗଙ୍ଗା ରାମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ଲାହୋରର ମଡେଲ ଟାଉନରେ ତାଙ୍କର ଗୋଟିଏ ଷ୍ଟାଚ୍ୟୁ ମଧ୍ୟ ନିର୍ମାଣ କରାଯାଇଥିଲା। କିନ୍ତୁ ବିଭାଜନ ପରେ ଷ୍ଟାଚ୍ୟୁ କ’ଣ ହେଲା, ତା’ର ଖବର କାହା ପାଖରେ ନାହିଁ।

ସାର ଗଙ୍ଗା ରାମଙ୍କ ଦେହାନ୍ତ ୧୯୨୭ରେ ହୋଇଥିଲା। ଏହାପରେ ତାଙ୍କ ପରିବାର ଲୋକ ଲାହୋରରେ ରହୁଥିଲେ। କିନ୍ତୁ ୧୯୪୭ ବିଭାଜନ ପରେ ତାଙ୍କ ପରିବାର ସଦସ୍ୟ ଦିଲ୍ଲୀ ଚାଲି ଆସିଥିଲେ। ତଥାପି ସାର ଗଙ୍ଗା ରାମଙ୍କ ସ୍ମୃତି ଓ ଛାପ ଏବେ ବି ଲାହୋରରେ ରହିଛି।

Pakistan India Partition Of India Sir Ganga Ram Hospital