Madam
ଭାରତରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ଏକାଧିକ ୟୁଟ୍ୟୁବରଙ୍କୁ ଭାରତରେ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ୟୁଟ୍ୟୁବର ପାକିସ୍ତାନ ଗସ୍ତ କରିଥିଲେ। ଏବେ ସେମାନଙ୍କ ପାକିସ୍ତାନ ଗସ୍ତରେ କିଏ ସହଯୋଗ କରିଥିଲେ, ତା’ର ତଥ୍ୟ ସାମ୍ନାକୁ ଆସିଛି।
ଲାହୋରରେ ଟ୍ରାଭେଲ ଏଜେନ୍ସି ଖୋଲିଥିବା ଜଣେ ମହିଳା ହିଁ ଭାରତୀୟ ସୋଶାଲ ମିଡିଆ ଚେହେରାମାନଙ୍କୁ ପାକିସ୍ତାନ ଗସ୍ତରେ ସହାୟତା କରିଥିଲେ। ମହିଳା ଜଣଙ୍କ ଭାରତୀୟଙ୍କୁ ପ୍ରଲୋଭିତ କରି ନିଜ ଜାଲରେ ଫସାଉଥିଲେ ଓ ସେମାନଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା କାମରେ ନିୟୋଜିତ କରୁଥିଲେ। ସେ ମ୍ୟାଡମ ଏନ ନାମରେ ପରିଚିତ।
ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଇସାରାରେ କାମ କରୁଥିବା ମହିଳା ବ୍ୟବସାୟୀ ଜଣଙ୍କ ହେଲେ ନୋଶାବା ଶେହଜାଦ। ଲାହୋରରେ ତାଙ୍କ ଜୈୟାନ ଟ୍ରାଭେଲ ଓ ଟୁରିଜିମ ନାଁରେ ଗୋଟିଏ ସଂସ୍ଥା ରହିଛି। ସେ ଜ୍ୟୋତି ମାଲହୋତ୍ରାଙ୍କ ଭଳି ଭାରତୀୟ ୟୁଟ୍ୟୁବରମାନଙ୍କର ପାକିସ୍ତାନ ଗସ୍ତ କେମିତି ସୁଗମ ଓ ସହଜ ହେବ, ତା’ର ବ୍ୟବସ୍ଥା କରୁଥିଲେ।
ଆଇଏସଆଇରେ ସେ ମ୍ୟାଡାମ ଏନ୍ ଭାବେ ପରିଚିତ। ଭାରତରେ ଗିରଫ ହୋଇଥିବା ୟୁଟ୍ୟୁବରମାନଙ୍କୁ ଜେରା କରିବା ବେଳେ ଶେହଜାଦଙ୍କ ଖେଳ ସାମ୍ନାକୁ ଆସିଛି। ସେ ଭାରତରେ ପ୍ରାୟ ୫୦୦ ଜଣଙ୍କୁ ନେଇ ଗୋଟିଏ ବିଶାଳ ସ୍ଲିପର ସେଲ ତିଆରି କରିବା ଲକ୍ଷ୍ୟରେ ଥିଲେ। ଭାରତର ବିଭିନ୍ନ ସ୍ଥାନରେ ସେ ପାକିସ୍ତାନ ଗୁପ୍ତଚରଙ୍କୁ ଭାରତୀୟଙ୍କ ବେଶରେ ରଖିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।
ମ୍ୟାଡାମ ଏନଙ୍କ ସ୍ୱାମୀ ପାକିସ୍ତାନ ସରକାରଙ୍କ ପାଖରେ କାମ କରି ଅବସର ନେଇଛନ୍ତି। ତାଙ୍କୁ ପାକିସ୍ତାନ ଆର୍ମି ଓ ଆଇଏସଆଇ ପକ୍ଷରୁ ଭାରତରେ କେମିତି ସ୍ଲିପର ସେଲ ନେଟୱର୍କ ଚଳାଇବାକୁ ହେବ, ତା’ର ରଣକୌଣଳ ପ୍ରଦାନ କରୁଥିଲେ।
ସୂଚନା ଅନୁସାରେ ପାକିସ୍ତାନୀ ମହିଳା ନୋଶାବା ଶେହଜାଦ ଭାରତୀୟ ୟୁଟ୍ୟୁବର ଓ ସୋଶାଲ ମିଡିଆ ଚେହେରାଙ୍କୁ ନିଜ ଦେଶର ସେନା ଓ ଆଇଏସଆଇ ଅଧିକାରୀଙ୍କ ସହ ପରିଚିତ କରୁଥିଲେ। ତାଙ୍କ ଟାର୍ଗେଟରେ ହିନ୍ଦୁ ଓ ଶିଖ ସଂପ୍ରଦାୟର ଭାରତୀୟ ରହିଥିଲେ। ଗତ ୬ ମାସ ମଧ୍ୟରେ ନୋଶାବା ଶେହଜାଦ ପ୍ରାୟ ୩ ହଜାର ଭାରତୀୟ ଓ ୧୫୦୦ ଏନଆରଆଇଙ୍କୁ ପାକିସ୍ତାନ ଗସ୍ତ କରିବାରେ ସହାୟତା କରିଛନ୍ତି।
ନୋଶାବା ଶେହଜାଦଙ୍କ ପ୍ରଭାବ ଦିଲ୍ଲୀରେ ଥିବା ପାକିସ୍ତାନୀ ଦୂତାବାସରେ ମଧ୍ୟ ରହିଛି। ସେ ନିୟମିତ ଭାବେ ପ୍ରଥମ ସଚିବ(ଭିସା) ସୁହାଲି କମାର ଓ କାଉନସେଲର(ଟ୍ରେଡ) ଉମର ଶେହରୟାରଙ୍କ ସହ ଯୋଗାଯୋଗ କରୁଥିଲେ। ସେ ଯାହାକୁ ପାକିସ୍ତାନ ଆସିବା ଦରକାର ବୋଲି ଅନୁଭବ କରୁଥିଲେ କେବଳ ଗୋଟିଏ ଫୋନ କଲେ ସେମାନଙ୍କୁ ଭିସା ତୁରନ୍ତ ମିଳି ଯାଉଥିଲା।
ନୂଆଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସରେ କାମ କରୁଥିବା ଆଇଏସଆଇ ଏଜେଣ୍ଟ ଡାନିଶ ଓରଫ ଏହଶାନ ଉର ରେହମାନ ସହ ମ୍ୟାଡାମ ଏନଙ୍କର ଭଲ ସମ୍ପର୍କ ଥିଲା। ଡାନିଶ ପାକିସ୍ତାନ ଦୂତାବାସରେ ଭିସା ଅଫିସର ଭାବେ କାମ କରୁଥିଲା। ଭାରତୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ଡାନିଶକୁ ଭାରତ ସରକାର ବହିଷ୍କାର କରିଥିଲେ।
ଭାରତରୁ ପାକିସ୍ତାନକୁ ପର୍ଯ୍ୟଟନ ପଠାଇବାର କୌଣସି ବ୍ୟବସ୍ଥା ନାହିଁ। ସେହିପରି ଭାରତୀୟଙ୍କୁ ମଧ୍ୟ ପାକିସ୍ତାନ ଯିବାକୁ ଟୁରିଷ ଭିସା ଦେବାର କୌଣସି ପ୍ରକ୍ରିୟା ନାହିଁ। ହେଲେ ପାକିସ୍ତାନ ହାଇକମିଶନ ପକ୍ଷରୁ ମ୍ୟାଡାମ ଏନଙ୍କ ସୁପାରିସ ବଳରେ ଭାରତୀୟଙ୍କୁ ଭିସା ଦେଇଥାଏ।
ପାକିସ୍ତାନ ଆର୍ମି ଓ ଆଇଏସଆଇ ସହ ତାଙ୍କର ଲିଙ୍କ ମଧ୍ୟ ଭଲ ଭାବେ ବୁଝାପଡ଼ୁଛି। କାରଣ ତାଙ୍କର କମ୍ପାନୀ ଏକମାତ୍ର ଏଜେନ୍ସି ଯିଏ ଶିଖ ଓ ହିନ୍ଦୁ ତୀର୍ଥ ଯାତ୍ରୀଙ୍କୁ ପାକିସ୍ତାନ ଆଗମନର ଆୟୋଜନ କରିଥାଏ।
ନୋଶାବା ଶେହଜାଦ ସାଧାରଣ ଭାରତୀୟ ତୀର୍ଥ ଯାତ୍ରୀଙ୍କ ଠାରୁ ମୋଟ ଅଙ୍କର ଫି’ ନିଅନ୍ତି। ଏହି ପାକିସ୍ତାନର ଅପପ୍ରଚାରରେ ଖର୍ଚ୍ଚ କରନ୍ତି। ନିକଟରେ ସେ ଦିଲ୍ଲୀରେ କିଛି ଟ୍ରାଭେଲ ଏଜେଣ୍ଟମାନଙ୍କୁ ନିଯୁକ୍ତି ଦେଇଥିଲେ। ଏବେ ସେମାନେ ସୋଶାଲ ମିଡିଆରେ ତାଙ୍କ କମ୍ପାନୀର ପ୍ରଚାର କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Madam_1749125520.jpg)