/odisha-reporter/media/post_attachments/uploadimage/library/16_9/16_9_0/Trump_1754653143.jpg)
Trump
ଆମେରିକା ଧମକରେ ଯଦି ଭାରତୀୟ କମ୍ପାନୀଗୁଡ଼ିକ ରୁଷ ଠାରୁ ତେଲ ଆମଦାନୀ ବନ୍ଦ କରିଦେବେ, ତା’ହେଲେ ଏହା କେଉଁ ପ୍ରକାରର ପ୍ରଭାବ ପକାଇବ? ବିଶେଷ କରି ଭାରତର ତେଲ ଆମଦାନୀ ବିଲ କେତେରେ ପହଞ୍ଚିବ? ଏସ୍ବିଆଇ ପକ୍ଷରୁ ଗୋଟିଏ ରିପୋର୍ଟରେ ଏହାର ଆକଳନ କରାଯାଇଛି। ଏଥିରେ କୁହାଯାଇଛି ଯେ ୨୦୨୬ ଆର୍ଥିକ ବର୍ଷରେ ତେଲ ଆମଦାନୀ ବିଲ ୯ ବିଲିୟନ ଡଲାର ଓ ୨୦୨୭ ବେଳକୁ ଏହା ୧୨ ବିଲିୟନ ଡଲାରରେ ପହଞ୍ଚିଯିବ। ରିହାତିରେ ମିଳୁଥିବା ରୁଷ ତେଲର ଅନୁପସ୍ଥିତି ଯୋଗୁ ଭାରତରେ ତେଲର ଦାମ ମହଙ୍ଗା ମଧ୍ୟ ହୋଇପାରେ।
କ’ଣ ରହିଛି ସମସ୍ୟା?
ୟୁକ୍ରେନ ସହ ଯୁଦ୍ଧ କରିବା ଯୋଗୁ ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ କଟକଣା ଲଗାଇଛନ୍ତି। ଏଥିପାଇଁ ୨୦୨୨ରୁ ରୁଷ ଠାରୁ ଭାରତ ଶସ୍ତାରେ ତେଲ କିଣୁଛି। ରୁଷ ବ୍ୟାରେଲ ପିଛା ୬୦ ଡଲାର ଚାର୍ଜ କରି ରିହାତିରେ ତେଲ ଯୋଗାଣ କରୁଛି। ଏଥିପାଇଁ ଭାରତର ଶକ୍ତି ବିଲ ସଂରକ୍ଷିତ ହୋଇ ପାରୁଛି। ଏହି ଡିଲ ପାଇଁ ଭାରତର ପ୍ରମୁଖ ଯୋଗାଣକାରୀ ଦେଶ ପାଲଟି ଯାଇଛି ରୁଷ।
୨୦୨୦ରେ ରୁଷ ଠାରୁ ଭାରତ ୧.୭% ଅଶୋଧିତ ତୈଳ ଆମଦାନୀ କରିଥିଲା। କିନ୍ତୁ ୨୦୨୫ରେ ଏହା ୩୫.୧% ହୋଇଯାଇଛି। ୨୦୨୫ ଆର୍ଥିକ ବର୍ଷରେ ଭାରତ ମୋଟ ୨୪୫ ମିଲିୟନ ମେଟ୍ରିକ ଟନ୍ ଅଶୋଧିତ ତୈଳ ଆମଦାନୀ କରିଥିବା ବେଳେ ଏହା ମଧ୍ୟରେ ୮୮ ଏମଏମଟି କେବଳ ରୁଷରୁ ଆସିଛି। କିନ୍ତୁ ଭାରତ ୨୦୨୬ ଆର୍ଥିକ ବର୍ଷ ମଝିରେ ଯଦି କିଣିବା ବନ୍ଦ କରି ଦେବ, ତା’ହେଲେ ଚଳିତ ବର୍ଷ ଦେଶର ତୈଳ ଆମଦାନୀ ବିଲ ୯ ବିଲିୟନ ଡଲାରକୁ ବୃଦ୍ଧି ପାଇବ। ଆସନ୍ତାବର୍ଷ ଏହା ୧୧.୭ ବିଲିୟନ ଡଲାର ମଧ୍ୟ ଛୁଇଁପାରେ। ବିଶ୍ୱ ବଜାରରେ ତୈଳ ଦାମ ମଧ୍ୟ ବୃଦ୍ଧି ପାଇବ।
କାହିଁକି ବଢ଼ିବ ଦାମ?
ବିଶ୍ୱର ୧୦% ଅଶୋଧିତ ତେଲ ରୁଷ ସପ୍ଲାଏ କରୁଛି। ଯଦି ଭାରତ ସମେତ ଏକାଧିକ ଦେଶ ରୁଷ ଠାରୁ ତେଲ କିଣା ବନ୍ଦ କରିଦେବେ, ତା’ହେଲେ ଅଶୋଧିତ ତେଲର ଦାମ ୧୦% ବଢ଼ି ଯିବ। ଏଥିରେ କେବଳ ଭାରତ ନୁହେଁ, ବରଂ ପୂରା ବିଶ୍ୱ ପ୍ରଭାବିତ ହେବ। ଯଦି ଅନ୍ୟ ତୈଳ ଯୋଗାଣକାରୀ ରାଷ୍ଟ୍ର ନିଜର ଉତ୍ପାଦନ ବୃଦ୍ଧି କରିବେ ନାହିଁ, ତା’ହେଲେ ଏପରି ସ୍ଥିତି ସୃଷ୍ଟି ହେବ ବୋଲି ରିପୋର୍ଟରେ କୁହାଯାଇଛି।
ଭାରତ କ’ଣ କରିବ?
ସବୁଠାରୁ ଭଲ କଥା ହେଲେ ତେଲ ପାଇଁ ଭାରତ କେବଳ ଗୋଟିଏ ଦେଶ ଉପରେ ନିର୍ଭର କରୁ ନାହିଁ। ଭାରତ ପକ୍ଷରୁ ପ୍ରାୟ ୪୦ଟି ଦେଶରୁ ତେଲ ଅଣା ଯାଉଛି। ଏହା ମଧ୍ୟରେ ପାରମ୍ପରିକ ସପ୍ଲାଏର ଯଥା ଇରାକ, ସାଉଦି ଆରବ ଓ ୟୁଏଇ ରହିଛନ୍ତି। ଏହି ଦେଶଗୁଡ଼ିକ ବାର୍ଷିକ ଚୁକ୍ତି କରନ୍ତି। ତେଣୁ ଦରକାର ବେଳେ ଭାରତୀୟ କମ୍ପାନୀଗୁଡ଼ିକ ଅଧିକ ତେଲ ପାଇଁ ଆଗୁଆ ଚୁକ୍ତି କରିପାରିବେ।
ନୂଆ ଯୋଗାଣକାରୀ ଦେଶ ଯଥା ଗୁୟାନା, ବ୍ରାଜିଲ ଓ କାନାଡା ମଧ୍ୟ ସାମ୍ନାକୁ ଆସିଛନ୍ତି। ତେଣୁ ଭାରତ ପାଖରେ ଏକାଧିକ ବିକଳ୍ପ ରହିଛି। ଏହାକୁ ବ୍ୟବହାର କରି ଭାରତ ତା’ର ଶକ୍ତି କ୍ଷେତ୍ରର ସୁରକ୍ଷାକୁ ନିଶ୍ଚିତ କରିପାରିବ।
ରୁଷ ତେଲକୁ ବାଦ ଦେଲେ ମଧ୍ୟ ଭାରତ ନିଜର ଚାହିଦା ପୂରଣ ପାଇଁ ବର୍ତ୍ତମାନ ପରିସ୍ଥିତିରେ ସକ୍ଷମ। କିନ୍ତୁ ବିଶ୍ୱରେ ତେଲ ଦାମ ବୃଦ୍ଧି ପାଇଲେ, ଏହା ଭାରତର ଆମଦାନୀ ବିଲକୁ ପ୍ରଭାବିତ କରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
