/odisha-reporter/media/media_files/2026/01/19/noida-2026-01-19-16-32-37.jpg)
ଯୁବରାଜ ଓ ମୋନିନ୍ଦର
ସାମ୍ନାକୁ ଆସିଛି ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା। ଅତ୍ୟନ୍ତ ଥଣ୍ଡା ଓ କୁହୁଡ଼ି ସାଜିଛି ଧିମା ମୃତ୍ୟୁର ମୁଖସାକ୍ଷୀ। ରାଜଧାନୀ ଦିଲ୍ଲୀ ନିକଟ ଗ୍ରେଟର ନୋଏଡାର ଶୀତୁଆ ରାତିରେ ଜଣେ ଅସହାୟ ବାପା, ସ୍ଥାନୀୟ ଅଧିକାରୀ ଓ ଉଦ୍ଧାରକାରୀ ଟିମ ଆଗରେ ଜଣେ ୨୭ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନୟର ବୁଡ଼ି ଯାଇ ଆଖି ବୁଜିଛନ୍ତି।
ଧୀରେଧୀରେ ବୁଡ଼ୁଥିବା ନିଜର ଗ୍ରାଣ୍ଡ ଭିଟାରା କାର ଉପରେ ଛିଡ଼ା ହୋଇ ଯୁବରାଜ ମେହତା ନାମକ ୨୭ ବର୍ଷୀୟ ଇଞ୍ଜିନିୟର ସାହାଯ୍ୟ ମାଗୁଥିଲେ। ବାପା ବଞ୍ଚାଇ ଦିଅ। ମୁଁ ମରିବାକୁ ଚାହୁଁ ନାହିଁ ବୋଲି ଚିତ୍କାର କରିଥିଲେ। ପ୍ରାୟ ୯୦ ମିନିଟ ଧରି ସେ ଚିତ୍କାର କରିଥିଲେ ହେଁ କୌଣସି ଅଧିକାରୀ କିମ୍ବା ଉଦ୍ଧାରକାରୀ ଦଳ ଥଣ୍ଡା ଯୋଗୁ ପାଣିକୁ ଯାଇ ତାଙ୍କୁ ଉଦ୍ଧାର କରିବାକୁ ଚାହିଁ ନଥିଲେ। ଶେଷରେ ଯୁବରାଜ ସେଠାରେ ବୁଡ଼ି ଯାଇ ଆଖି ବୁଜିଛନ୍ତି।
ଘନ କୁହୁଡ଼ିକୁ ଯୋଗୁ ୨୦ ଫୁଟ ଗଭୀର ପାଣି ଭର୍ତ୍ତି ଖାତକୁ ଉଦ୍ଧାରକାରୀ ଟିମ ଯାଇ ନଥିଲେ ବୋଲି ସଫେଇ ଦେଇଛନ୍ତି। ଏହି ଖାତରେ ହିଁ ଯୁବରାଜଙ୍କ କାର ଖସି ପଡ଼ିଥିଲା। ତେବେ ସମାନ ସ୍ଥିତିରେ ଜଣେ ଡେଲିଭରୀ ଏଜେଣ୍ଟ ନିଜର ଅଦମ୍ୟ ସାହାସ ଦେଖାଇ ଯୁବରାଜଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ସହଯୋଗ କରିବାକୁ ଆଗେଇ ଆସିବା ବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା।
ଏହି ଘଟଣା ଅବହେଳା ଓ ପ୍ରସ୍ତୁତି ଉପରେ ଅନେକ ପ୍ରଶ୍ନ ଉଠାଇଛି। ଦୁର୍ଘଟଣା ସ୍ଥଳରେ ଥିବା ବିପଦକୁ ନେଇ ପୂର୍ବରୁ ନୋଏଡା ପ୍ରାଧିକରଣ ଅନେକ ଅଭିଯୋଗ ପାଇଥିଲା। କିନ୍ତୁ ଘଟଣା ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କରିବା କିମ୍ବା କ୍ଷତିଗ୍ରସ୍ତ ବାଡ଼କୁ ସଜାଡ଼ିବା ପାଇଁ କୌଣସି ପଦକ୍ଷେପ ମଧ୍ୟ ନେଇ ନଥିଲା।
ପୂରା ଘଟଣା ସମ୍ପର୍କରେ ଜାଣନ୍ତୁ
ଶନିବାର ରାତି ୧୨.୨୦ରେ ଦୁର୍ଘଟଣା ଘଟିଥିଲା। ଯୁବରାଜ ମେହତାଙ୍କ କାର କ୍ଷତିଗସ୍ତ କାନ୍ଥରେ ମାଡ଼ ହୋଇ ପାଣି ଭର୍ତ୍ତି ଖାତକୁ ଖସି ପଡ଼ିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଯୁବରାଜଙ୍କ ବାପା ରାଜ କୁମାର ଓ ପୁଲିସ, ଅଗ୍ନିଶମ ବାହିନୀ ଓ ଏସଡିଆରଏଫର ପ୍ରାୟ ୮୦ ଜଣ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ତୁରନ୍ତ କାମରେ ଲାଗିବା ବଦଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବେ କି ନାହିଁ, ତା’କୁ ନିଜ ନିଜ ଭିତରେ ବିତର୍କ ଆରମ୍ଭ କରିଥିଲେ।
ଏହି ସମୟରେ ଯୁବରାଜ ନିଜର ବୁଡ଼ି ଯାଉଥିବା କାର ଉପରେ ଛିଡ଼ା ହୋଇ କେବଳ ସାହାଯ୍ୟ ମାଗିବାରେ ଲାଗିଥିଲେ। ସେ ପ୍ରାୟ ୨ ଘଣ୍ଟା ଧରି ବଞ୍ଚାଇବାକୁ ନେହୁରା ହୋଇଥିଲେ। ତାଙ୍କ ବାପା ଖାତ ପାଖରେ ଛିଡ଼ା ହୋଇଥିଲେ ହେଁ କେବଳ ଅସହାୟତା ଅନୁଭବ କରିଥିଲେ। ଅଧିକାରୀମାନେ ସବୁ ଦେଖି ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସି ନଥିଲେ।
ଉଦ୍ଧାରକାର୍ଯ୍ୟ ପାଇଁ ଆସିଥିବା କର୍ମଚାରୀମାନେ ବିପଦର ଆଶାଙ୍କା କରିଥିଲେ। କୁହୁଡ଼ି ଓ ଅତ୍ୟନ୍ତ ଥଣ୍ଡା ଯୋଗୁ ସେମାନେ ପାଣିକୁ ଯିବାକୁ ଇଚ୍ଛା କରିନଥିଲେ। ସେହିପରି ଖାତରେ ଲୁହା ରଡ ଥିବା କଥା ସେମାନେ କହିଥିଲେ। ଏପରି ସ୍ଥିତିରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଅତ୍ୟନ୍ତ ବିପଦଜନକ ବୋଲି ସେମାନେ ମତ ରଖିଥିଲେ।
ଯୁବରାଜ ପାଣିରେ ବୁଡ଼ି ଆଖି ବୁଜିବା ପୂର୍ବରୁ ଶେଷ ଥର ପାଇଁ କହିଥିଲେ ଯେ “ପାପା ସାହାଯ୍ୟ କର। ମୁଁ ମରିବାକୁ ଚାହୁଁନାହିଁ।” ତାଙ୍କ କାନ୍ଦ ଓ ଚିତ୍କାର ରାତି ପ୍ରାୟ ୧.୪୫ରେ ନିରବୀ ଯାଇଥିଲା। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ ହେଁ ସେମାନଙ୍କ ଠାରୁ ଯୁବରାଜ ମାତ୍ର କିଛି ମିଟର ଦୂରରେ ବୁଡ଼ି ଯାଇଥିଲେ। ସବୁ କିଛି ଶେଷ ହେବା ପରେ ଓ ଘଟଣା ଘଟିବାର ୪ ଘଣ୍ଟା ପରେ ପାଣିରୁ ଯୁବରାଜଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।
ପାଣି ବହୁତ ଥଣ୍ଡା ଥିଲା
ରାତି ପ୍ରାୟ ୧.୪୫ରେ ଯୁବରାଜ ବୁଡ଼ି ଯିବା ପରେ ଡେଲିଭରୀ ଏଜେଣ୍ଟ ମୋନିନ୍ଦର ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣା ସ୍ଥଳରେ ଅଧିକାରୀଙ୍କ ବେପରୁଆ ଆଚରଣ ଯୋଗୁ ସେ ନିଜେ ସବୁ କିଛି କରିବାକୁ ଆଗେଇ ଯାଇଥିଲେ। ଯଦିଓ ତାଙ୍କ ପ୍ରୟାସ ବିଫଳ ହୋଇଥିଲା, କିନ୍ତୁ ଅନ୍ୟ ଅଧିକାରୀମାନେ ଯାହା କରିପାରି ନଥିଲେ, ସେ କାମକୁ ମୋନିନ୍ଦର ନିଜର ସାହାସ ବଳରେ କରିବାକୁ ଚେଷ୍ଟା କରିଥିଲେ।
ସେ କହିଛନ୍ତି, “ମୁଁ ରାତି ପ୍ରାୟ ୧.୪୫ରେ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଏସଡିଆରଏଫ କର୍ମଚାରୀମାନେ ଗୋଟିଏ ଶିଢ଼ିରେ ବସିଥିବା ଦେଖିବାକୁ ପାଇଥିଲି। ପାଣି ବହୁତ ଥଣ୍ଡା ଓ ଏହା ଭିତରେ ଲୁହା ରଡ ଥିବା ସେମାନେ କହିବା ସହ ଭିତରକୁ ଯିବାକୁ ମନା କରି ଦେଇଥିଲେ। ଯୁବକ ଜଣଙ୍କ ମୁଁ ଆସିବାର ୧୦ ମିନିଟ ପୂର୍ବରୁ ହିଁ ବୁଡ଼ି ଯାଇଥିଲେ।
ମୁଁ ସେମାନଙ୍କୁ ସାଇଡ ହେବାକୁ କହି ପାଣି ଭିତରକୁ ଯିବାକୁ ପ୍ରସ୍ତାବ ଦେଇଥିଲି। ସେମାନେ ସେଠାରୁ ଘୁଞ୍ଚିଥିଲେ ଓ ମୁଁ କପଡ଼ା ଖୋଲି ପାଣି ଭିତରକୁ ଯାଇଥିଲି। ମୁଁ ପ୍ରାୟ ୩୦ ମିନିଟ କାଳ ପାଣି ଭିତରେ ଖୋଜାଖୋଜି କରିଥିଲେ ହେଁ ଯୁବକ କିମ୍ବା ତାଙ୍କ କାରକୁ ପାଇ ନଥିଲି।
ଭୋର ପ୍ରାୟ ୫.୩୦ ଯାଏ ମୁଁ ସେଠାରେ ରହିଥିଲି। କିନ୍ତୁ ଅଧିକାରୀମାନେ ଯୁବକ କିମ୍ବା ତାଙ୍କ କାରକୁ ପାଣିରୁ ବାହାର କରିବାକୁ ସକ୍ଷମ ହୋଇ ନଥିଲେ। ଏହାପରେ ମୁଁ ଘରକୁ ଚାଲି ଯାଇଥିଲି। ତା’ପରେ କ’ଣ ହେଲା ମୁଁ ଜାଣିନି। ଯୁବକଙ୍କ ମୃତ୍ୟୁ ପାଇଁ ସରକାରୀ ବିଭାଗ ଗୁଡ଼ିକ ହିଁ ଦାୟୀ।
ଅଗ୍ନିଶମ କର୍ମଚାରୀଙ୍କ ପାଖରେ ସେଫ୍ଟୀ ଜ୍ୟାକେଟ ଓ ଦଉଡ଼ି ରହିଥିଲେ। କିନ୍ତୁ ସେମାନେ ଗୋଟିଏ ଇଞ୍ଚି ଆଗକୁ ବଢ଼ି ନଥିଲେ। ମୁଁ ସାହାଯ୍ୟ ପାଇଁ ପ୍ରସ୍ତାବ ଦେବାକୁ ସେମାନେ ମୋତେ ପହଁରା ଆସୁଛି କି ନାହିଁ ପ୍ରଶ୍ନ କରିଥିଲେ। ମୁଁ ହଁ ଭରିବା ପରେ ସେମାନେ ମୋତେ ପାଣିରେ ପଶିବାକୁ ଅନୁମତି ଦେଇଥିଲେ। ମୋ ଛଡ଼ା ଆଉ କେହି ବି ପାଣିକୁ ଯିବାକୁ ସାହାସ ଦେଖାଇ ନଥିଲେ।”
ମୋନିନ୍ଦର ନୋଏଡା(Noida) ପ୍ରାଧିକରଣକୁ ଯୁବରାଜଙ୍କ ମୃତ୍ୟୁ ପାଇଁ ଦାୟୀ କରିବାକୁ ଆଦୌ ପଛାଇ ନାହାନ୍ତି। ସେ କହିଛନ୍ତି, “ଏହି ଅଞ୍ଚଳ ଏତେ ବିପଦଜନକ ଯେ ଆଗରୁ ଜାଣି ନଥିବା ଯେକୌଣସି ଲୋକ ଘନ କୁହୁଡ଼ିରେ ଖାତରେ ଫସିବା ସୁନିଶ୍ଚିତ। ଖାତରେ ପଡ଼ିବାର ଆଶଙ୍କା ପୂରା ୧୦୦%। ଗାଡ଼ିକୁ ଅଟକାଇବା ପାଇଁ ଗୋଟିଏ କାନ୍ଥ ବି ଏଠାରେ ନାହିଁ। ଖାତଟି ସଂପୂର୍ଣ୍ଣ ଭାବେ ଖୋଲା। ପ୍ରାୟ ୧୫ ଦିନ ତଳେ ସମାନ ଘଟଣା ଘଟିଥିଲେ। ମୁଁ ସେତେବେଳେ ମଧ୍ୟ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲି।”
ଯୁବରାଜ ସାହାଯ୍ୟ ମାଗୁଥିବା ବେଳେ ଭିଡିଓ କରୁଥିଲେ ଲୋକେ
ଯୁବରାଜଙ୍କ ବାପା ରାଜକୁମାର ମେହତା ପୁଅ ବୁଡ଼ୁଥିବା ବେଳେ କେବଳ ଅସହାୟ ଅବସ୍ଥାରେ ଖାତ ନିକଟରେ ଉପସ୍ଥିତ ରହିଥିଲେ। ସେ କହିଛନ୍ତି, “ମୋ ପୁଅ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲା। ମୁଁ ଯେତେବେଳେ ବି ଫୋନରେ ତା’ ସହ କଥା ହେଉଥିଲି ସେ ପାପା ବଞ୍ଚାଅ, ପାପା ବଞ୍ଚାଅ କହୁଥିଲା। ସେ ସାହାଯ୍ୟ, ସାହାଯ୍ୟ ଚିତ୍କାର କରିଥିଲା।
ସେ ଆଶା କରିଥିଲା ଯେ ତା’ ଆଖପାଖରେ ଚିତ୍କାର ଶୁଣି ସହଯୋଗ ପାଇଁ ଆଗେଇ ଆସିବେ। ହେଲେ ଅଧିକାଂଶ ଲୋକ କେବଳ ଦେଖଣାହାରୀ ସାଜିଥିଲେ। କିଛି ଲୋକ ଘଟଣାର ଭିଡିଓ ମଧ୍ୟ କରୁଥିଲେ।”
ତାଙ୍କ କହିବା କଥା ଯେ ସେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଦୃଶ୍ୟମାନର ସ୍ଥିତି ଅତ୍ୟନ୍ତ ଖରାପ ରହିଥିଲା। ସେ ପୁଅକୁ ବାରମ୍ବାର ଡାକି ତାଙ୍କ ଗାଡ଼ି ଠାବ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ପୁଲିସ, ଅଗ୍ନିଶମ କର୍ମଚାରୀ ଓ ଏସଡିଆରଏଫ ଟିମ ଉପସ୍ଥିତ ଥିଲେ ମଧ୍ୟ କେହି ବି ତତ୍କାଳ କୌଣସି ପଦକ୍ଷେପ ନେଇ ନଥିଲେ। ସେମାନେ ଥଣ୍ଡା ପାଣି ଓ ସମ୍ଭାବ୍ୟ ଲୁହା ରଡ ଥିବା ଆଶଙ୍କାରେ ଭିତରକୁ ଯିବାକୁ ମନା କରି ଦେଇଥିଲେ ବୋଲି ରାଜ କୁମାର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
