Advertisment

୪୫ ଦିନରେ ୩୦ କୋଟି ଆୟ: କେମିତି ଗୋଟିଏ ବଡ଼ ନିଷ୍ପତ୍ତି ବଦଳାଇ ଦେଲା ନୌଚାଳକଙ୍କ ଭାଗ୍ୟ?

ସମସ୍ତେ ଫେବୃଆରୀ ୨୬ ମହାକୁମ୍ଭ ଶେଷ ହେବା ପରେ ଏହି ଖବର ସମ୍ପର୍କରେ ଜାଣିବାକୁ ପାଇଥିଲେ। ହେଲେ ଏହି ସଫଳତା ପଛର କାହାଣୀ ସମ୍ଭବତଃ ବହୁତ କମ ଲୋକଙ୍କୁ ଜଣାଥିବ।

author-image
Hemant Lenka
ଅଦ୍ୟତନ ହୋଇଛି
Mahakumbha

Mahakumbha

ନିକଟରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଶେଷ ହୋଇଛି ମହାକୁମ୍ଭ। ୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ ୬୬ କୋଟି ଲୋକ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ବିଶ୍ୱର କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଏତେ ସଂଖ୍ୟକ ଶ୍ରଦ୍ଧାଳୁ ଏକାଠି ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହି ୪୫ ଦିନିଆ ମହାକୁମ୍ଭ ମେଳାରେ ଜଣେ ନୌଚାଳକ ୩୦ କୋଟି ଟଙ୍କା ଆୟ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ସମସ୍ତ ଗଣମାଧ୍ୟମ ଏହାର ରିପୋର୍ଟ ପ୍ରକାଶ କରିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ନୌଚାଳକଙ୍କ ସମ୍ପର୍କରେ ବିଧାନସଭାରେ ମତ ରଖିଛନ୍ତି।

Advertisment

ଏସବୁ ନିଶ୍ଚିତ ପୁରୁଣା କଥା। ସମସ୍ତେ ଫେବୃଆରୀ ୨୬ ମହାକୁମ୍ଭ ଶେଷ ହେବା ପରେ ଏହି ଖବର ସମ୍ପର୍କରେ ଜାଣିବାକୁ ପାଇଥିଲେ। ହେଲେ ଏହି ସଫଳତା ପଛର କାହାଣୀ ସମ୍ଭବତଃ ବହୁତ କମ ଲୋକଙ୍କୁ ଜଣାଥିବ। ନୌଚାଳକ ପିଣ୍ଟୁ ମହରାଙ୍କ ଗୋଟିଏ ବଡ଼ ତଥା ରିସ୍କ ଭରା ନିଷ୍ପତ୍ତି କେମିତି ତାଙ୍କର ଓ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା, ଆସନ୍ତୁ ଜାଣିବା।

କୁହାଯାଏ ପ୍ରତିଟି ସଫଳତାର କାହାଣୀ ବେଶ କଷ୍ଟ ପରେ ଆରମ୍ଭ ହୋଇଥାଏ। କିଛି କାହାଣୀ ପାଇଁ ଟଙ୍କା ଋଣ କରିବାକୁ ପଡ଼େ, ରାତି ଅନିଦ୍ରା ହେବାକୁ ପଡ଼େ ଓ ଅନ୍ୟମାନଙ୍କ ତାଚ୍ଛଲ୍ୟ ଏବଂ ବିରୋଧକୁ ମଧ୍ୟ ସମ୍ମୁଖୀନ ହେବାକୁ ପଡ଼େ। ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ ଉପକୂଳ ଗାଁ ଅରୈଲ ଗାଁର ନୌଚାଳକ ପିଣ୍ଟୁ ମହରାଙ୍କ କ୍ଷେତ୍ରରେ ମଧ୍ୟ ସେମିତି କିଛି ଘଟିଥିଲା। ୨୦୨୫ ମହାକୁମ୍ଭ ପୂର୍ବରୁ ପିଣ୍ଟୁ ସବୁ କିଛି ବାଜିରେ ଲଗାଇ ଦେଇଥିଲେ।

Advertisment

ପରିବାର ସୁନା ଅଳଙ୍କାର ଓ ଜମି ବନ୍ଧା ପକାଇବା ଠାରୁ ଆରମ୍ଭ କରି ଋଣ କରିବାକୁ ପଛାଇ ନଥିଲେ। ସବୁ କିଛି ପରେ ମଧ୍ୟ ସଫଳତା ମିଳିବ କି ନାହିଁ, ତା’ର ଗ୍ୟାରେଣ୍ଟୀ ନଥିଲା। ତଥାପି ସେ ନିରବଚ୍ଛିନ୍ନ ଭାବେ ସବୁ କିଛି ବାଜି ଲଗାଇ ଜୀବନର ସବୁଠାରୁ ବଡ଼ ରିସ୍କ ନେଇଥିଲେ। ବାସ୍‌ ଏହି ରିସ୍କ ତାଙ୍କ ଭାଗ୍ୟ ବଦଳାଇ ଦେଇଛି। ୨୦୨୫ ମହାକୁମ୍ଭ ଶେଷ ହେବା ପରେ ସେ କୋଟି ପତି ତାଲିକାରେ ନିଜକୁ ସାମିଲ କରିପାରିଛନ୍ତି। ୪୫ ଦିନରେ ସେ ନୌ ସେବା ଲୋକଙ୍କୁ ଯୋଗାଇ ଦେଇ ୩୦ କୋଟି ଟଙ୍କା ଆୟ କରିଛନ୍ତି।

ରିସ୍କ ଦେଲା ସଫଳତା

ପ୍ରୟାଗରାଜର ନୌଚାଳକ ପିଣ୍ଟୁ ମହରାଙ୍କ ପାଇଁ ଏହା ନୂଆ ବ୍ୟବସାୟ ନୁହେଁ। କିନ୍ତୁ ଏଥର ମହାକୁମ୍ଭରେ ସେ କିଛି କରିବାର ସୁଯୋଗ ରହିଥିବା ଅନୁଭବ କରିଥିଲେ। ୨୦୧୯ ଅର୍ଦ୍ଧ ମହାକୁମ୍ଭରେ ନୌଚାଳକମାନେ କରିଥିବା ଆୟ କଥା ତାଙ୍କର ମନେ ପଡ଼ି ଯାଇଥିଲା। ତେଣୁ ସେ ୨୦୨୫ ମହାକୁମ୍ଭ ପାଇଁ ତାଙ୍କ ଡଙ୍ଗା ଚାଳନା ସେବାକୁ ସଂପ୍ରସାରିତ କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ବ୍ୟବସାୟର ପରିସୀମା ବୃଦ୍ଧି କରିବା ସହଜ ନଥିଲା। କାରଣ ଏଥିପାଇଁ ଦରକାର ଥିଲା ଲକ୍ଷାଧିକ ଟଙ୍କାର ନିବେଶ। ଦିନକୁ ନୌଚାଳନାରୁ ପିଣ୍ଟୁଙ୍କ ପରିବାର ୧ ହଜାରରୁ ୨ ହଜାର ଟଙ୍କା ଆୟ କରୁଥିଲେ। ତେଣୁ ଏହି ବ୍ୟବସାୟରେ ପ୍ରାୟ ୫୦ ଲକ୍ଷ ଟଙ୍କାର ନିବେଶ କରିବାକୁ ଚାହୁଁଥିବା ପିଣ୍ଟୁଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ତଥାପି ୪୫ ବର୍ଷୀୟ ପିଣ୍ଟୁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ। ମହାକୁମ୍ଭ ପୂର୍ବରୁ ତାଙ୍କ ପାଖରେ ୬୦ଟି ଡଙ୍ଗା ଥିଲା। ମହାକୁମ୍ଭରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଙ୍ଗମ ହେବାକୁ ଥିବାରୁ ସେ ଆଉ ୭୦ଟି ଡଙ୍ଗା କିଣିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରତିଟି ଡଙ୍ଗାର ମୂଲ୍ୟ ଥିଲା ୮୦ ହଜାର। ୭୦ଟି ଡଙ୍ଗା କିଣିବାକୁ ପିଣ୍ଟୁ ନିଷ୍ପତ୍ତି ନେଇଥିଲେ ହେଁ ତାଙ୍କ ପାଖରେ ଏଥିପାଇଁ ଆବଶ୍ୟକ ଟଙ୍କା ନଥିଲା। ତେଣୁ ତାଙ୍କୁ ଘରର ମହିଳାମାନଙ୍କ ଅଳଙ୍କାର ବିକ୍ରି କରିବାକୁ ପଡ଼ିଥିଲା। ପରିବାରର ଜମିକୁ ବନ୍ଧା ରଖିବାକୁ ପଡ଼ିଥିଲା। ଘରର ମହିଳାମାନେ ପ୍ରଥମେ ସେମାନଙ୍କ ଅଳଙ୍କାର ବିକ୍ରି କରିବାକୁ ଦେଇ ନଥିଲେ। ସେମାନେ ପିଣ୍ଟୁଙ୍କୁ ଜୋରଦାର ବିରୋଧ କରିଥିଲେ। ହେଲେ ପିଣ୍ଟୁଙ୍କ ନିଷ୍ପତ୍ତିକୁ ଏହା ବଦଳାଇ ପାରି ନଥିଲା।

ପିଣ୍ଟୁଙ୍କ କହିବା କଥା ଯେ ଅନେକ ପିଢ଼ିରୁ ତାଙ୍କ ପରିବାର ଡଙ୍ଗା ଚାଳନା ବ୍ୟବସାୟ କରି ଚାଲିଛନ୍ତି। ସେ କହିଛନ୍ତି, “୨୦୧୯ରେ ଯେଉଁଭଳି ଭାବେ ଶ୍ରଦ୍ଧାଳୁ କୁମ୍ଭ ମେଳା ବେଳେ ଏଠାକୁ ଆସିଥିଲେ, ତା’କୁ ଦେଖି ମୁଁ ଜାଣି ସାରିଥିଲେ ହେଁ ମହାକୁମ୍ଭରେ ଭୟଙ୍କର ଭିଡ଼ ହେବ। ତେଣୁ ମୋ ପରିବାର ପାଖରେ ଯାହା ବି କିଛି ଥିଲା ସବୁ କିଛି ମୁଁ ବାଜିରେ ଲଗାଇ ୭୦ଟି ଡଙ୍ଗା କିଣିଥିଲି। ଫଳରେ ଆମ ପରିବାର ଲୋକଙ୍କ ଡଙ୍ଗା ସଂଖ୍ୟା ମହାକୁମ୍ଭ ପୂର୍ବରୁ ୧୩୦ରେ ପହଞ୍ଚି ଯାଇଥିଲା। ଏହି ଡଙ୍ଗାଗୁଡ଼ିକରେ ସେବା ଯୋଗାଇ ଦେବା ପାଇଁ ମୁଁ ୩୦୦ ଜଣ ଯୁବକଙ୍କୁ ନିୟୋଜିତ କରିଥିଲି। ପ୍ରତିଟି ଟ୍ରିପ ପାଇଁ ୨ରୁ ୩ ଜଣ ଲୋକ ଆବଶ୍ୟକ ପଡ଼ୁଥିଲା। ଭୋର ସମୟରୁ ସନ୍ଧ୍ୟା ଯାଏ ଡଙ୍ଗାଗୁଡ଼ିକ ସେବା ଯୋଗାଉଥିଲେ।”

ପିଣ୍ଟୁଙ୍କ ପରିବାରରେ ୧୦୦ରୁ ଅଧିକ ସଦସ୍ୟ ରହିଛନ୍ତି। ପିଣ୍ଟୁଙ୍କ ନିଷ୍ପତ୍ତିକୁ ପରିବାରର ମହିଳାମାନେ ଅଟକାଇବାକୁ ଚେଷ୍ଟା କରିଥିଲେ। ଏପରି କି ତାଙ୍କ ମା’ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ବିରୋଧକୁ ପିଣ୍ଟୁ ଆଦୌ ଖାତିର କରି ନଥିଲେ।

କ’ଣ କହିଲେ ପିଣ୍ଟୁଙ୍କ ମା’?

ପିଣ୍ଟୁଙ୍କ ମା’ ୬୨ ବର୍ଷୀୟ ସୁଖଲାବତୀ ଦେବୀ ଏବେ ପୁଅର ସଫଳତାକୁ ପ୍ରଶଂସା କରିବାରେ ଲାଗିଛନ୍ତି। ସେ ପୁଅ ପାଇଁ ଗର୍ବ ଅନୁଭବ କରିଛନ୍ତି। ସେ କହିଛନ୍ତି, “କିଛି ବର୍ଷ ତଳେ ମୋ ସ୍ୱାମୀ ବଚା ମହରାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ଆମ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିଲା। ପାରିବାରିକ ବିବାଦ କାରଣରୁ ଅନେକ ବର୍ଷ ଧରି ଆମ ଉପରେ ଆକ୍ରମଣ ହୋଇଥିଲା। କିଛି ସଦସ୍ୟ ପ୍ରାଣ ମଧ୍ୟ ହରାଇଛନ୍ତି। ବିବାଦ ଓ ତଦନ୍ତ ଯୋଗୁ ସବୁ କିଛି ଠିକଠାକ ଚାଲି ନଥିଲା। କିନ୍ତୁ ଆମେ ଡଙ୍ଗା ଚଳାଇ ସେଥିରୁ ମୁକୁଳିଥିଲୁ। ଆମର ଆର୍ଥିକ ସ୍ଥିତି ସୁଧୁରି ଥିଲା। ମହା କୁମ୍ଭ ବେଳେ ମୋ ପୁଅ ଡଙ୍ଗା ଚାଳନା ପାଇଁ ଟେଣ୍ଡର ପାଇବା ପରେ ସବୁ କିଛି ବଦଳି ଯାଇଥିଲା। ପୂରା ପରିବାର ଖୁସି। ମହାକୁମ୍ଭରେ ଆମର ସଫଳତା ପରେ ମୁଁ ଆଖପାଖ ଅଞ୍ଚଳରେ ମିଠା ବାଣ୍ଟିଛି।”

ମିଡିଆ ରିପୋର୍ଟ ଅନୁସାରେ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଅଭିଜ୍ଞତା ନୌଯାତ୍ରା ଯୋଗୁ ଆହୁରି ସ୍ମରୀଣୟ ହୋଇପାରିଛି। ୬୬ କୋଟି ଲୋକ ମହାକୁମ୍ଭରେ ଯୋଗ ଦେଇଥିବାରୁ ବ୍ୟବସାୟଙ୍କ ଆୟ ଆଶା ଠାରୁ ଅଧିକ ହୋଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାନସଭାରେ ପିଣ୍ଟୁଙ୍କ ସଫଳତାର କାହାଣୀ ସମସ୍ତଙ୍କୁ କହିଥିଲେ। ସେ କହିଥିଲେ ଯେ “ଅନେକ ଡଙ୍ଗାର ମାଲିକାନା ଥିବା ଜଣେ ନୌଚାଳକଙ୍କ ପରିବାର ୪୫ ଦିନର ମହାକୁମ୍ଭରେ ୩୦ କୋଟି ଟଙ୍କା ଆୟ କରିଛନ୍ତି। ଏହାର ଅର୍ଥ ୪୫ ଦିନରେ ପ୍ରତି ଡଙ୍ଗାରୁ ୨୩ ଲକ୍ଷ ଲେଖାଏ ଆୟ ହୋଇଛି। ଦିନକ ପିଛା ହିସାବ କଲେ ଏହା ୫୦ରୁ ୫୨ ହଜାର ହେଉଛି।”

ସଫଳତା ପଛରେ ଟିମ ସଦସ୍ୟଙ୍କ କଠିନ ପରିଶ୍ରମ

ପିଣ୍ଟୁଙ୍କ ଐତିହାସିକ ସଫଳତା କେବଳ ଏକୁଟିଆ ତାଙ୍କ ପରିଶ୍ରମ ଯୋଗୁ ମିଳିନାହିଁ। ମହାକୁମ୍ଭରେ ପିଣ୍ଟୁଙ୍କ ସହ ଆ ୩୦୦ ଜଣ ତାଙ୍କ ଟିମ ସଦସ୍ୟ ଭାବେ କାମ କରୁଥିଲେ। ସେମାନେ ନୌ ସେବା ଯୋଗାଇ ଦେବା ସହ ଶ୍ରଦ୍ଧାଳୁମାନଙ୍କୁ ତ୍ରିବେଣୀ ସଙ୍ଗମରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେଉଥିଲେ। ଶ୍ରଦ୍ଧାଳୁଙ୍କ ନୌ ବିହାର ଠାରୁ ଆରମ୍ଭ କରି ବୁଡ଼ ପକାଇବା ଓ ଅନ୍ୟାନ୍ୟ କ୍ଷେତ୍ରରେ ବି ସେମାନେ ସହାୟତା କରୁଥିଲେ।

ଟିମର ସଦସ୍ୟମାନେ ଭୋର ସମୟରୁ ସନ୍ଧ୍ୟା ଟାଏ ତ୍ରିବେଣୀ ସଙ୍ଗମରେ କଠିନ ପରିଶ୍ରମ କରୁଥିଲେ। ଏହି ସମୟରେ କିଛି କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ। କିନ୍ତୁ ସେମାନେ ପଛ ଘୁଞ୍ଚା ଦେଇ ନଥିଲେ। ପିଣ୍ଟୁ କହିଛନ୍ତି, “୨୫୦ ଜଣ ଡଙ୍ଗା ଚାଳନା କରୁଥିବା ବେଳେ ଅନ୍ୟ ଭାଇମାନେ ମୋ ସହ ସବୁ ସମୟରେ ରହୁଥିଲେ। ଏହା ନିଶ୍ଚିତ ଭାବେ କଷ୍ଟକର ଥିଲା। କିନ୍ତୁ ଅଭିଜ୍ଞତାର ତୁଳନା ନଥିଲା।”

Uttar Pradesh Maha Kumbha Mela