/odisha-reporter/media/media_files/2026/02/05/adil-2026-02-05-16-47-26.jpg)
ନିହତ ଆଦିଲ
ପାକିସ୍ତାନ ଭିତ୍ତିକ ଆତଙ୍କବାଦକୁ ସୁରକ୍ଷାକର୍ମୀ ଦେଇଛନ୍ତି ସବୁଠାରୁ ବଡ଼ ଝଟକା। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ଜଣେ କୁଖ୍ୟାତ ଆତଙ୍କବାଦୀ ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାରେ ନିପାତ ହୋଇଛି। ନିହତ ଆଦିଲ ହେଉଛି ପାକିସ୍ତାନୀ। ସେ ଜୈଶ କମାଣ୍ଡର ସୈଫୁଲ୍ଲାର ଡାହାଣ ହାତ ଥିଲା। ଦୀର୍ଘ ୧୮ ମାସ ହେଲା ଆଦିଲ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଚାଲିଥିବା ବେଳେ ଶେଷରେ ବୁଧବାର ତା’ର ଖେଳ ଖତମ ହୋଇଛି।
ଆଦିଲ ଦୀର୍ଘ ସମୟ ଧରି କିସ୍ତୱାରର ପାହାଡ଼ିଆ ଅଞ୍ଚଳ, ପ୍ରାକୃତିକ ଗୁମ୍ଫା ଓ ଅସ୍ଥାୟୀ କ୍ୟାମ୍ପରେ ଲୁଚି ରହି ଆତଙ୍କୀ କାର୍ଯ୍ୟକଳାପକୁ ଜାରି ରଖିଥିଲା। କିନ୍ତୁ ବୁଧବାର ତ୍ରାଶି-୧ ବଳରେ ସୁରକ୍ଷାକର୍ମୀମାନେ ତା’କୁ ଛାଟ୍ରୋ ଅଞ୍ଚଳରେ ନିପାତ କରିଛନ୍ତି।
ଅପରେସନ ତ୍ରାଶି-୧ ଗୋଟିଏ ସପ୍ତାହ ହେଲା କରାଯାଉଛି। ଏହି ମିଳିତ ଅପରେସନରେ ଆର୍ମି, ଜମ୍ମୁ-କଶ୍ମୀର ପୁଲିସ୍ ଓ ସିଆରପିଏଫ ଯବାନ ସାମିଲ ରହିଛନ୍ତି। ଅପରେସନ ଚାଲିଥିବା ବେଳେ ବୁଧବାର ସନ୍ଧ୍ୟାରେ ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ବଡ଼ ସୂଚନା। ଗୁଇନ୍ଦା ସୂଚନା ପରେ ସୁରକ୍ଷାକର୍ମୀ ଛାଟ୍ରୋ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଏହି ସମୟରେ ଆଦିଲ ସହ ଗୁଳି ବିନିମୟ ଆରମ୍ଭ ହୋଇଥିଲା।
ଏହାପୂର୍ବରୁ ୨୦ଥର ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ସାରିଥିବା ଆଦିଲ ଏଥର କିନ୍ତୁ ଖସିବାକୁ ସକ୍ଷମ ହୋଇନଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ତା’ର ମୁଣ୍ଡ ଗଡ଼ିଛି। ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି, “ଏକାଧି ଥର ସେ କର୍ଡନକୁ ଭେଦ କରିବା ସହ ଏନକାଉଣ୍ଟର ସ୍ଥଳରୁ ଖସି ଚାଲିଯିବାକୁ ସକ୍ଷମ ହୋଇଥିଲା।
କିନ୍ତୁ ଏଥିର ସେ ଖସିବାକୁ ସଫଳ ହୋଇନାହିଁ। ଆଦିଲର ମୃତ୍ୟୁ ସ୍ଥାନୀୟ ଅଞ୍ଚଳକୁ ମଧ୍ୟ ଆଶ୍ୱସ୍ତ କରିଛି। କାରଣ ତା’ର ଆତଙ୍କର ପରିଣାମ ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ସାମ୍ନା କରୁଥିଲେ।”
ସୈଫୁଲ୍ଲାର ସନ୍ଧାନ ଜାରି
ସୁରକ୍ଷାକର୍ମୀଙ୍କ ଗୁଳି(Encounter)ରେ ଆଦିଲ ପ୍ରାଣ ହରାଇଥିବା ବେଳେ ତା’ର ସହଯୋଗୀ ସୈଫୁଲ୍ଲାକୁ ଏବେ ଖୋଜା ଚାଲିଛି। ଜୈଶ ଆତଙ୍କୀ ନିହତ ହେବା ପରଠାରୁ ସୈଫୁଲ୍ଲା ଫେରାର ରହିଛି। ଜୈଶ କମାଣ୍ଡର ସୈଫୁଲ୍ଲା ମଧ୍ୟ ଜଣେ ପାକିସ୍ତାନୀ। ୨ ବର୍ଷ ତଳେ ସେ ଭାରତରେ ଅନୁପ୍ରବେଶ କରିଥିଲା। ସେବେଠାରୁ ସେ କିସ୍ତୱାର ଓ ଡୋଡା ଅଞ୍ଚଳରେ ସକ୍ରିୟ ରହିଛି।
ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଏକାଧିକ ଆକ୍ରମଣରେ ସୈଫୁଲ୍ଲର ହାତ ରହିଛି। ସୁରକ୍ଷାକର୍ମୀଙ୍କ କହିବା କଥା ଯେ ସୈଫୁଲ୍ଲା ଜମ୍ମୁ-କଶ୍ମୀରରେ ଟେରର ନେଟୱର୍କକୁ ପୁଣି ସକ୍ରିୟ କରିବାକୁ ଚାହୁଁଛି। ଏଥିସହ ସେ ଯୁବଗୋଷ୍ଠୀଙ୍କୁ ପ୍ରଲୋଭିତ କରାଇ ବନ୍ଧୁକ ସଂସ୍କୃତି ଆଡ଼କୁ ଟାଣିବାକୁ ଚେଷ୍ଟା କରୁଛି। ଆଦିଲ ନିହତ ହେବା ପରେ ଛାଟ୍ରୋର ନର୍ଦ୍ଦନ ଦିଗ ଆଡ଼କୁ ଖସି ଯାଇଛି ସୈଫୁଲ୍ଲା। ତା’କୁ କାବୁ କରିବାକୁ ଏବେ ସୁରକ୍ଷାକର୍ମୀ ଲାଗି ପଡ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
