Advertisment

ରନୟା ରାଓ ଗିରଫ ଘଟଣାରେ ଟ୍ୱିଷ୍ଟ: କେମିତି ସ୍ମଗଲିଂ ପାଇଁ ଦୁବାଇରେ ମିଳିଥିଲା ସୁନା?

ଅଭିନେତ୍ରୀ ଜଣଙ୍କ ସକ୍ରିୟ ଭାବେ ସ୍ମଗଲିଂରେ ସାମିଲ ଥିଲେ ନା ସେ ସୁନା ସ୍ମଗଲିଂ ରାକେଟର ମୋହରା ସାଜି ଭୁଲରେ ଗିରଫ ହୋଇଛନ୍ତି? ସ୍ମଗଲିଂ ରାକେଟ ସହ ଅନ୍ତର୍ଜାତୀୟ ଲିଙ୍କ ରହିଛି କି ନାହିଁ, ତା’ର ତଦନ୍ତ ମଧ୍ୟ ସିବିଆଇ କରୁଛି।

author-image
Hemant Lenka
Ranya

Ranya

କନ୍ନଡ ଅଭିନେତ୍ରୀ ରନୟା ରାଓଙ୍କ ସୁନା ସ୍ମଗଲିଂ କେସ୍‌କୁ ନେଇ ହଇଚଇ ଜାରି ରହିଛି। ଘଟଣାରେ ପ୍ରତିଦିନ ନୂଆ ଟ୍ୱିଷ୍ଟ ଆସୁଥିବା ବେଳେ ରନୟାଙ୍କ ବୟାନରେ ରହୁନି ତାଳମେଳ। ଏଥିଯୋଗୁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଅନେକ ଅସମାହିତ ପ୍ରଶ୍ନ ଚ୍ୟାଲେଞ୍ଜ ସୃଷ୍ଟି କରିବାରେ ଲାଗିଛି। ରନୟା ରାଓଙ୍କୁ ୧୨.୫୬ କୋଟିର ସୁନା ବାର୍‌ ସହ ବେଙ୍ଗାଲୁରୁ ଏୟାରପୋର୍ଟରେ ୧୦ ଦିନ ତଳେ ଗିରଫ କରାଯାଇଥିଲା। କିନ୍ତୁ ଏଯାଏ ତଦନ୍ତ ଏଜେନ୍ସି ଘଟଣାର ମାଷ୍ଟରମାଇଣ୍ଡକୁ ଧରିପାରି ନାହିଁ। ସେହିପରି ରନୟା ରାଓ ସ୍ମଗଲିଂ ରାକେଟର ମୋହରା ଥିଲେ କି ନାହିଁ, ସେକଥା ସ୍ପଷ୍ଟ କରିପାରି ନାହିଁ।

Advertisment

ପ୍ରଥମଥର ସୁନା ସ୍ମଗଲିଂ କରିଥିବା କହିଲେ ରନୟା ରାଓ

ଅଭିନେତ୍ରୀ ରନୟା ନିକଟରେ ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବା ଡିଆରଆଇକୁ ଦେଇଥିବା ବୟାନରେ କହିଛନ୍ତି ଯେ ସେ ପ୍ରଥମଥର ପାଇଁ ଦୁବାଇରୁ ଭାରତକୁ ସୁନା ଚୋରା ଚାଲାଣ କରୁଥିଲେ। କିନ୍ତୁ ସେ ପୂର୍ବରୁ ବାରମ୍ବାର ଦୁବାଇ ଗସ୍ତ କରୁଥିବାରୁ ହିଁ ଡିଆରଆଇର ସନ୍ଦେହ ଦୃଷ୍ଟିକୁ ଆସିଥିଲେ। ଡିଆରଆଇ ସୂତ୍ର ଅନୁସାରେ ରନୟା ବର୍ଷକ ମଧ୍ୟରେ ୨୭ଥର ଦୁବାଇ ଗସ୍ତ କରିଛନ୍ତି। ସେହିପରି ସେ ୧୫ ଦିନରେ ୪ଥର ଦୁବାଇ ଯାଇଥିଲେ। ପ୍ରତି ଦୁବାଇ ଗସ୍ତ ସମୟରେ ସେ କେଜି କେଜି ଓଜନର ସୁନା ଚୋରାରେ ଭାରତକୁ ଆଣୁଥିଲେ।

ଦୁବାଇ କଷ୍ଟମ ବିଭାଗ ଦେଲା ସାଂଘାତିକ ତଥ୍ୟ

ଡିଆରଆଇ ହାତରେ ରନୟା ରାଓଙ୍କ ବିରୋଧରେ ସାଂଘାତିକ ତଥ୍ୟ ଦୁବାଇ କଷ୍ଟମ ବିଭାଗ ପକ୍ଷରୁ ମିଳିଛି। ରନୟା ସ୍ମଗଲିଂ କାର୍ଯ୍ୟକଳାପରେ ପୂର୍ବରୁ ସାମିଥିଲେ ବୋଲି ସେ ଗତବର୍ଷ ନଭେମ୍ବର ଓ ଡିସେମ୍ବର ମାସରେ ଦୁବାଇ କଷ୍ଟମରେ ଦାଖଲ କରିଥିବା ଘୋଷଣାପତ୍ରରୁ ସ୍ପଷ୍ଟ ହୋଇଛି। ଦୁବାଇ କଷ୍ଟମ ବିଭାଗ ପାଖରେ ଥିବା ରେକର୍ଡ ଅନୁସାରେ ରନୟା ନଭେମ୍ବର ୧୩ ଓ ଡିସେମ୍ବର ୨୦ରେ ଦୁଇ ଥର ସୁନା କିଣିଥିଲେ। ଦୁବାଇରୁ ସୁନା କିଣିବା ପରେ ସେ ସ୍ୱିଜରଲ୍ୟାଣ୍ଡର ଜେନେଭା ଯିବ ବୋଲି କଷ୍ଟମ ବିଭାଗକୁ ଜଣାଇଥିଲେ। କିନ୍ତୁ ଯାତ୍ରା ସୂଚୀରୁ ଜଣାପଡ଼ିଛି ଯେ ସେ ଦୁବାଇରୁ ଭାରତ ଆସିଥିଲେ। ଉକ୍ତ ସୁନାର ଉତ୍ସ ସମ୍ପର୍କରେ ରନୟା ସନ୍ତୋଷ ଜନକ ଉତ୍ତର ଡିଆରଆଇକୁ ଦେଇ ପାରିନାହାନ୍ତି।

Advertisment

ପ୍ରଥମେ ସ୍ୱୀକାର କଲେ, ପରେ ଫସାଇ ଦିଆଯାଇଥିବା କହିଲେ

ପ୍ରଥମଥର ଡିଆରଆଇକୁ ଦେଇଥିବା ବୟାନରେ ରନୟା ସୁନା ସ୍ମଗଲିଂକୁ ସ୍ୱୀକାର କରିଥିଲେ। ଏଥିସହ ସେ ଦୁବାଇ ବ୍ୟତୀତ ୟୁରୋପ, ଆମେରିକା ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକୁ ଗସ୍ତ କରିଥିବା କହିଥିଲେ। କିନ୍ତୁ ଏହାପରେ ଅଭିନେତ୍ରୀ ଜଣଙ୍କ ନିଜର ରଙ୍ଗ ଦେଖାଇବା ଆରମ୍ଭ କରିଛନ୍ତି। ତାଙ୍କୁ ସୁନା ସ୍ମଗଲିଂ ମାମଲାରେ ଫସାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି। ରନୟା ଅବଶ୍ୟ ତାଙ୍କୁ କିଏ ଫସାଇବାକୁ ଚାହୁଁଥିବା ସିଧାସଳଖ ନାଁ ନେଇ ନାହାନ୍ତି। କିନ୍ତୁ ୨ ସପ୍ତାହ ହେଲା ବିଦେଶରୁ ତାଙ୍କ ପାଖରୁ ଅଜଣା ନମ୍ବରରୁ ଫୋନ ଆସୁଥିବା କହିଛନ୍ତି। ଫଟୋଗ୍ରାଫୀ ଓ ରିୟଲ ଇଷ୍ଟେଟ ବ୍ୟବସାୟ ପାଇଁ ସେ ନିୟମିତ ବିଦେଶ ଗସ୍ତ କରୁଥିବା ମଧ୍ୟ ସଫେଇ ଦେଇଛନ୍ତି।

ରନୟା କହିଛନ୍ତି, “ମୁଁ ପ୍ରଥମଥର ପାଇଁ ଦୁବାଇରୁ ବେଙ୍ଗାଲୁରୁକୁ ସୁନା ଚାଲାଣ କରୁଥିଲି। ପୂର୍ବରୁ କେବେ ହେଲେ ଦୁବାଇରୁ ସୁନା ଆଣି ନଥିଲି କିମ୍ବା କିଣି ନଥିଲି। ମୋତେ ଫୋନ କରିଥିବା ବ୍ୟକ୍ତି ଜଣଙ୍କ ଭାଷାରୁ ସେ ଆଫ୍ରିକା କିମ୍ବା ଆମେରିକାର ହୋଇଥିବା ଭଳି ଲାଗୁଥିଲେ।”

ଏଠାରେ ପ୍ରଶ୍ନ ଉଠୁଛି ଯେ ଅଭିନେତ୍ରୀ ଜଣଙ୍କ ସକ୍ରିୟ ଭାବେ ସ୍ମଗଲିଂରେ ସାମିଲ ଥିଲେ ନା ସେ ସୁନା ସ୍ମଗଲିଂ ରାକେଟର ମୋହରା ସାଜି ଭୁଲରେ ଗିରଫ ହୋଇଛନ୍ତି? ସ୍ମଗଲିଂ ରାକେଟ ସହ ଅନ୍ତର୍ଜାତୀୟ ଲିଙ୍କ ରହିଛି କି ନାହିଁ, ତା’ର ତଦନ୍ତ ମଧ୍ୟ ସିବିଆଇ କରୁଛି।

ୟୁଟ୍ୟୁବରୁ ଶିଖିଥିଲେ ସୁନା ଲୁଚାଇ ଆଣିବା କଳା

ଜେରା ବେଳେ ରନୟା କହିଛନ୍ତି ଯେ ସେ ସୁନା ବାରଗୁଡ଼ିକ ଲୁଚାଇ ଆଣିବା କଳା ୟୁଟ୍ୟୁବରେ ଥିବା ଏକାଧିକ ଭିଡିଓରୁ ଶିଖିଥିଲେ। ସେ କରିଥିବା ଆଉ ଏକ ଦାବି ସମସ୍ତଙ୍କୁ ଚକିତ କରିଛି। ରନୟା ଦାବି କରିଛନ୍ତି ଯେ ସେ ଏୟାରପୋର୍ଟରୁ କ୍ରେପ ବ୍ୟାଣ୍ଡେଜ ଓ କଇଁଚି କିଣିଥିଲେ। ଏହାକୁ ବ୍ୟବହାର କରି ସୁନା ବାରକୁ ନିଜ ଶରୀରରେ ବାନ୍ଧି ଦେଇଥିଲେ। ଏଥିପାଇଁ ସେ ୱାଶରୁମ ବ୍ୟବହାର କରୁଥିଲେ। ରନୟା ନିଜର ଜିନ୍ସ ଓ ଜୋତାରେ ମଧ୍ୟ ସୁନା ବାର ଲୁଚାଇ ଆଣୁଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ରନୟା ରାଓ ୧୨.୫୬ କୋଟିର ସୁନା ବାରକୁ ନିଜର ସ୍ୱତନ୍ତ୍ର ଜ୍ୟାକେଟରେ ଆଣିଥିଲେ। ଏହି ଜ୍ୟାକେଟରେ ଗୋଟିଏ ଗୁପ୍ତ ପକେଟ ରହିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ବେଶ ଯୋଜନାବନ୍ଧ ଭାବେ ସୁନା ସ୍ମଗଲିଂ କରାଯାଉଥିଲା। ତେଣୁ ସୁନା ଚାଲାଣ କଳା ସେ ଭିଡିଓ ଦେଖି ଶିଖିଥିବା ଦାବି ସଂପର୍ଣ୍ଣ ଗୋଟିଏ ମନଗଡ଼ା କାହାଣୀ।

କେମିତି ସ୍ଗଗଲିଂ ପାଇଁ ଦୁବାଇରେ ଦିଆଯାଇଥିଲା ସୁନା? 

ଜେରା ବେଳେ ଜଣାପଡ଼ିଛି ଯେ ରନୟା ରାଓଙ୍କୁ ଗୋଟିଏ ଇଣ୍ଟରନେଟ କଲ ଆସିଥିଲା। କଲ କରିଥିବା ବ୍ୟକ୍ତି ତାଙ୍କୁ ଦୁବାଇ ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲ ୩ରେ ଥିବା ଗେଟ ଏରୁ ସୁନା ବାର ସଂଗ୍ରହ କରିବାକୁ କହିଥିଲେ। କଲ ପରେ ରନୟା ଧଳା ଗାଉନ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ଏୟାରପୋର୍ଟର ଡାଇନିଂ ଲାଉଞ୍ଜରେ ଭେଟିଥିଲେ ଓ ତାଙ୍କ ଠାରୁ ୨ଟି ପ୍ୟାକେଟ ନେଇଥିଲେ। ଏହି ପ୍ୟାକେଟରେ ସୁନା ବାରଗୁଡ଼ିକୁ ମୋଟା ପ୍ଲାଷ୍ଟକରେ ଗୁଡ଼ାଇ ରଖାଯାଇଥିଲା। ରନୟା କହିଛନ୍ତି ଯେ ଅଜଣା ବ୍ୟକ୍ତି ଜଣଙ୍କ ୬ ଫୁଟ ଉଚ୍ଚ ହୋଇଥିବା ବେଳେ ତାଙ୍କ ଭାଷା ଆମେରିକୀୟଙ୍କ ଭଳି ଲାଗୁଥିଲା। କଥାବାର୍ତ୍ତା ବେଳେ ସେ ରନୟାଙ୍କୁ ଗୋଟିଏ କୋଣକୁ ନେଇ ଯାଇଥିଲେ ଓ ସୁନା ତାଙ୍କ ହାତରେ ଧରାଇ ଦେଇଥିଲେ।

ସୁନା ଚାଲାଣ ପାଇଁ ସେ ଆଗରୁ ଯୋଜନା କରିଥିଲେ। ତେଣୁ ସେ ନିଜ ସହ ଅଟା ଥିବା ଟେପ ଧରି ଆସିଥିଲେ। ଏୟାରପୋର୍ଟରେ କଇଁଚି ମିଳିବାର ସମ୍ଭାବନା କମ ଥିବାରୁ ରନୟା ଆଗରୁ ଟେପ୍‌କୁ ଛୋଟ ଛୋଟ ଖଣ୍ଡ କରି ନିଜ ବ୍ୟାଗରେ ରଖିଥିଲେ। ସୁନା ପ୍ୟାକେଟ ପାଇବା ପରେ ସେ ସିଧା ୱାଶରୁମକୁ ଚାଲି ଯାଇଥିଲେ। ସେଠାରେ ନିଜର ପରବର୍ତ୍ତୀ ପ୍ଲାନକୁ ଆକ୍ଟିଭ କରିଥିଲେ।

ଡାଇନିଂ ଲାଉଞ୍ଜରୁ ଆଣିଥିବା ଦୁଇଟି ଯାକ ପ୍ୟାକେଟ ଖୋଲିବା ପରେ ତାଙ୍କୁ ୧୨ଟି ସୁନା ବାର ଓ କିଛି ଛୋଟ ଛୋଟ ସୁନା ଖଣ୍ଡ ମିଳିଥିଲା। ସୁନା ବାର ପାଇବା ପରେ ସେ ୟୁଟ୍ୟୁବ ଖୋଲି ନିଜ ଶରୀରରେ କେମିତି ସୁନା ଖଞ୍ଜି ନେବାକୁ ପଡ଼େ, ତା’ର ଭିଡିଓ ଦେଖିଥିଲେ। ଭିଡିଓ ଦେଖି ସେ କିଛି ସୁନା ବାରକୁ ନିଜ ପେଣ୍ଡା ଓ ଅଣ୍ଟାରେ ଟେପ ଦ୍ୱାରା ବାନ୍ଧି ଦେଇଥିଲେ। ଛୋଟ ଛୋଟ ସୁନା ଖଣ୍ଡଗୁଡ଼ିକୁ ନିଜର ଜୋତା ଓ ପକେଟ ଭିତରେ ରଖିଥିଲେ।

ମାର୍ଚ୍ଚ ୩ରେ ସେ ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ମଗଲିଂ ରାକେଟରେ ସାମିଲ ଥିବା ଜଣେ ଅଧିକାରୀଙ୍କ ସହାୟତାରେ ଯାଞ୍ଚ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ। ତେବେ ଏୟାରପୋର୍ଟର ପ୍ରସ୍ଥାନ ଗେଟରୁ କିଛି ଦୂରରେ ରନୟା ରହିଥିବା ବେଳେ ତାଙ୍କୁ ଡିଆରଆଇ ଧରିବାକୁ ସକ୍ଷମ ହୋଇଥିଲା। ତାଙ୍କ ଠାରୁ ସୁନା ବାର ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

ଏୟାରପୋର୍ଟ ପ୍ରୋଟକଲ ଅଫିସରଙ୍କୁ ନେଇ ରହସ୍ୟ

ବେଙ୍ଗାଲୁରୁ ଏୟାରପୋର୍ଟରେ ରନୟା ରାଓଙ୍କୁ ଯାଞ୍ଚ ନ କରିବା ପାଇଁ ପ୍ରୋଟକଲ ଅଫିସରଙ୍କୁ ପୁଲିସ୍‌ ବିଭାଗରୁ କିଏ ନିର୍ଦ୍ଦେଶ ଦେଇଥିଲା, ତା’କୁ ନେଇ ସସପେନ୍ସ ଜାରି ରହିଛି। ବୁଧବାର ଡିଆରଆଇ ବେଙ୍ଗାଲୁରୁର ଗୋଟିଏ କୋର୍ଟକୁ କହିଛି ଯେ ଭିଆଇପିଙ୍କ ତତ୍କାଳ ଇମିଗ୍ରେସନ ଦାୟିତ୍ୱରେ ଥିବା ପ୍ରୋଟକଲ ଅଧିକାରୀ ଜଣଙ୍କ ସ୍ୱୀକାର କରିଛନ୍ତି ଯେ ରନୟାଙ୍କୁ ସହଯୋଗ କରିବାକୁ ତାଙ୍କୁ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଥିଲା।

ଏଥିରୁ ସଙ୍କେତ ମିଳିଛି ଯେ କର୍ଣ୍ଣାଟକା ପୁଲିସ୍‌ ବିଭାଗର କିଛି ସଦସ୍ୟ ଏଥିରେ ସାମିଲ ରହିଛନ୍ତି। ନିର୍ଦ୍ଦେଶ ଦେଇଥିବା ସିନିୟର ଜଣଙ୍କ କିଏ, ସେକଥା ଡିଆରଆଇ ସାର୍ବଜନୀନ କରିନାହିଁ। କିନ୍ତୁ ଡିଜିପି ରାମଚନ୍ଦ୍ର ରାଓ ରନୟାଙ୍କ ସାବତ ବାପା ହୋଇଥିବାରୁ ତାଙ୍କ ଭୂମିକା ଏଥିରେ ରହିଥିବା ଚର୍ଚ୍ଚା ହେଉଛି।

Gold Smuggling Gold Biscuits Seized Gold Seized Ranya Rao