୨୫ କିମି ବାଟ ଚାଲି ଚାଲି କେମିତି ଜଙ୍ଗଲ ଭିତରେ ୩୧ ନକ୍ସଲଙ୍କୁ ନିପାତ କଲେ ସୁରକ୍ଷାକର୍ମୀ?

ବିରାଟ ଅପରେସନ ମାଧ୍ୟମରେ ସୁରକ୍ଷାକର୍ମୀ ୩୧ ଜଣ ମାଓବାଦୀଙ୍କୁ ସଫା କରିଛନ୍ତି। ଏମାନଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଣ୍ଡ କମାଣ୍ଡର କମଳେଶ ଓରଫ ଆରକେ ଓ ସଂଗଠନର ମୁଖପାତ୍ର ନୀତି ଓରଫ ଉର୍ମିଲା ରହିଛନ୍ତି।

କମଳେଶ ଓ ଉର୍ମିଲା (ଫାଇଲ ଫଟୋ)

  • Published: Saturday, 05 October 2024
  • , Updated: 05 October 2024, 05:54 PM IST

ଅବୁଝମାଦର ଘଞ୍ଚ ଓ ରହସ୍ୟମୟ ଜଙ୍ଗଲ। ଛିତଶଗଡ଼ର ବସ୍ତରବାସୀ ସବୁବେଳେ ଏହାକୁ ଅଜଣା ପାହାଡ଼ ଭାବେ ଜାଣନ୍ତି। ଏଥିପାଇଁ ଏହି ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ମାଓବାଦୀଙ୍କ ଗଡ଼ ଭାବେ ପରିଚୟ ହାସଲ କରିଥିଲା। ଜଙ୍ଗଲ ରାସ୍ତା ଅତ୍ୟନ୍ତ ରହସ୍ୟମୟ ଓ ଭିତକୁ ଯିବା ଅତ୍ୟନ୍ତ ଅସମ୍ଭବ। ସେଥିପାଇଁ ସୁରକ୍ଷାକର୍ମୀଙ୍କ ବିନା ଭୟରେ ମାଓବାଦୀମାନେ ଏହି ସ୍ଥାନକୁ ନିଜର ଆଡ୍ଡା ବନାଇ ଦେଇଥିଲେ।

କିନ୍ତୁ ଶୁକ୍ରବାର ଛତିଶଗଡ଼ର ଏହି ଉପାନ୍ତ ବା ବିଚ୍ଛିନ୍ନାଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଦେଶରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନକୁ ବଳ ମିଳିଛି। ଉକ୍ତ ଅଞ୍ଚଳରେ ଥିବା ମାଓବାଦୀଙ୍କୁ ଲାଗିଛି ଝଟକା।

ବିରାଟ ଅପରେସନ ମାଧ୍ୟମରେ ସୁରକ୍ଷାକର୍ମୀ ୩୧ ଜଣ ମାଓବାଦୀଙ୍କୁ ସଫା କରିଛନ୍ତି। ଏମାନଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଣ୍ଡ କମାଣ୍ଡର କମଳେଶ ଓରଫ ଆରକେ ଓ ସଂଗଠନର ମୁଖପାତ୍ର ନୀତି ଓରଫ ଉର୍ମିଲା ରହିଛନ୍ତି। ଉଭୟ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ରମୁଖ ଚେହେରା ଥିଲେ। କମଳେଶଙ୍କୁ ୫ ରାଜ୍ୟର ପୁଲିସ୍‌ ଖୋଜୁ ଥିବା ବେଳେ ଉର୍ମିଲା ସଂଗଠନର ବିଚାରଧାରାକୁ ପ୍ରଚାର କରିବାରେ ପ୍ରମୁଖ ଭୂମିକା ନେଇଥିଲେ।

କମଳେଶଙ୍କ ମୂଳ ଘର ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ। ସେ ଜଣେ ଆଇଟିଆଇ ଶିକ୍ଷାର୍ଥୀ। ପ୍ରାଥମିକ ଭାବେ ସେ ଉତ୍ତର ବସ୍ତର, ନାଲଗୋଣ୍ଡା, ବିହାରର ମାନପୁର ଓ ଓଡ଼ିଶା ସୀମାନ୍ତରେ ସକ୍ରିୟ ଥିଲେ। ତାଙ୍କର ଦବଦବା ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଓଡ଼ିଶା ଓ ମହାରାଷ୍ଟ୍ରରେ ରହିଥିଲା। ଉର୍ମିଲା ହେଉଛନ୍ତି ବିଜାପୁର ଗଙ୍ଗାଲୁରର ମୂଳବାସିନ୍ଦା। ସେ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ।

କେମିତି ହୋଇଥିଲା ଗୁଳି ବିନିମୟ

ଇନ୍ଦିରାବତୀ ଏରିଆ କମିଟି ଓ ପିପୁଲ୍ସ ଲିବେରେସନ ଗରିଲା ଆର୍ମି କମ୍ପାନୀ ନମ୍ବର ୬ର ପ୍ରମୁଖ ସଦସ୍ୟଙ୍କ ସମେତ ଜଙ୍ଗଲରେ ୫୦ ଜଣ ମାଓବାଦୀ ଉପସ୍ଥିତ ଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଅପରେସନ ପାଇଁ ଯୋଜନା ହୋଇଥିଲା।

ଓରଚା ଓ ବାରସୁର ପୁଲିସ ଷ୍ଟେସନ ଅଧୀନରେ ଥିବା ନେନ୍ଦ୍ରୁ-ଥୁଲୁଥୁଲି ଗାଁ ନିକଟରେ ଥିବା ଜଙ୍ଗଲରେ କମଳେଶ, ଉର୍ମିଲା ଓ ନନ୍ଦୁ ଭଳି ଟପ ମାଓବାଦୀମାନା ଥିବା ଗୁଇନ୍ଦା ବିଭାଗ କହିଥିଲା।

ଖବର ମିଳିବା ପରେ ଗୁରୁବାର ଠାରୁ ଜଙ୍ଗଲ ମଧ୍ୟରେ ଜିଲ୍ଲା ରିଜର୍ଭ ଗାର୍ଡ(ଡିଆରଜି) ଓ ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ) ପକ୍ଷରୁ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା। ବ୍ୟାକଅପରେ ସିଆରପିଏଫ ଯବାନମାନେ ମଧ୍ୟ ରହିଥିଲେ।

ପ୍ରଥମେ ସୁରକ୍ଷାକର୍ମୀମାନେ ଦୀର୍ଘ ୩୫ କିମି ବାଟ ଚାଲିଚାଲି ଜଙ୍ଗଲ ଭିତରକୁ ଯାଇଥିଲେ। ଏହାପରେ ଦୁଇ ଭାଗ ହୋଇ ମାଓବାଦୀଙ୍କ ଉପରେ ହମଲା କରିଥିଲେ। ଏହା ଦେଖି ମାଓବାଦୀମାନେ ପୂରା ଚକିତ ହୋଇଯାଇଥିଲେ। ଦୀର୍ଘ ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟ ବେଳେ ସୁରକ୍ଷାକର୍ମୀମାନେ ଆଉ ୧୦ କିମି ବାଟ ଆଗକୁ ଜଙ୍ଗଲ ଭିତରେ ଯାଇଥିଲେ।

ଅଧିକାରୀମାନଙ୍କ କହିବା କଥା ଯେ ଦୀର୍ଘ ସମୟ ଧରି ହୋଇଥିବା ଗୁଳି ବିନିୟମରେ ୩୧ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ଓ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ସେମାନଙ୍କ ନିକଟରୁ ଏକାଧିକ ଲାଇଟ ମେସିନ ଗନ, ଏକେ ୪୭, ଏସଏଲ ରାଇଫଲ, ଇନସାସସ ରାଇଫଲ ଓ .୩୦୩ କାଲିବରର ବନ୍ଧୁକ ଜବତ କରାଯାଇଛି। ଏଥିରୁ ଘଟଣା ସ୍ଥଳରେ ଟପ୍‌ କମାଣ୍ଡରମାନେ ଉପସ୍ଥିତ ଥିବା ସ୍ପଷ୍ଟ ହୋଇଛି।

୬ ମାସରେ ତୃତୀୟ ସଫଳତା

ବସ୍ତର ରିଜନରୁ ମାଓବାଦୀଙ୍କୁ ମୂଳପୋଛ କରିବା ପାଇଁ ଚାଲିଥିବା ଅଭିଯାନ କ୍ଷେତ୍ରରେ ଏହା ଏକ ବଡ଼ ସଫଳତା। ଏପ୍ରିଲ ମାସରେ କାଙ୍କେର ଠାରା ମାଓବାଦୀ ସହିଥିବା କ୍ଷତିକୁ ଶୁକ୍ରବାର ଏନକାଉଣ୍ଟର ବଳି ଯାଇଛି।

ଏପ୍ରିଲ ୧୫ରେ କାଙ୍କେର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ୨୯ ଜଣ ମାଓବାଦୀ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧୫ ଜଣ ମହିଳା ରହିଥିଲେ। ସେହିପରି ୨ ଜଣ ଡିଭିଜନାଲ କମିଟିର ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏମାନଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରହିଥିଲା। ସେହିଦିନ ସାଢ଼େ ୫ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା।

୪ ମାସ ପରେ ଅର୍ଥାତ ଅଗଷ୍ଟ ୨୯ରେ ନାରୟାଣପୁର ଓ କାଙ୍କାର ସୀମାରେ ଥିବା ଅବୁଝମାଦ ରିଜନରେ ୩ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଏଯାଏ ଛତିଶଗଡ଼ରେ ୧୮୦ରୁ ଅଧିକ ମାଓବାଦୀ ପ୍ରାଣ ହରାଇ ସାରିଲେଣି। ସେହିପରି ୨୧୨ରୁ ଅଧିକ ମାଓବାଦୀଙ୍କୁ ଗିରଫ କରାଯାଇଛି ଓ ୨୦୧ ଜଣ ଆତ୍ମସମର୍ପଣ କରିଛନ୍ତି।

Related story