/odisha-reporter/media/media_files/2025/10/27/ec-2025-10-27-18-44-50.jpg)
SIR
ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଏସ୍ଆଇଆର ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ। ଏହି ଭୋଟର ସର୍ଭେ କାର୍ଯ୍ୟକ୍ରମ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଆଜି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସମୟରେ ସେ ଘରଠୁ ଘର ଯାଞ୍ଚ ପ୍ରକ୍ରିୟାର ବିସ୍ତୃତ ତଥ୍ୟ ଦେଇଛନ୍ତି। ଏଥିସହ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୬ ଫେବୃଆରୀ ୭ରେ ଜାରି କରାଯିବ ବୋଲି କହିଛନ୍ତି।
ଏସ୍ଆଇଆର ବେଳେ ଲୋକଙ୍କୁ ସ୍ୱତନ୍ତ୍ର ଗଣନା ଫର୍ମ ଦିଆଯିବ। ପ୍ରଥମେ ପ୍ରିଣ୍ଟିଂ ଓ ଟ୍ରେନିଂ ୨୮ ଅକ୍ଟୋବରରୁ ନଭେମ୍ବର ୩ ଯାଏ ଚାଲିବ।
ଘର ଘର ବୁଲି ଗଣନା ୪ ନଭେମ୍ବରରୁ ୪ ଡିସେମ୍ବର ଯାଏ ହେବ। ଦାବି ଓ ଆପତ୍ତିର ସମୟସୀମା ୯ ଡିସେମ୍ବରରୁ ୮ ଜାନୁଆରୀ ୨୦୨୬ ରହିଛି। ଶୁଣାଣି ଓ ଯାଞ୍ଚ ନୋଟିସ ୯ ଡିସେମ୍ବରରୁ ୩୧ ଜାନୁଆରୀ ୨୦୨୬। ଚୂଡ଼ାନ୍ତ ଭୋଟର ତାଲିକା ୭ ଫେବୃଆରୀ ୨୦୨୬ରେ ପ୍ରକାଶ ପାଇବ।
ସେ କହିଛନ୍ତି, “ଏସ୍ଆଇଆର ବିସ୍ତୃତ, ଜନତା କୈନ୍ଦ୍ରିକ କାର୍ଯ୍ୟକ୍ରମ ଯେଉଁଥିରେ ବୁଥ ଲେଭଲ ଅଫିସର(ବିଏଲଓ)ମାନେ ଭୋଟରଙ୍କ ଯାଞ୍ଚ ଓ ସହାୟତା ପାଇଁ ଗୋଟିଏ ଘରକୁ ୩ଥର ଯିବେ।”
କେମିତି ହେବ ପୂରା ପ୍ରକ୍ରିୟା?
ଭୋଟର ତାଲିକା ରିଭିଜନରେ ବିଏଲଓମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସେମାନେ ନୂଆ ଭୋଟରଙ୍କ ଠାରୁ ଫର୍ମ ୬ ଓ ଘୋଷଣାପତ୍ର ସଂଗ୍ରହ କରିବେ। ଭୋଟରଙ୍କୁ ଗଣନା ଫର୍ମ ପୂରଣ କରିବାରେ ସହାୟତା କରିବେ। ଫର୍ମ ପୂରଣ ପରେ ନିର୍ବାଚନ ପଞ୍ଜିକରଣ ଅଫିସର(ଇଆରଓ) କିମ୍ବା ସହାୟକ ଇଆରଓଙ୍କ ନିକଟରେ ଦାଖଲ କରିବେ। ଭୋଟରମାନେ ଫର୍ମ ପୂରଣ କରିବା ପରେ ଏହାକୁ ବିଏଲଓମାନେ ସଂଗ୍ରହ କରିବେ। ଏହାପରେ ସେଗୁଡ଼ିକୁ ଇଆରଓ/ଏଇଆରଙ୍କ ନିକଟରେ ଦାଖଲ କରିବେ। ପ୍ରତ୍ୟେକ ବିଏଲଓ ଅତିକମରେ ୩ ଥର ପ୍ରତ୍ୟେକ ଘରକୁ ଯାଇ ସର୍ଭେ କରିବେ।
ବୟସ୍କ, ରୋଗଗ୍ରସ୍ତ, ଦିବ୍ୟାଙ୍ଗ, ଗରିବ ଓ ଅନ୍ୟ ପଛୁଆ ବର୍ଗର ଯୋଗ୍ୟ ଭୋଟର ଯେମିତି ତାଲିକାରୁ ବାଦ ନ ପଡ଼ିବେ, ସେଥିପାଇଁ ନିର୍ବାଚନ କମିଶନ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରିବେ। ସେମାନେ ଯେମିତି ପ୍ରକ୍ରିୟାରୁ ବାଦ ନ ପଡ଼ିବେ କିମ୍ବା ସେମାନେ ଯେମିତି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନ ହେବେ, ତା’ ଉପରେ ଅଧିକ ଫୋକସ କରିଛନ୍ତି କମିଶନ। ସେହିପରି କୌଣସି ପୋଲିଂ ଷ୍ଟେସନରେ ୧୨ ଶହରୁ ଅଧିକ ଭୋଟର ରହିପାରିବେ ନାହିଁ ବୋଲି ମଧ୍ୟ ଜ୍ଞାନେଶ କୁମାର ସ୍ପଷ୍ଟ କରିଛନ୍ତି।
ତାଲିମ ଓ ସମନ୍ୱୟ
ଏସ୍ଆଇଆର(sir)ର ଫେଜ ୨ ପାଇଁ ନିର୍ବାଚନ ଅଧିକାରୀମାନଙ୍କ ଟ୍ରେନିଂ ମଙ୍ଗଳବାର ଠାରୁ ଆରମ୍ଭ ହେବ। ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ରାଜନୀତିକ ଦଳଗୁଡ଼ିକୁ ସାକ୍ଷାତ କରିବାକୁ କୁହାଯାଇଛି। ସେମାନେ ରାଜନୀତିକ ଦଳଗୁଡ଼ିକୁ ଏସ୍ଆଇଆର ପ୍ରକ୍ରିୟା ସମ୍ପର୍କରେ ବୁଧବାର ସୁଦ୍ଧା ସୂଚନା ଦେବେ।
ଜ୍ଞାନେଶ କୁମାର କହିଛନ୍ତି ଯେ ଯେଉଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର ହେବାକୁ ଯାଉଛି, ସେଠାରେ ଆଜି ମଧ୍ୟରାତ୍ରରୁ ଭୋଟର ତାଲିକାକୁ ଫ୍ରିଜ କରିଦିଆଯିବ। ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ, ପୁଡୁଚେରୀ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ଗୋଆ, ଗୁଜରାଟ, କେରଳ ଓ ଆଣ୍ଡାମାନ-ନିକୋବର ଭଳି ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଏସଆଇଆର ହେବ। ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ ୫୧ କୋଟି।
ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ, ପୁଡୁଚେରୀରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ। କିନ୍ତୁ ଆସାମରେ କୌଣସି ପ୍ରକାରର ଏସ୍ଆଇଆର ହେବ ନାହିଁ। ଏଠାରେ ଏନଆରସି ବଳବତ୍ତର ରହିଛି। ତେଣୁ ଏଠାରେ ଭୋଟର ସର୍ଭେ ପାଇଁ ସ୍ୱତନ୍ତ୍ର ତାରିଖ ଘୋଷଣା କରାଯିବ।
କାହିଁକି ଏସ୍ଆଇଆର ଜରୁରୀ?
ଜ୍ଞାନେଶ କୁମାରଙ୍କ କହିବା କଥା ଯେ ୧୯୫୧ରୁ ୨୦୦୪ ମଧ୍ୟରେ ଦେଶରେ ୮ଥର ଏସ୍ଆଇଆର ହୋଇଛି। ୨୧ ବର୍ଷ ପରେ ପୂରା ଦେଶରେ ଏସ୍ଆଇଆର ହେବ। ଅର୍ଥାତ ଦେଶରେ ୯ମ ଥର ପାଇଁ ଏସ୍ଆଇଆର ହେଉଛି। ଭୋଟର ତାଲିକାରୁ ନକଲି ମତଦାତାଙ୍କୁ ହଟାଇବା ହିଁ ଏସ୍ଆଇଆରର ମୂଳ ଉଦ୍ଦେଶ୍ୟ। ଅନେକ ସମୟରେ ଲୋକମାନେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲି ଯାଆନ୍ତି।
ଏହି ସମୟରେ ରହୁଥିବା ସ୍ଥାନରେ ନିଜକୁ ଭୋଟର ଭାବେ ପଞ୍ଜିକରଣ କରାନ୍ତି। କିନ୍ତୁ ପୁରୁଣା ସ୍ଥାନରେ ପଞ୍ଜିକୃତ ହୋଇଥିବା ଭୋଟର ତାଲିକାରୁ ନାଁ କଟେନାହିଁ। ଏହାଦ୍ୱାରା ଜଣେ ଭୋଟରଙ୍କ ନାଁ ଦୁଇଟି ସ୍ଥାନରେ ରହିଥାଏ। ସେହିପରି ମୃତ ବ୍ୟକ୍ତିଙ୍କ ନାଁକୁ ହଟାଇବାକୁ କେହି ଆବେଦନ କରନ୍ତି ନାହିଁ। ବେଆଇନ ଭାବେ ବିଦେଶୀ ନାଗରିକମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯାଉଛି। ତେଣୁ ଭୋଟର ତାଲିକା ସଂଶୋଧର ଆବଶ୍ୟକତା ଥିବା ଜ୍ଞାନେଶ କୁମାର କହିଛନ୍ତି।
ଭୋଟରମାନେ ଆଧାର କାର୍ଡ ସମେତ ଯେକୌଣସି ପରିଚୟପତ୍ରକୁ ଗଣନା ଫର୍ମରେ ସାମିଲ କରିପାରିବେ। ଗଣନା ବେଳେ ମୋଟ ୧୨ଟି ଦସ୍ତାବିଜକୁ ବିଚାରକୁ ନିଆଯାଇ ଭୋଟର ତାଲିକା ପ୍ରକାଶ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
