Advertisment

ଚା’ ବିକାଳିର ‘ନିଆଁ ଗୁଜବ’ ଯୋଗୁ କେମିତି ଚାଲି ଗଲା ୧୩ ଜଣଙ୍କ ଜୀବନ?

କିନ୍ତୁ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ଗୁଜବ କିଏ ପ୍ରଚାର କରିଥିଲା? କାହିଁକି ଟ୍ରେନର ଚେନ୍‌ ପୁଲ୍‌ ହେବା ପରେ କିଛି ଲୋକ ନିକଟସ୍ଥ ଟ୍ରାକକୁ ଡିଆଁ ମାରିଲେ?

author-image
Hemant Lenka
ଅଦ୍ୟତନ ହୋଇଛି
Train

Train

ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ବୁଧବାର ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା। ଲକ୍ଷ୍ନୌରୁ ମୁମ୍ବାଇ ଆସୁଥିବା ପୁଷ୍ପକ ଏକ୍ସପ୍ରେସର ଗୋଟିଏ କୋଚ୍‌ରେ ନିଆଁ ଲାଗି ଯାଇଥିବା ଗୁଜବ ପରେ କିଛି ଲୋକ ଟ୍ରେନରୁ ପାଖରେ ଥିବା ଟ୍ରାକକୁ ଡେଇଁ ପଡ଼ିଥିଲେ। ଏତିକି ବେଳେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା କର୍ଣ୍ଣାଟକା ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିଯୋଗୁ ୧୩ ଜଣ ଜୀବନ ହରାଇଛନ୍ତି। ଅନେକ ଏବେ ବି ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।

Advertisment

କିନ୍ତୁ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ଗୁଜବ କିଏ ପ୍ରଚାର କରିଥିଲା? କାହିଁକି ଟ୍ରେନର ଚେନ୍‌ ପୁଲ୍‌ ହେବା ପରେ କିଛି ଲୋକ ନିକଟସ୍ଥ ଟ୍ରାକକୁ ଡିଆଁ ମାରିଲେ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ରେଳ ଅଧିକାରୀମାନେ ଯାଞ୍ଚ କରି ଟ୍ରେନରେ କୌଣସି ପ୍ରକାରର ନିଆଁ ଲାଗି ନଥିବା ସ୍ପଷ୍ଟ କରିଛନ୍ତି। ହେଲେ ଏବେ ଜଣେ ପ୍ରତ୍ୟେକ୍ଷଦର୍ଶୀ ନିଆଁ ଗୁଜବ ପଛରେ କିଏ ଥିଲେ, ତା’ର ସୂଚନା ଦେଇଛନ୍ତି।

ତାଙ୍କ କହିବା କଥା ଯେ ଯାତ୍ରୀମାନେ ବେଶ ହସଖୁସିରେ ଯାତ୍ରା କରୁଥିଲେ। ଏହି ସମୟରେ କୋଚରେ ବୁଲିବୁଲି ଚା’ ବିକ୍ରି କରୁଥିବା ଜଣେ ବ୍ୟକ୍ତି ନିଆଁ ଲାଗି ଯାଇଥିବା କହି ଚିତ୍କାର କରିଥିଲେ। ଏହାପରେ ସେ ଚେନ୍‌ରୁ ଜରୁରିକାଳୀନ ଚେନ୍‌କୁ ଭିଡ଼ି ଦେଇଥିଲେ। ଟ୍ରେନ ଅଟକି ଯିବାରୁ ଯାତ୍ରୀମାନେ ଭୟରେ ତଳକୁ ଡେଇଁ ପଡ଼ିଥିଲେ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।

Advertisment

ପ୍ରତ୍ୟେକ୍ଷଦର୍ଶୀ ବାବାଦୀପ ଶୋଭାରାମ ପାସୱାନ ଘଟଣା ସମ୍ପର୍କରେ ମନେ ପକାଇ କହିଛନ୍ତି ଯେ “ଜଣେ ଚା ବିକାଳୀ ଟ୍ରେନରେ ନିଆଁ ଲାଗିଥିବା ଗୁଜବ ପ୍ରଚାର କରିଥିଲେ। ଏହାପରେ ସେ ହିଁ ଟ୍ରେନର ଚେନକୁ ପୁଲ୍ କରିଥିଲେ। ଚେନ ଭିଡ଼ିବା ଯୋଗୁ ଟ୍ରେନର ଗତି କମି ଯାଇଥିଲା। ସେତେବେଳକୁ ଟ୍ରେନରେ ନିଆଁ ଲାଗି ଯାଇଥିବା କଥା ବ୍ୟାପି ଯାଇଥିଲା। ଟ୍ରେନର ଗତି ଧିମା ହେବା ମାତ୍ରେ ଲୋକମାନେ ଜୀବନ ବକଳରେ ତଳକୁ ଡେଇଁବା ଆରମ୍ଭ କରିଥିଲେ।

କିଛି ଲୋକ ସିଧାସଳଖ ସେହି ଟ୍ରାକକୁ ଡେଇଁଥିଲେ ଯେଉଁଥିରେ ବେଙ୍ଗାଲୁରୁ ଏକ୍ସପ୍ରେସ(କର୍ଣ୍ଣାଟକା ଏକ୍ସପ୍ରେସ) ଆସୁଥିଲା। ଆଉ କିଛି ଲୋକ ବିପରୀତ ଦିଗକୁ ମଧ୍ୟ ଡିଆଁ ମାରିଥିଲେ। ସେମାନେ ଡେଇଁ ଥିବା ପାର୍ଶ୍ୱରେ କୌଣସି ଟ୍ରାକ ନଥିଲା। ନଚେତ ସ୍ଥିତି ଆହୁରି ଭୟଙ୍କର ରୂପ ନେଇଥାଆନ୍ତା। ଆହୁରି ଅଧିକ ଲୋକଙ୍କ ଜୀବନ ଯିବାର ଆଶଙ୍କା ଥିଲା।”

ଦୁର୍ଘଟଣାର ବିସ୍ତୃତ ସୂଚନା

ଭୟଙ୍କର ଟ୍ରେନ ଦୁର୍ଘଟଣା ମାହେଜି ଓ ପର୍ଧାଦେ ଷ୍ଟେସନ ମଧ୍ୟରେ ଥିବା ପାଚୋରା ସହର ନିକଟରେ ଘଟିଛି। ଉତ୍ତର ମହାରାଷ୍ଟ୍ରରେ ଏହି ସହର ଯାଉଛି। ମଙ୍ଗଳବାର ‌ଅପରାହ୍ନ ୪.୪୫ରେ ପୂରା ଘଟଣା ଘଟିଥିଲା। ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ ଚେନ ପୁଲ ଯୋଗୁ ଅଧାରେ ଅଟକି ଯାଇଥିଲା। ପୁଷ୍ପକ ଏକ୍ସପ୍ରେସ ଜଲଗାଓଁ ଅତିକ୍ରମ କରୁଥିବା ବେଳେ ଗୋଟିଏ ବଗିରେ ନିଆଁ ଲାଗି ଯାଇଥିବା କଥା ପ୍ରଚାର କରାଯାଇଥିଲା। ନିଆଁ ଲାଗିବା କଥା ଶୁଣି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଚେନ୍‌ ପୁଲ ଯୋଗୁ ଟ୍ରେନ ମଝି ଟ୍ରାକରେ ଅଟକି ଯାଇଥିଲା। ଏତିକି ବେଳେ କିଛି ଲୋକ ପାଖରେ ଥିବା ଟ୍ରାକକୁ ଡେଇଁ ପଡ଼ିଥିଲେ।

ଡେଇଁବା ବେଳେ ସେମାନଙ୍କୁ ଜଣା ନଥିଲା ଯେ ବିପରୀତ ଦିଗରୁ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା କର୍ଣ୍ଣାଟକା ଏକ୍ସପ୍ରେସ ଆସୁଛି। ସେମାନେ ଟ୍ରାକକୁ ଡେଇଁବା କ୍ଷଣି ସେମାନଙ୍କୁ କର୍ଣ୍ଣାଟକା ଏକ୍ସପ୍ରେସ ଧକ୍କା ଦେଇଥିଲା। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ରେଳବାଇ ବୋର୍ଡର ଅଧିକାରୀ ଦିଲୀପ କୁମାର ଟ୍ରେନର କୌଣସି ବିଗରେ ନିଆଁ ଲାଗି ନଥିବା ସ୍ପଷ୍ଟ କରିଛନ୍ତି। କେବଳ ଗୁଜବ ପ୍ରଚାର ଯୋଗୁ ଏତେ ବଡ଼ ଘଟଣା ଘଟିଛି।

୧୩ ମୃତ ଓ ସହାୟତା ଘୋଷଣା

ବୁଧବାର ଟ୍ରେନ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ମୃତ ୧୩ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ପରିଚୟ ମିଳିଛି। ବାକି ୫ ଜଣଙ୍କ ପରିଚୟ ଯାଞ୍ଚ କରାଯାଉଛି। ଦୁଇ ଜଣ ମୃତକଙ୍କ ପାଖରେ ଆଧାର କାର୍ଡ ଥିବାରୁ ସେମାନଙ୍କ ପରିଚୟ ଜାଣିବା ସହଜ ହୋଇଥିଲା ବୋଲି ସ୍ୱତନ୍ତ୍ର ଆଇଜି ଦତ୍ତାତ୍ରୟ କାରାଲେ ସୂଚନା ଦେଇଛନ୍ତି। ଘଟଣା ପଛର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ରେଳ ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୧.୫ ଲକ୍ଷ, ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଓ ସାମାନ୍ୟ ଆହତଙ୍କ ପାଇଁ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ସେହିପରି ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଫଡନାଭିସ ଘୋଷଣା କରିଛନ୍ତି।

Maharashtra Train Accident