/odisha-reporter/media/post_attachments/uploadimage/library/16_9/16_9_0/Wayanad__1722686711.jpg)
Wayanad
ଭୟଙ୍କର ଭୂସ୍ଖଳନ ଓ ଜଳପ୍ରଳୟରେ ଛିନଛତ୍ର ହୋଇ ସାରିଥିବା ୱାୟନାଡରେ ଏବେ ଜୀବନ ଖୋଜା ଚାଲିଛି। ଏହିକ୍ରମରେ ଜଙ୍ଗଲ ଅଧିକାରୀମାନେ ଢୁଢୁ ବର୍ଷା ଓ ପାହାଡ଼ି ରାସ୍ତା ସତ୍ତ୍ୱେ ଦୀର୍ଘ ୮ ଘଣ୍ଟା କାଳ ଅପରେସନ କରି ଗୋଟିଏ ଆଦିବାସୀ ସଂପ୍ରଦାୟର ୪ ଜଣ ଶିଶୁ ଓ ସେମାନଙ୍କ ବାପା ମା’ଙ୍କ ଜୀବନ ବଞ୍ଚାଇଛନ୍ତି।
ସେମାନଙ୍କର ଏହି ବିପଦପୂର୍ଣ୍ଣ ଜୀବନ ଖୋଜା ଅପରେସନର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଜଙ୍ଗଲ ଅଧିକାରୀଙ୍କ ଅଦମ୍ୟ ସାହାସ ଓ ପରିଶ୍ରମ ଯୋଗୁ ଆଦିବାସୀ ସଂପ୍ରଦାୟର ୪ ଶିଶୁ ଓ ସେମାନଙ୍କ ବାପା ମା’ ନୂଆ ଜୀବନ ପାଇଛନ୍ତି। ଜଙ୍ଗଲ ଅଧିକାରୀମାନଙ୍କ ଏପରି ଅପରେସନକୁ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ପ୍ରଶଂସା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଭୟଙ୍କର ଭୂସ୍ଖଳନ ଓ ଅଚାନକ ବନ୍ୟା ପରେ ନିଖୋଜ ଲୋକଙ୍କ ସନ୍ଧାନ କରାଯାଉଛି। ଏହି ସମୟରେ ଜଙ୍ଗଲ ଭିତରେ ବୁଲୁଥିବା ଜଣେ ମହିଳାଙ୍କ ଉପରେ ନଜର ପଡ଼ିଥିଲା। ଏହାପରେ ଢୁଢୁ ବର୍ଷା ଓ ପାହାଡ଼ି ରାସ୍ତା ସତ୍ତ୍ୱେ ୪ ଜଣ ଜଙ୍ଗଲ ଅଧିକାରୀ ମିଳିତ ଭାବେ ମହିଳାଙ୍କ ପରିବାର ଲୋକଙ୍କୁ ବଞ୍ଚାଇବା ପାଇଁ ଅପରେସନ ଆରମ୍ଭ କରିଥିଲେ।
ରେଞ୍ଜ ପରେଷ୍ଟ ଅଫିସର କେ ହାଶିସଙ୍କ ନେତୃତ୍ୱରେ ୪ ଜଣିଆ ଟିମ ଦୀର୍ଘ ୪ ଘଣ୍ଟା କାଳ ଚାଲିଚାଲି ଫସି ରହିଥିବା ଆଦିବାସୀ ପରିବାର ନିକଟରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କର ୪ ଛୋଟ ଛୁଆଙ୍କ ସମେତ ସମସ୍ତଙ୍କୁ ଉଦ୍ଧାର କରି ତଳକୁ ଆଣିଥିଲେ। ଉଦ୍ଧାର ହୋଇଥିବା ଛୋଟ ପିଲାଙ୍କ ବୟସ ୧ରୁ ୪ ବର୍ଷ ମଧ୍ୟରେ ହେବ।
ୱାୟନାଡର ପାନିୟା ସଂପ୍ରଦାୟର ଏହି ପରିବାର ପାହାଡ଼ ଉପରେ ଥିବା ଗୋଟିଏ ଛୋଟ ଗୁମ୍ଫାରେ ରହିଥିଲେ। ଜଙ୍ଗଲ ଅଧିକାରୀ କେ ହଶିସ ପ୍ରଥମେ ଅଟ୍ଟାମାଲା ଜଙ୍ଗଲ ଭିତରେ ଖାଦ୍ୟ ଅନ୍ୱେଷଣ କରୁଥିବା ୪ ପିଲାଙ୍କ ମା’ଙ୍କୁ ଦେଖିଥିଲେ। ମହିଳା ଜଣଙ୍କ ତାଙ୍କୁ ସବୁ ସୂଚନା ଦେବା ସହ ୫ ଦିନ ହେଲା ସେମାନେ କିଛି ଖାଇ ନଥିବା କହିଥିଲେ।
ଏହାପରେ ମହିଳା ଜଣଙ୍କ ଜଙ୍ଗଲ ଅଧିକାରୀମାନଙ୍କୁ ପାହାଡ଼ ଉପରେ ଥିବା ଗୁମ୍ଫା ନିକଟକୁ ନେଇ ଯାଇଥିଲେ। ସେଠାରୁ ୪ ପିଲା ଓ ସେମାନଙ୍କ ବାପା ମା’ଙ୍କୁ ଧରି ଅଧିକାରୀମାନେ ଫେରିଥିଲେ। ମୋଟ ଉପରେ ଅପରେଶନ ପାଇଁ ୮ ଘଣ୍ଟା ସମୟ ଲାଗିଥିଲା।
ପିଟିଆକୁ ସୂଚନା ଦେଇ ହଶିସ କହିଛନ୍ତି, ଗୁରୁବାର ଜଙ୍ଗଲ ନିକଟରେ ୪ ପିଲାଙ୍କ ମା’ ବୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ପଚରାଉଚରା କରାଯିବା ପରେ ତାଙ୍କର ୪ ପିଲା ଓ ସ୍ୱାମୀ ବିନା ଖାଦ୍ୟରେ ପାହାଡ଼ ଉପର ଗୁମ୍ଫାରେ ଫସି ରହିଥିବା ଜାଣିବାକୁ ପାଇଥିଲୁ।
ସାଧାରଣତଃ ଏହି ସଂପ୍ରଦାୟର ଲୋକ ବାହାର ଲୋକଙ୍କ ସହ ବେଶୀ କଥାବାର୍ତ୍ତା କରନ୍ତି ନାହିଁ। ତଥାପି ତାଙ୍କ ଠାରୁ ସୂଚନା ମିଳିବା ପରେ ଅପରେସନ ଆରମ୍ଭ କରାଯାଇଥିଲା ବୋଲି ସେ କହିଛନ୍ତି।
ତାଙ୍କ କହିବା କଥା ଯେ ଏହି ସଂପ୍ରଦାୟର ଲୋକମାନେ ସାଧାଣତଃ ଜଙ୍ଗଲ ସାମଗ୍ରୀ ସଂଗ୍ରହ କରି ଏହାକୁ ବିକ୍ରି କରନ୍ତି। ଏହା ବଦଳରେ ସେମାନେ ଚାଉଳ କିଣନ୍ତି। ହେଲେ ଭୂସ୍ଖଳନ ଓ ଲଗାଣ ବର୍ଷା ଯୋଗୁ ସେମାନେ ଖାଦ୍ୟ ପାଇବାରେ ଅସମର୍ଥ ହୋଇଥିଲେ।
ପାହାଡ଼ ଉପରକୁ ଯିବା ବେଳେ ଟିମର ସଦସ୍ୟମାନେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ତଥାପି ସେମାନେ ପାହାଡ଼ ଉପରେ ପହଞ୍ଚିଥିଲେ। ଗୁମ୍ପାରେ ରହିଥିବା ପିଲାମାନେ ପୁରା ଦୁର୍ବଳ ହୋଇଯାଇଥିଲେ। ସେମାନଙ୍କୁ ଅଧିକାରୀମାନେ ନିଜ ସହ ନେଇଥିବା ଖାଦ୍ୟ ଦେଇଥିଲେ। ଏହାପରେ ସେମାନଙ୍କୁ ନିଜ ଦେହରେ କପଡ଼ା ଦ୍ୱାରା ବାନ୍ଧି ତଳକୁ ଓହ୍ଲାଇବା ଆରମ୍ଭ କରିଥିଲେ।
ତଳକୁ ଓହ୍ଲାଇବା ବହୁତ କଷ୍ଟ ସାଧ୍ୟ ଥିଲା। ତେଣୁ ସେମାନେ ଗଛ ଓ ପାହାଡ଼ରେ ଦୌଡ଼ି ବାନ୍ଧି ଧୀରେଧୀରେ ତଳକୁ ଓହ୍ଲାଇଥିଲେ। ଆଟ୍ଟାମାଲା ଶିକାର ନିରୋଧ ଅଫିସରେ ପହଞ୍ଚିବା ପରେ ଆଦିବାସୀ ପରିବାରକୁ ଖାଦ୍ୟ ଓ କପଡ଼ା ଯୋଗାଇ ଦିଆଯାଇଥିଲା।
ଅଧିକାରୀମାନଙ୍କ ପରିଶ୍ରମ ଓ ସାହାସ ଯୋଗୁ ୬ଟି ମୂଲ୍ୟବାନ ଜୀବନ ବଞ୍ଚି ଯାଇଛି। ହାଶିସଙ୍କ ସହ ଏହି ଚ୍ୟାଲେଞ୍ଜିଂ ଅପରେସନରେ ସେକସନ ଫରେଷ୍ଟ ଅଫିସର ବିଏସ୍ ଜୟଚନ୍ଦ୍ରନ, ବିଟ ଜଙ୍ଗଲ ଅଧିକାରୀ କେ ଅନୀଲ କୁମାର ଓ ରାପିଡ ରେସପନ୍ସ ଟିମ ସଦସ୍ୟ ଅନୁପ ଥୋମାସ ସାମିଲ ରହିଥିଲେ।
ଚଳିତ ସପ୍ତାହରେ ୱାୟନାଡରେ ଭୟଙ୍କର ଜଳପ୍ରଳୟ ଦେଖିବାକୁ ମିଳିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୩୫୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ମାଟି ତଳୁ ଖୋଜି ବାହାର କରିବା ପାଇଁ ଉଦ୍ୟମ ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
