/odisha-reporter/media/media_files/2026/01/27/hr-2026-01-27-18-22-54.jpg)
ବିନୟ ଓ ମିଙ୍କୀ ଶର୍ମା (ଫାଇଲ ଫଟୋ)
ଅଫିସରେ ଆରମ୍ଭ ହୋଇଥିବା ରୋମାନ୍ସ ଶେଷରେ ଭୟଙ୍କର ଢଙ୍ଗରେ ଶେଷ ହୋଇଛି। ୩୨ ବର୍ଷୀୟ ଏଚ୍ଆର ମ୍ୟାନେଜରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା(Murder) କରିଛନ୍ତି ପ୍ରେମିକ। ଗୋଟିଏ ଅଫିସରେ ଉଭୟ କାମ କରୁଥିବା ବେଳେ ପରସ୍ପରର ପ୍ରେମରେ ପଡ଼ିଥିଲେ। କିନ୍ତୁ ପ୍ରେମିକ ଜଣଙ୍କ ନିଜ ପ୍ରେମିକା ତଥା ଏଚଆର ମ୍ୟାନେଜରଙ୍କୁ ହତ୍ୟା କରି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଛନ୍ତି। ତାଙ୍କର ଦୁଇ ଗୋଡ଼କୁ କାଟି ଦେବା ସହ ମୁଣ୍ଡକୁ ଛାଡ଼ି ଖଣ୍ଡବିଖଣ୍ଡିତ ମୃତଦେହକୁ ଗୋଟିଏ ଅଖାରେ ଭର୍ତ୍ତି କରି ଯମୁନା ନଦୀ ଉପରେ ଥିବା ବ୍ରିଜ ନିକଟରେ ଫିଙ୍ଗି ଦେଇଛନ୍ତି।
କିନ୍ତୁ ପୁଲିସ୍ ହତ୍ୟା ଉପରୁ ପରଦା ଉଠାଇବା ସହ ଏଚ୍ଆର ମ୍ୟାନେଜରଙ୍କ ପ୍ରେମିକ ୩୦ ବର୍ଷୀୟ ବିନୟ ସିଂହଙ୍କୁ ଗିରଫ କରିଛି। ସେହିପରି ଏଚ୍ଆର ମ୍ୟାନେଜରଙ୍କ କଟା ମୁଣ୍ଡକୁ ଖୋଜିବାରେ ଲାଗିଛି। ଉତ୍ତର ପ୍ରଦେଶର ଆଗ୍ରାରୁ ଏପରି ଘଟଣା ସାମ୍ନାକୁ ଆସିଛି।
ପୁଲିସ କହିଛି ଯେ ଜବାହର ବ୍ରିଜ ନିକଟରେ ପଡ଼ିଥିବା ଗୋଟିଏ ଅଖା ଭିତରୁ ମୁଣ୍ଡହୀନ ଖଣ୍ଡବିଖଣ୍ଡିତ ମୃତଦେହ ଜାନୁଆରୀ ୨୪ରେ ମିଳିଥିଲା। ପରବର୍ତ୍ତୀ ଅବସ୍ଥାରେ ମୃତକ ଜଣଙ୍କ ମିଙ୍କୀ ଶର୍ମା ଓ ତାଙ୍କ ଘର ଆଗ୍ରାର ତେଧି ବାଗିୟାରେ ବୋଲି ଜଣାପଡ଼ିଥିଲା। ଆଗ୍ରାର ସଞ୍ଜୟ ପ୍ୟାଲେସରେ ଥିବା ଗୋଟିଏ ଘରୋଇ କମ୍ପାନୀରେ ଏଚ୍ଆର ମ୍ୟାନେଜର ଭାବେ କାମ କରୁଥିଲେ ମିଙ୍କୀ। ସେଠାରେ ବିନୟ ସିଂହ ଜଣେ କମ୍ପ୍ୟୁଟର ଅପରେଟର ଭାବେ କାମ କରନ୍ତି।
କାମ କରିବା ସମୟରେ ପ୍ରାୟ ଦୁଇ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। କିନ୍ତୁ ଦୁଇ ବର୍ଷର ପ୍ରେମ ସମ୍ପର୍କରେ ସେତେବେଳେ ଝଡ଼ ଦେଖାଯାଇଥିଲା ଯେତେବେଳେ ମିଙ୍କୀ ଶର୍ମାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଥିଲେ ବିନୟ। ବିନୟ ବାହାଘର ପାଇଁ ପ୍ରସ୍ତାବ ଦେବାରୁ ଏହାକୁ ଏଡ଼ାଇ ଯାଇଥିଲେ ମିଙ୍କୀ। ସେହିପରି ୬ ମାସ ହେଲା ଆଉ ଜଣେ ପୁରୁଷଙ୍କ ପ୍ରେମରେ ମିଙ୍କୀ ପଡ଼ିଥିବା ବିନୟ ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା। ଶେଷରେ ବିନୟ ରାଗରେ ମିଙ୍କୀଙ୍କୁ ହତ୍ୟା କରିଥିଲେ।
ଜାନୁଆରୀ ୨୩ ତାରି ଦିନ ପ୍ରାୟ ୨ଟା ବେଳେ ମିଙ୍କୀ ଘରୁ ବାହାରିଥିଲେ। ସେ ଅଫିସ ଯାଉଥିବା ଘରେ ଜଣାଇଥିଲେ। ବିଳମ୍ବିତ ସନ୍ଧ୍ୟା ଯାଏ ମିଙ୍କୀ ଘରକୁ ନ ଫେରିବାରୁ ପରିବାର ଲୋକ ବ୍ୟସ୍ତ ହେବା ସହ ତାଙ୍କୁ ଫୋନ କରିଥିଲେ। କିନ୍ତୁ ତାଙ୍କ ଫୋନ ସୁଇଚ ଅଫ ରହିଥିଲା। ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଟ୍ରାନ୍ସ ଯମୁନା ପୁଲିସ୍ ଷ୍ଟେସନରେ ଗୋଟିଏ ନିଖୋଜ ମାମଲା ରୁଜୁ କରିଥିଲେ।
ଅଭିଯୋଗ ପାଇବା ପରେ ପୁଲିସ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏସବୁ ଭିତରେ ଜାନୁଆରୀ ୨୪ ତାରିଖ ରାତି ପ୍ରାୟ ୧ଟା ବେଳେ ଜବାହର ବ୍ରିଜ ନିକଟରେ ଗୋଟିଏ ଅଖା ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଟିମ ସେଠାରେ ପହଞ୍ଚି ଅଖାକୁ ଖୋଲିବା କ୍ଷଣୀ ଭିତରୁ ମିଳିଥିଲା ମୁଣ୍ଡ ନଥିବା ଜଣେ ମହିଳାଙ୍କ ଉଲ୍ଲଗ୍ନ ମୃତଦେହ। ମୃତଦେହକୁ ପୁଲିସ୍ ଜବତ କରିବା ସହ ତାଙ୍କ ପରିଚୟ ଖୋଜିବାରେ ଲାଗି ପଡ଼ିଥିଲା।
ମାମଲା ଉପରୁ ପରଦା ହଟାଇବା ପାଇଁ ଡିସିପି(ସିଟି) ସୟିଦ ଅଲୀ ଆବାସ ୫ଟି ପୁଲିସ୍ ଟିମ ଗଠନ କରିଥିଲେ। ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ବେଳେ ଜଣାପଡ଼ିଥିଲେ ଯେ ଜଣେ ବ୍ୟକ୍ତି ଗୋଟିଏ ଅଫିସରୁ ଅଖାକୁ ଭିଡ଼ିଭିଡ଼ି ଆଣୁଛନ୍ତି ଓ ପରବର୍ତ୍ତୀ ଅବସ୍ଥାରେ ଅଖାକୁ ନିଜ ସ୍କୁଟିରେ ରଖି ଜବାହର ବ୍ରିଜ ଆଡ଼େ ଯାଉଛନ୍ତି।
ନିଖୋଜ ମାମଲା ଓ ଫୁଟେଜ ଆଧାରରେ ମାରୁତି ପ୍ଲାଜା ପୁଲିସ୍ ଅଭିଯୁକ୍ତ ଜଣଙ୍କ ବିନୟ ସିଂହ ବୋଲି ଜାଣିବାକୁ ପାଇଥିଲା। ଏମଜି ରୋଡରେ ଲାଗିଥିବା ସିସିଟିଭି କ୍ୟାମେରାରେ ମଧ୍ୟ ଉକ୍ତ ବ୍ୟକ୍ତି କଏଦ ହୋଇଥିଲେ। ଜାତୀୟ ରାଜପଥରେ ସେ ମଙ୍କୀ ଶର୍ମାଙ୍କ ସ୍କୁଟି ନେଇ ଯାଉଥିବା ଦେଖିବାକୁ ମିଳିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ଏହାକୁ ଆଧାର କରି ପୁଲିସ ବିନୟ ସିଂହଙ୍କୁ ଉଠାଇ ନେଇଥିଲା। ଜେରା ବେଳେ ସେ ପୁଲିସ୍ ଆଗରେ ନିଜର ଅପରାଧକୁ ସ୍ୱୀକାର କରିଛନ୍ତି। ବିନୟ ପୁଲିସ୍କୁ କହିଛନ୍ତି ଯେ ସେ ଜାନୁଆରୀ ୨୩ରେ ଫୋନ କରି ମଙ୍କୀ ଶର୍ମାଙ୍କୁ ଅଫିସକୁ ଡାକିଥିଲେ। ସେଠାରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ବିନୟ ଗୋଟିଏ ଛୁରୀରେ ମିଙ୍କୀ ଶର୍ମାଙ୍କୁ ଆକ୍ରମଣ କରିଥିଲେ।
ଛୁରୀ ତାଙ୍କ ବେକରେ ମାଡ଼ ହୋଇଯିବାରୁ ମିଙ୍କୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ସେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିବା ସହ ମୃତଦେହକୁ ଖଣ୍ଡବିଖଣ୍ଡିତ କରି ଦେଇଥିଲେ। କ୍ଷତାକ୍ତ ମୃତଦେହକୁ ଗୋଟିଏ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ପାର୍ସଲ ଟେପରେ ଏହାକୁ ସିଲ କରି ଦେଇଥିଲେ। କଟା ମୁଣ୍ଡକୁ ସେ ଗୋଟିଏ କାନ୍ଧ ପକା ବ୍ୟାଗରେ ରଖିଥିଲେ।
କିଛି ସମୟରେ ସେ ମିଙ୍କୀ ଶର୍ମାଙ୍କ ସ୍କୁଟିରେ ମୃତଦେହକୁ ଧରି ଜବାହର ବ୍ରିଜ ଆଡ଼କୁ ଯାଇଥିଲେ। ଯମୁନା ନଦୀରେ ମୃତଦେହକୁ ଫିଙ୍ଗିବାକୁ ବିନୟ ଚାହୁଁଥିଲେ। କିନ୍ତୁ ମୃତଦେହର ଓଜନ ଅଧିକ ହେବାରୁ ସେ ଏହାକୁ ଟେକି ପାରି ନଥିଲେ। ସେହିପରି ଲୋକମାନେ ସେହି ରାସ୍ତାରେ ଯିବା ଆସିବା କରୁଥିବାରୁ ସେ ଧରା ପଡ଼ିଯିବା ଭୟରେ କ୍ଷତାକ୍ତ ମୃତଦେହ ରହିଥିବା ଅଖାକୁ ସେଠାରେ ରଖି ଫେରାର ହୋଇ ଯାଇଥିଲେ।
ବ୍ୟାଗରେ ଥିବା ମୃତଦେହ, ମିଙ୍କୀ ଶର୍ମାଙ୍କ ଡ୍ରେସ, ମୋବାଇଲ ଫୋନ ଓ ବ୍ୟାଗକୁ ଗୋଟିଏ ଡ୍ରେନ ପାଖରେ ପିଙ୍ଗି ଦେଇଥିଲେ। ଶେଷରେ ସ୍କୁଟିକୁ ଆଉ ଗୋଟିଏ ସ୍ଥାନରେ ରଖି ଚାଲି ଯାଇଥିଲେ।
ପୁଲିସ୍ ବିନୟ ବ୍ୟବହାର କରିଥିବା ସ୍କୁଟି, ଛୁରୀ ଓ ମିଙ୍କୀ ଶର୍ମାଙ୍କ ଡ୍ରେସକୁ ଜବତ କରିଛି। ହେଲେ କଟା ମୁଣ୍ଡ ଏଯାଏ ମିଳିନି। ମୃତଦେହକୁ ପରିବାର ଲୋକ ଚିହ୍ନଟ କରିଛନ୍ତି ଓ ବିନୟଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠା ଯାଇଥିବା ପୁଲିସ୍ ଅଧିକାରୀ ଆବାସ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
