/odisha-reporter/media/post_attachments/uploadimage/library/16_9/16_9_0/Patient__1708503103.jpg)
Patient
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ରାସ୍ତା ଉପରେ ଓ ଖୋଲା ଆକାଶ ତଳେ ଶହଶହ ଲୋକଙ୍କ ଚିକିତ୍ସା କରାଯାଇଛି। ରୋଗୀମାନଙ୍କୁ ଗଛରେ ସାଲାଇନ ବୋତଲ ଟଙ୍ଗାଇ ସେବା ଯୋଗା ଦିଆଯାଇଛି।
ମହାରାଷ୍ଟ୍ରରେ ମଙ୍ଗଳବାର ରାତିରେ ଏପରି ଘଟଣା ଘଟିଛି। ଏଠାରେ ଆୟୋଜିତ ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମରେ ଭୋଗ ଖାଇବା ପରେ ୩୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ। ଏଥିପାଇଁ ଅସୁସ୍ଥ ହୋଇପଡ଼ିଥିବା ମହିଳା ଓ ଛୋଟ ପିଲାଙ୍କ ସମସ୍ତ ୩୦୦ରୁ ଅଧିକ ଲୋକଙ୍କୁ ରାସ୍ତା ଉପରେ ହିଁ ଚିକିତ୍ସା କରାଯାଇଛି।
ମହରାଷ୍ଟ୍ରର ବୁଲଧାନାରେ ଆୟୋଜିତ ସାପ୍ତାହିକ ଧାର୍ମିକ କାର୍ଯ୍ୟକ୍ରମ ମଙ୍ଗଳବାର ଶେଷ ହୋଇଛି। ଶେଷ ଦିନରେ ଶ୍ରଦ୍ଧାଳୁଙ୍କ ପାଇଁ ଭୋଗର ବ୍ୟବସ୍ଥା ହୋଇଥିଲା। ତେବେ ଭୋଗ ଖାଇବା କ୍ଷଣି ଲୋକମାନେ ବାନ୍ତି କରିବା ଆରମ୍ଭ କରିଥିଲେ। କିଛି ଲୋକଙ୍କ ମୁଣ୍ଡ ବୁଲାଇଥିଲା।
ଲୋକମାନେ ଅସୁସ୍ଥ ହେଉଥିବାରୁ ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ହସ୍ପିଟାଲରେ ଆବଶ୍ୟକ ବେଡ ରୋଗୀଙ୍କୁ ମିଳି ନଥିଲା। ତେଣୁ ହସ୍ପିଟାଲ ବାହାରେ ଥିବା ରାସ୍ତାରେ ସମସ୍ତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା।
ରୋଗୀଙ୍କୁ ଦିଆଯାଇଥିବା ସାଲାଇନକୁ ଗଛରେ ଟଙ୍ଗା ଯାଇଥିଲା। ସମସ୍ତେ ତଳେ ଧାଡ଼ି ହୋଇ ଶୋଇଥିବା ବେଳେ ସେମାନଙ୍କର ଚିକିତ୍ସା ଚାଲିଥିବା ଭିଡିଓ ସାମ୍ନାକୁ ଆସିଛି।
ଗାଁ ଲୋକମାନେ କହିଛନ୍ତି ଯେ ଅସୁସ୍ଥତା କାରଣରୁ ଲୋକମାନଙ୍କୁ ସେମାନେ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ସେଠାରେ କୌଣସି ଡାକ୍ତର ନଥିଲେ। ତେଣୁ ଘରୋଇ ହସ୍ପିଟାଲର କିଛି ଡାକ୍ତରଙ୍କୁ ଲୋକମାନେ ଡାକିଥିଲେ।
ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରୋଗୀ ସେବା ଆରମ୍ଭ କରିଥିଲେ। ପ୍ରଶାସନ ଏ ସମ୍ପର୍କରେ କିଛି ବି କହି ନାହିଁ। କିନ୍ତୁ ଅସୁସ୍ଥ ହୋଇପଡ଼ିଥିବା ୩୦୦ରୁ ଅଧିକ ଲୋକଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପ୍ରଶାସନ ସୂଚନା ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
