ଖଲିସ୍ତାନ ସପକ୍ଷବାଦୀ ନେତା ତଥା ୱାରିସ୍ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂହ ଫେରାର ହେବାର ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଅମ୍ରିତପାଲ ଭାରତ-ନେପାଳ ସୀମାରେ ଲୁଚିଥିବା ଗୋଇନ୍ଦା ବିଭାଗ ଖବର ପାଇବା ପରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ଆଜି ପଞ୍ଚମ ଦିନରେ ମଧ୍ୟ ଅମ୍ରିତପାଲଙ୍କୁ ଖୋଜା ଚାଲିଛି। ଉତ୍ତରାଖଣ୍ଡ ପୁଲିସ ନେପାଳ ସୀମାରେ ଉଦ୍ଦାମ ସିଂହନଗରରେ ଗୁରୁଦ୍ୱାର, ହୋଟେଲରେ କମ୍ବି ଅପରେଶନ ଜାରି ରଖିଛି। ଫେରାରର ୪ ଦିନ ପରେ ସୁଦ୍ଧା ପୁଲିସ ହାତ ଖାଲି ଥିବା ବେଳେ ଅମୃତପାଲ ଏବଂ ତାଙ୍କ ସହଯୋଗୀଙ୍କୁ ତଲାସି ଜାରି ରହିଛି। ଗତ ରବିବାର ଅମୃତପାଲଙ୍କ ୪ ସହଯୋଗୀଙ୍କୁ ଗିରଫ କରାଯାଇ ଦିବୃଗଡ଼ ଜେଲରେ ରଖାଯାଇଛି।
ଅମ୍ରିତପାଲଙ୍କୁ ଗିରଫ କରିବା ଲାଗି ଶନିବାର ଠାରୁ ପୁଲିସ ଚଢଉ ଆରମ୍ଭ ହୋଇଛି। ଏଥିପାଇଁ ପଞ୍ଜାବରେ ଇଣ୍ଟରନେଟ୍, ଏସ୍ଏମ୍ଏସ୍ ଓ ଡୋଙ୍ଗଲ ସେବାକୁ ସୋମବାର ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇ ଥିଲା। ଲୋକଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇ ଥିଲା। କାରଣ ଅମୃତପାଲଙ୍କୁ ଗିରଫ ପାଇଁ ପୁଲିସ ଚଢଉ ଜାରି ରଖିଥିବାରୁ ତାଙ୍କ ସମର୍ଥକମାନେ ଏକଜୁଟ୍ ହୋଇ ହିଂସାକାଣ୍ଡ ଘଟାଇବାର ଆଶଙ୍କା ପ୍ରକାଶ କରାଯାଇଛି। ହିଂସା ଏଡାଇବା ଲାଗି ଅମୃତପାଲଙ୍କ ପୈତୃକ ଗ୍ରାମ ଜାଲୁ ଖେଦାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅମୃତପାଲ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ପୁଲିସ ରବିବାର ଆଉ କେତେକ ମାମଲା ରୁଜୁ କରିଛି। ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି। ଏହା ସହିତ ଅମୃତପାଲଙ୍କ ଆଉ କେତେକ ସମର୍ଥକଙ୍କୁ ମଧ୍ୟ ପୁଲିସ ରବିବାର ଗିରଫ କରିଛି।