ସ୍କୁଲ ସମୟରୁ ଆରମ୍ଭ ହୋଇଥିବା ପ୍ରେମ ଶେଷରେ ନେଲା ବିବାହର ରୂପ । ଉଭୟ ପରିବାରର ସହମତି ବିନା ଦୁହେଁ ସାଙ୍ଗରୁ ପାଲଟିଗଲେ ପତିପତ୍ନୀ। ମାତ୍ର ନୂଆ ସଂସାର ଗଢ଼ୁ ଗଢ଼ୁ ଦେଖାଦେଲା ଅଦିନିଆ ଝଡ଼ । ଶାରୀରିକ ଅସୁସ୍ଥତା ହେତୁ ପତ୍ନୀ ବାପଘରକୁ ଚାଲି ଆସିବାରୁ ପତି ବି ଚାକିରି ଛାଡ଼ିଦେଲେ। ଏହାପରେ ମାନସିକ ଅବସାଦରେ ରହୁଥିବା ସ୍ୱାମୀ ଦଉଡ଼ି ଦେଇ ଆତ୍ମହତ୍ୟା କରିଦେଲେ। ପତିଙ୍କ ମୃତ୍ୟୁର ଖବର ପାଇ ପତ୍ନୀ ବି ଛାତରୁ ଡେଇଁ ଜୀବନ ହାରିଲେ।
ଏପରି ଏକ ଅସ୍ୱାଭାବିକ ଘଟଣା ଉତ୍ତରପ୍ରଦେଶର ବାରଣାସୀରେ ଘଟିଛି। ମୃତ ଦମ୍ପତି ହେଲେ ବିହାର ପଟଣାର ୨୮ ବର୍ଷୀୟ ହରିଶ ବଗେଇ ଓ ତାଙ୍କ ପତ୍ନୀ ସଞ୍ଚିତା ଶ୍ରୀବାସ୍ତବ । ସଞ୍ଚିତାଙ୍କ ଘର ଉତ୍ତରପ୍ରଦେଶର ଗୋରଖପୁରରେ ବୋଲି ଜଣାଯାଇଛି।
ଉଭୟ ଏକ ସ୍କୁଲରେ ପଢ଼ୁଥିବା ବେଳେ ସେବେଠୁ ପରସ୍ପର ପ୍ରେମରେ ପଡ଼ିଥିଲେ। ମାତ୍ର ଏହାକୁ ଉଭୟ ପରିବାର ସମର୍ଥନ କରୁ ନ ଥିଲେ । କିନ୍ତୁ ପିଲାମାନଙ୍କ ଜିଦ୍ ଆଗରେ ସେମାନେ ରାଜି ହେଲେ ଓ ଶେଷରେ ଉଭୟଙ୍କ ବିବାହ ବେଶ ଆଡମ୍ବର ସହ ଅନୁଷ୍ଠିତ ହୋଇଥିଲା। ହରିଶ ମୁମ୍ବାଇର ଏକ ବ୍ୟାଙ୍କରେ ଚାକିରି କରୁଥିବା ବେଳେ ସଞ୍ଚିତା ବି ତାଙ୍କ ନିକଟକୁ ଚାଲି ଯାଇଥିଲେ।
ମାତ୍ର ସେଠାରେ ସଞ୍ଚିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କ ବାପା ଝିଅକୁ ନେଇ ଯାଇଥିଲେ। ଏହାପରେ ହରିଶ ବି ଚାକିରି ଛାଡ଼ି ପତ୍ନୀଙ୍କ ନିକଟକୁ ଚାଲି ଯାଇଥିଲେ।
ଦୁଇ ଦିନ ପୂର୍ବରୁ ହରିଣ ଗୋରଖପୁରରୁ ନିଜ ଘର ପଟଣା ଯାଉଥିବା କହି ବାହାରିଥିଲେ। ମାତ୍ର ସେ ବାରଣାସୀ ଯାଇ ଏକ ଷ୍ଟେ ରୁମ୍ରେ ରହିଥିଲେ। ହରିଶଙ୍କ ପରିବାର ଲୋକେ ପୁଅ ସମ୍ପର୍କରେ କୌଣସି ସୂଚନା ନ ପାଇ ଖୋଜାଖୋଜା କରି ଉକ୍ତ ଷ୍ଟେ ରୁମ୍ରେ ପହଞ୍ଚିଥିଲେ। ସେଠାରେ କବାଟ ଭାଙ୍ଗି ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ।
ସ୍ୱାମୀଙ୍କ ମୃତ୍ୟ ଖବର ପାଇବା ପରେ ସଞ୍ଚିତା ନିଜ ହିତାହିତ ଜ୍ଞାନ ହରାଇ ବସିଥିଲେ। ଏହାପରେ ସେ ବି ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ସ୍ତବ୍ଧ ହୋଇ ଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।