Advertisment

ଅନଲାଇନ୍‌ ବନ୍ଧୁଙ୍କ ପାଇଁ ୨୬୫ କିମି ଦୌଡ଼ି ଆସିଲେ ଯୁବତୀ, ମିଳିଲା ସାଂଘାତିକ ଧୋକା

ନିଜ ପରିବାର ତୁଚ୍ଛ ଲାଗିବାରୁ ଅଜଣା ବନ୍ଧୁଙ୍କୁ ଦେଖିବାକୁ ୨୬୫ କିମି ଛୁଟି ଆସିଲେ। ମାତ୍ର ପହଞ୍ଚିବା ପରେ ମିଳିଲାନି ଭଲ ପାଇବା ବରଂ ମିଳିଲା ପ୍ରତାରଣା ଓ ଧୋକା।

author-image
Niharika Rout
Misbehave

Misbehave

ଅନଲାଇନ୍‌ ବନ୍ଧୁତା ହେଲା କାଳ । ଅନ୍‌ଲାଇନ୍‌ ବନ୍ଧୁଙ୍କ କଥାକୁ ଆଖି ବୁଜି ବିଶ୍ୱାସ କରିଦେଲେ ଯୁବତୀ। ଏପରିକି ନିଜ ପରିବାର ତୁଚ୍ଛ ଲାଗିବାରୁ ଅଜଣା ବନ୍ଧୁଙ୍କୁ ଦେଖିବାକୁ ୨୬୫ କିମି ଛୁଟି ଆସିଲେ। ମାତ୍ର ପହଞ୍ଚିବା ପରେ ମିଳିଲାନି ଭଲ ପାଇବା ବରଂ ମିଳିଲା ପ୍ରତାରଣା ଓ ଧୋକା।

Advertisment

ଅଭିଯୁକ୍ତ ଯୁବକଜଣକ ଯୁବତୀଙ୍କୁ ୨୦ ଦିନ କାଳ ଏକ ହୋଟେଲ ରୁମ୍‌ରେ ବୁକ୍‌ କରି ଦେଉଥିଲେ ନିର୍ଯାତନା । ଶେଷରେ ଦେବଦୂତ ସାଜିଲେ ହାଇଦ୍ରାବାଦର ‘SHE TEAM’ । ଆଉ ଯୁବତୀଙ୍କୁ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଏପରି ଏକ ଘଟଣା ହାଇଦ୍ରାବାଦରେ ଘଟିଛି।

ଯୁବତୀଜଣକ ୧୮ ବର୍ଷର ବୋଲି ଜଣାପଡ଼ିଥିବା ବେଳେ ଅଭିଯୁକ୍ତ ଯୁବକଙ୍କ ବୟସ ୧୯ ବର୍ଷ ଓ ସେ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାଯାଇଛି। ଯୁବତୀଙ୍କ ଘର ତେଲେଙ୍ଗାନାରେ ବୋଲି ଜଣାଯାଇଛି।

Advertisment

କିଛି ଦିନ ପୂର୍ବେ ଏକ ସୋଶାଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଯୁବକଙ୍କ ସହ ବନ୍ଧୁତା ହୋଇଥିଲା। କିଛି ଦିନର କଥାବାର୍ତ୍ତା ପରେ ଯୁବକଜଣକ ଯୁବତୀଙ୍କୁ ନିଜ କଥାରେ ଫସାଇ ହାଇଦ୍ରାବାଦ ଆସିବାକୁ କହିଥିଲେ।

କମ୍‌ ଦିନ ମଧ୍ୟରେ ଯୁବକଙ୍କୁ ଅନ୍ଧ ଭଳି ବିଶ୍ୱାସ କରି ବସିଥିବା ଯୁବତୀଜଣକ ଘରେ କିଛି ନ ଜଣାଇ ହାଇଦ୍ରାବାଦ ଅଭିମୁଖେ ବାହାରି ଆସିଥିଲେ। ପ୍ରାୟ ୨୬୫ କିମି ଦୂରତା ଅତିକ୍ରମ କରିବା ପରେ ସେ ନିଜ ଅନଲାଇନ୍‌ ବନ୍ଧୁଙ୍କ ନିକଟରେ ପହଞ୍ଚିଥିଲେ। ଯାହା ପାଇଁ ଘର ଛାଡ଼ି ଏତେ ଦୂର ଚାଲି ଆସିଥିଲେ, ତା’ ସହ ମନ ଭରି କଥା ହେବାକୁ ଭାବିଥିଲେ।

ମାତ୍ର ସବୁ କିଛି ଓଲଟପାଲଟ ହୋଇଗଲା। ସାମନାକୁ ଆସିବା ପରେ ଯୁବକଜଣକ ନିଜ ଅସଲ ଚେହେରା ଦେଖାଇଲେ। ଜୋରଜବରଦସ୍ତ ନେଇ ଯୁବତୀଙ୍କୁ ଏକ ହୋଟେଲ ରୁମ୍‌ରେ ରଖିଥିଲେ। ସେଠାରେ ସେ ଯୁବତୀଙ୍କୁ ବନ୍ଦୀ ଭାବେ ରଖିଥିବା ବେଳେ ଆଉ ବାହାରକୁ ଛାଡ଼ୁ ନ ଥିଲେ।

ଇତି ମଧ୍ୟରେ ଯୁବତୀଜଣକ ନିଜ ପରିବାର ଲୋକଙ୍କ ପାଖକୁ କୌଶଳ କ୍ରମେ ଇନଷ୍ଟାରେ ମେସେଜ କରି ନିଜ ଲୋକେସନ୍‌ ପଠାଇଥିଲେ। ପରିବାର ଲୋକେ ତୁରନ୍ତ ହାଇଦ୍ରାବାଦ ପୁଲିସ୍‌ର ‘SHE TEAM’ରେ ଏନେଇ ଅଭିଯୋଗ କରିଥିଲେ। ‘SHE TEAM’ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇ ଯୁବତୀଙ୍କୁ ହୋଟେଲ ରୁମ୍‌ରୁ ଉଦ୍ଧାର କରାଯାଇ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଅଭିଯୋଗରେ ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।

ଯୁବତୀ ତଥା ମହିଳାଙ୍କୁ ସୁରକ୍ଷା ଯୋଗାଇବାକୁ ହାଇଦ୍ରାବାଦ ପୁଲିସ୍‌ର ‘SHE TEAM’ କାର୍ଯ୍ୟ କରୁଛି। ଯେକୌଣସି ସ୍ଥାନରେ ମହିଳା ତଥା ଯୁବତୀ ଅସଦାଚରଣ କିମ୍ବା ନିର୍ଯାତନାର ଶିକାର ହେଉଥିବା ସୂଚନା ପାଇଲେ ଏହି ଟିମ୍‌ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥାଏ।

Telengana