Advertisment

କାଲି ବିଜେପିକୁ ଟାର୍ଗେଟ କରୁଥିଲେ, ଆଜି ବଦଳିଗଲା ଦିଗବିଜୟଙ୍କ ସ୍ୱର

ଗତକାଲି ବିଜେପିକୁ ଟାର୍ଗେଟ କରି ଗର୍ଜୁଥିବା କଂଗ୍ରେସର ଏହି ପୁରୁଖା ନେତା ଆଜି ନରମି ଯାଇଛନ୍ତି। ଏହି ବିବାଦରୁ କଂଗ୍ରେସ ନିଜକୁ ଦୂରେଇ ରଖିବାରୁ ବଦଳି ଯାଇଛି ଦିଗବିଜୟଙ୍କ ସ୍ୱର ।

author-image
Niharika Rout
Digvijaya-singh

Digvijaya-singh

ନରମିଗଲେ କଂଗ୍ରେସର ଟାଣୁଆ ନେତା ଦିଗବିଜୟ ସିଂ। ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆତଙ୍କୀ ହାମଲାକୁ ନେଇ ଗତକାଲି ବିଜେପିକୁ ଟାର୍ଗେଟ କରିଥିବା ଦିଗବିଜୟ ସିଂ ଆଜି ନିଜ ବୟାନ ବଦଳାଇ ଦେଇଛନ୍ତି। ଏହା ଦିଗବିଜୟଙ୍କ ନିଜସ୍ୱ ମତ, ଦଳର ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏପରିକି କୌଣସି ମନ୍ତବ୍ୟ ନ ଦେବାକୁ ଦଳ ପକ୍ଷରୁ ସବୁ ସଦସ୍ୟଙ୍କୁ ଆଡଭାଇଜରୀ ଜାରି କରାଯିବା ପରେ ଦିଗବିଜୟ ନିଜ ସ୍ୱର ବଦଳାଇଛନ୍ତି। ଏଥିସହ ସୁରକ୍ଷା ବାହିନୀ ପ୍ରତି ବହୁତ ସମ୍ମାନ ଥିବା ବି କହିଛନ୍ତି।

Advertisment

ଜମ୍ମୁରେ ଭାରତ ଯୋଡ଼ୋ ଯାତ୍ରା ବେଳେ ଗତକାଲି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ପୁଲୱାମା ଆତଙ୍କୀ ହମଲାକୁ ନେଇ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ପୁଲୱାମାରେ ଆମର ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ସିଆରପିଏଫ ଅଧିକାରୀମାନେ ସେମାନଙ୍କୁ ଏୟାରଲିଫ୍ଟ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ରାଜି ହୋଇ ନଥିଲେ। ଆଜି ଯାଏ ପୁଲୱାମା ସମ୍ପର୍କରେ କୌଣସି ରିପୋର୍ଟ ସଂସଦରେ ଉପସ୍ଥାପନ କରାଯାଇନି। ସେମାନେ କହୁଛନ୍ତି ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା। କିନ୍ତୁ ଏହାର ପ୍ରମାଣ ଦେଉ ନାହାନ୍ତି।  କେନ୍ଦ୍ର ସରକାର ଏହାକୁ ନେଇ ମିଥ୍ୟା  ପ୍ରଚାର କରୁଥିବା ବି ସେ କହିଥିଲେ।

ତାଙ୍କର ଏପରି ବୟାନ ପରେ ଉତ୍ତେଜନା ଦେଖାଯାଇଥିବା ବେଳେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇ ଯାଇଛି। ଏପରିକି କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ତୀବ୍ର ସମାଲୋଚନା କରିବାକୁ ପଛାଉ ନାହିଁ ବିଜେପି। ଦିଗବିଜୟ ସିଂହଙ୍କ ବୟାନକୁ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିବା ସହ  ରାହୁଲ ଗାନ୍ଧି ଓ ଦିଗବିଜୟ ସିଂହଙ୍କ ମଧ୍ୟରେ ଆଉ କୌଣସି ପ୍ରକାରର ଦେଶଭକ୍ତି ନ ଥିବା ଗତକାଲି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଥିଲେ।

Advertisment

ଏବେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା ଚାଲିଥିବା ବେଳେ ଦିଗବିଜୟଙ୍କ ବୟାନ ଦଳର ଭାବମୂର୍ତ୍ତିକୁ ଅଡ଼ୁଆରେ ପକାଇ ପାରେ ବୋଲି ଦଳ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଥିଲା। ତେଣୁ ଦଳ ଦିଗବିଜୟଙ୍କ ବିବାଦୀୟ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛି। ଏହା ଦିଗବିଜୟ ସିଂଙ୍କ ନିଜସ୍ୱ ବ୍ୟକ୍ତିଗତ ମନ୍ତବ୍ୟ, ଦଳର ନୁହେଁ ବୋଲି ଟ୍ୱିଟ କରି ସ୍ପଷ୍ଟ କରିଥିଲେ ଜୟରାମ ରମେଶ।

 ଏନେଇ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପଚାରିବାରୁ ଉତକ୍ଷିପ୍ତ ହୋଇ ମାଇକ୍‌ ସବୁ ହଟାଇ ଦେଇଥିଲେ ଜୟରାମ ରମେଶ।  ଦିଗବିଜୟ ସିଂଙ୍କ ମନ୍ତବ୍ୟ ଉପରେ କୌଣସି ବୟାନ ନ ଦେବାକୁ କଂଗ୍ରେସ ପକ୍ଷରୁ ପାର୍ଟିର ସଦସ୍ୟଙ୍କୁ ଆଡଭାଇଜରି ଜାରି କରାଯାଇଛି। ତେଣୁ କେହି ପାଟି ଫିଟାଉ ନ ଥିବା ଜଣାଯାଇଛି।

Congress