Advertisment

‘ମୋ’ ବିରୋଧରେ ସାଂଘାତିକ ଷଡଯନ୍ତ୍ର ଚାଲିଛି, ଇସ୍ତଫା ଦେବାର ପ୍ରଶ୍ନ ଉଠୁନି’

ମୁଁ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦୋଷ, ତେଣୁ ଅପରାଧୀ ହିସାବରେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି। ମୋର କାହା ବିରୋଧରେ କିଛି ଅଭିଯୋଗ ନାହିଁ। ମୁଁ ଯେକୌଣସି ଯାଞ୍ଚର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ।

author-image
Niharika Rout
Brij-Bhushan- Saran-Singh

Brij-Bhushan- Saran-Singh

‘ମୁଁ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦୋଷ, ତେଣୁ ଅପରାଧୀ ହିସାବରେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି। ମୋର କାହା ବିରୋଧରେ କିଛି ଅଭିଯୋଗ ନାହିଁ। ମୁଁ ଯେକୌଣସି ଯାଞ୍ଚର ସମ୍ମୁଖୀନ ହେବାକୁ ପ୍ରସ୍ତୁତ । ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି ଓ ନ୍ୟାୟ ପାଇବି ବୋଲି ଆଶା ରଖିଛି। ’ ଦିଲ୍ଲୀ ପୁଲିସ୍‌ ଗତ ରାତିରେ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ୨ଟି ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରିଥିବା ବେଳେ ଆଜି ନିଜ ସଫେଇରେ ସେ ଏପରି କହିଛନ୍ତି।

Advertisment

ଏଥିସହ ସେ କହିଛନ୍ତି, ‘ମୁଁ ସବୁ ଅଭିଯୋଗର ସାମନା କରିବାକୁ ପ୍ରସ୍ତୁତ ଅଛି। ଏହି ଧାରଣାରେ କୁସ୍ତିଯୋଦ୍ଧା ନୁହନ୍ତି, ବରଂ ଷଡଯନ୍ତ୍ରକାରୀମାନେ ସାମିଲ ହୋଇଛନ୍ତି । ମୋ ବିରୋଧରେ ଏକ ନିର୍ଦ୍ଦିଷ୍ଟ ପରିବାର, ନିର୍ଦ୍ଦିଷ୍ଟ ଆଖଡ଼ା ଓ ଜଣେ ପ୍ରତିଷ୍ଠିତ ବିଜନେସମ୍ୟାନ ଷଡଯନ୍ତ୍ର କରୁଛନ୍ତି। କଂଗ୍ରେସ ମୋ’ ଛବିକୁ ମାଟିରେ ମିଶାଇବାକୁ ଲାଗି ପଡ଼ିଛି। ହେଲେ ମୋର ପୁଲିସ୍‌ ଓ ସୁପ୍ରିମ କୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ’  

ଯେଉଁମାନେ ଧାରଣାରେ ବସିଛନ୍ତି ସେମାନଙ୍କ ଦାବି ସବୁବେଳେ ବଦଳିବାରେ ଲାଗିଛି। ପ୍ରଥମେ ସେମାନେ ମୋର ଇସ୍ତଫା ଦାବି କଲେ। ହେଲେ ଇସ୍ତଫା ଦେବା ଅର୍ଥ ନିଜ ଦୋଷ ସ୍ୱୀକାର କରିବା ଭାବି ମୁଁ ଇସ୍ତଫା ଦେବାକୁ ମନା କଲି । ଏହାପରେ ୪ ମାସ ପର୍ଯ୍ୟନ୍ତ ସେମାନେ ମୋ’ ବିରୋଧରେ ବହୁ ଲୋକଙ୍କୁ ଉସୁକାଇଲେ ଓ ନୂଆ ନୂଆ ଲୋକଙ୍କୁ ନିଜ ସପକ୍ଷରେ ଛିଡ଼ା କରାଇଲେ । ଏବେ ସେମାନେ ମୋ’ ଗିରଫଦାରୀ ଦାବି କରୁଛନ୍ତି ବୋଲି କହିଛନ୍ତି ବ୍ରିଜ ଭୂଷଣ ଶରଣ ସିଂ । ମୁଁ ଏଯାଏ ଏଫଆଇଆର କପି ପାଇନାହିଁ। କପି ପାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସେ କହିଛନ୍ତି ।

Advertisment

ରେସଲରମାନେ ପ୍ରଥମେ ରାଜନୈତିକ ପାର୍ଟିଙ୍କୁ ନିଜ ଆନ୍ଦୋଳନରୁ ଦୂରେଇ ରଖିବେ ବୋଲି ଘୋଷଣା କରିଥିବା ବେଳେ ଏବେ ସମସ୍ତ ପାର୍ଟିଙ୍କ ପାଇଁ ଜନ୍ତରମନ୍ତରରେ ହେଉଥିବା ଧାରଣାସ୍ଥଳକୁ ଉନ୍ମୁକ୍ତ କରାଯାଇଛି। ଫଳରେ ପପୁ ଯାଦବ, କେଜ୍ରିୱାଲ, ପ୍ରିୟଙ୍କା ଗାନ୍ଧୀଙ୍କ ପରି ନେତାମାନେ ଜନ୍ତର ମନ୍ତରକୁ ଯାଉଛନ୍ତି। ଦିଲ୍ଲୀ ପୁଲିସ୍ ରିପୋର୍ଟ ସାମନାକୁ ଆସିବା ପରେ ସେମାନେ ଜନ୍ତରମନ୍ତର ଯାଇଥିଲେ କ’ଣ ଅସୁବିଧା ହୋଇଥାନ୍ତା। ହେଲେ ଏତେ ତରବର ହୋଇ କାହିଁକି ଧାରଣା ସ୍ଥଳକୁ ଯାଉଥିଲେ, ଏହା ପଛାର କାରଣ ସ୍ପଷ୍ଟ ହୋଇ ପାରୁନି।

ବିଜେପିର ବହୁ ବିଧାୟକ ବ୍ରିଜ ଭୂଷଣଙ୍କ ସପକ୍ଷରେ ଛିଡ଼ା ହେବା ସହ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଏହା କଂଗ୍ରେସ ଓ କିଛି ବିଜନେସମ୍ୟାନଙ୍କ ଷଡଯନ୍ତ୍ର ବୋଲି ସେମାନେ ଖୁଲମଖୁଲା କହିଛନ୍ତି। ଏହା ଏକ ଯୋଜନା ମୁତାବକ ଷଡଯନ୍ତ୍ର ବୋଲି ଅଜୟ ପ୍ରତାପ ସିଂ ନାମକ ବିଧାୟକ କହିଛନ୍ତି।

ବ୍ରିଜ ଭୂଷଣ ଶରଣ ସିଂ ଏହା ମଧ୍ୟ କହିଛନ୍ତି ଯେ ଆନ୍ଦୋଳନକାରୀ ଭୁଲିବା ଉଚିତ ନୁହେଁ, ମୁଁ ଜଣେ ଲୋକସଭା ସାଂସଦ, ଭିନେଶ ଫୋଗଟଙ୍କ ଦୟାରୁ ନୁହେଁ, ଲୋକଙ୍କ ଭୋଟ ଯୋଗୁ ମୁଁ ଏଠାରେ ପହଞ୍ଚିଛି। କେବଳ ଗୋଟିଏ ପରିବାର ଏବଂ ଗୋଟିଏ ଆଖଡା ହିଁ ମୋତେ କାହିଁକି ସବୁବେଳେ ବିରୋଧ କରୁଛି ଜାଣିପାରୁନି। ମୁଁ ବହୁତ କଠିନ ପରିଶ୍ରମ କରୁଛି, ଏହା ମୋ ବିରୁଦ୍ଧରେ ଏକ ସାଂଘାତିକ ଷଡଯନ୍ତ୍ର।

ଅପରପକ୍ଷେ, କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଆଜି ଜନ୍ତରମନ୍ତରରେ ରେସଲରମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ଦିଲ୍ଲୀ ପୁଲିସ୍‌ ଉପରେ ବର୍ଷି କାହା ଚାପରେ ପୁଲିସ୍‌ ମାମଲା ରୁଜୁ କରୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ କୌଣସି ଆଶା ନାହିଁ। ସେ ରେସଲରଙ୍କ ଆନ୍ଦୋଳନକୁ ଗୁରୁତ୍ୱ ଦେଉଥିଲେ ଅନ୍ତତଃ ପକ୍ଷେ ଥରେ ସେମାନଙ୍କ ସମସ୍ୟା ଶୁଣିଥାନ୍ତେ। କିନ୍ତୁ କେନ୍ଦ୍ର ସରକାର ବ୍ରିଜ ଭୂଷଣଙ୍କୁ ସୁରକ୍ଷା ଯୋଗାଇବାକୁ ଯଥା ସମ୍ଭବ ଚେଷ୍ଟା ଚଳାଇଛି ବୋଲି ସେ କହିଛନ୍ତି  ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବ୍ରିଜ ଭୂଷଣଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଏକ ୬ ଜଣିଆ କମିଟି ଗଠନ କରିଥିଲେ। ଉକ୍ତ କମିଟି ଗତ ୫ ତାରିଖରେ ନିଜ ରିପୋର୍ଟ ଦେଇ ସାରିଥିବା ସତ୍ତ୍ୱେ ଏହାକୁ ସାର୍ବଜନୀନ କରାଯାଇନି। ଫଳରେ ରେସଲରମାନେ ପୁଣି ଥରେ ନିଜ ଜିଦ୍‌ରେ ଅଡ଼ି ବସି ଆନ୍ଦୋଳନ ଆରମ୍ଭ କରିଛନ୍ତି। 

ଏହାପରେ ଗତକାଳଇ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଗତକାଲି ୨ଟି ଯୌନ ଉତ୍ପୀଡ଼ନ ମାମଲା ଦିଲ୍ଲୀର କନ୍ନଟପ୍ଲେସ୍‌ ଥାନାରେ ରୁଜୁ ହୋଇଛି। ସେଥି ମଧ୍ୟରୁ ଗୋଟିଏ ଅଭିଯୋଗ ଜଣେ ନାବାଳିକା ରେସଲର କରିଥିବା ବେଳେ ଅନ୍ୟଟି ଜଣେ ମହିଳା କୁସ୍ତି ଯୋଦ୍ଧା କରିଛନ୍ତି। 

Delhi Supreme Court Indian Wrestler