Advertisment

'୧୪ ବର୍ଷ ଗଲା, ୪୦ ତେଜାସ ମିଳିପାରିଲାନି'

ଚୀନ ଷଷ୍ଠ ପିଢ଼ିର ଯୁଦ୍ଧ ବିମାନ ପରୀକ୍ଷା କଲାଣି। ଆମ ବାୟୁସେନା ୨୦୧୦ରେ ମାଗିଥିବା ପ୍ରଥମ ସେଟ୍ ୪୦ଟି ତେଜାସ ତାଙ୍କୁ ଏପର୍ଯ୍ୟନ୍ତ ମିଳିନି। ଦୁଃଖ ପ୍ରକାଶ କଲେ ବାୟୁସେନା ମୁଖ୍ୟ ମାର୍ଶଲ ଏପି ସିଂହ।

author-image
Debadatta Aryashrestha
AIR Chief Marshal AP Singh

AIR Chief Marshal AP Singh

ଦେଶରେ ଯୁଦ୍ଧ ବିମାନର ଅଭାବକୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଏପି ସିଂହ ଚିନ୍ତା ପ୍ରକଟ କରିଛନ୍ତି। ଆମ ଦେଶର ପ୍ରମୁଖ ଲଢ଼ୁଆ ବିମାନ ତେଜସ୍ ଯୋଗାଣରେ ମଧ୍ୟ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି। ଗୋଟିଏ ପଟେ ପଡ଼ୋଶୀ ଦେଶ ଚୀନ ଷଷ୍ଠ ପିଢ଼ିର ଯୁଦ୍ଧ ବିମାନ ପରୀକ୍ଷା କରିଥିବାବେଳେ ଆମ ବାୟୁସେନା ୨୦୧୦ରେ ମାଗିଥିବା ପ୍ରଥମ ସେଟ୍ ୪୦ଟି ତେଜାସ ତାଙ୍କୁ ଏପର୍ଯ୍ୟନ୍ତ ମିଳିନଥିବା କହିଛନ୍ତି ମାର୍ଶଲ ଏପି ସିଂହ।

Advertisment

ଦିଲ୍ଲୀରେ ଅନୁଷ୍ଠିତ ୨୧ଶ ସୁବ୍ରତ ମୁଖାର୍ଜୀ ସେମିନାରରେ ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଏପି ସିଂହ କହିଛନ୍ତି ଯେ, ଆଜି ଆମେ ୨୦୨୪ରେ ଅଛୁ, କିନ୍ତୁ ବାୟୁସେନା ପାଖରେ ୪୦ଟି ତେଜାସ ଜେଟ୍ ମଧ୍ୟ ନାହିଁ। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରତିରକ୍ଷା ଉତ୍ପାଦରେ ଘରୋଇ ସହଭାଗୀତା ବୃଦ୍ଧି ଏବଂ ଏ କ୍ଷେତ୍ରରେ ଅଧିକ ପାଣ୍ଠି ଯୋଗାଇବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବାୟୁସେନା ମୁଖ୍ୟ। ସେ କହିଛନ୍ତି, ସମୟସୀମା ସରିଗଲେ ଏକ ଜିନିଷ ତାର ଗୁରୁତ୍ୱ ହରାଇଥାଏ। ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସେ ଆହୁରି କହିଛନ୍ତି ଯେ ଚୀନ୍ ଷଷ୍ଠ ପିଢ଼ିର ଯୁଦ୍ଧ ବିମାନ ପ୍ରସ୍ତୁତ କରୁଛି। କିଛି ଦିନ ପୂର୍ବରୁ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆମେ ଆମର ଉତ୍ତର ଏବଂ ପଶ୍ଚିମ ପଡୋଶୀ ଦେଶକୁ ଚିନ୍ତିତ। ଦୁହେଁ ଦ୍ରୁତ ଗତିରେ ନିଜର ଶକ୍ତି ବୃଦ୍ଧି କରୁଛନ୍ତି। ତେଣୁ ଆମେ ଅନ୍ୟ ଉତ୍ସଗୁଡ଼ିକ ବିଷୟରେ ଚିନ୍ତା କରିବା ଉଚିତ୍। ଆମ ଦେଶରେ ଲଢୁଆ ବିମାନ ନିର୍ମାଣରେ ସଂସ୍ଥା ଗୁଡିକ ଦକ୍ଷ ହେବା ଉଚିତ।

Advertisment

ବାୟୁସେନାକୁ ଭାରତରେ ନିର୍ମାଣ ହୋଇଥିବା ଯୁଦ୍ଧ ବିମାନ ଯୋଗାଇ ଦେବାକୁ ୧୯୮୪ ମସିହାରେ ଯୋଜନା ହୋଇଥିଲା। ଏହାର ୧୭ ବର୍ଷ ପରେ ୨୦୦୧ରେ ପ୍ରଥମ ଥର ପାଇଁ ତେଜସ୍ ଉଡ଼ାଣ ଭରିଥିଲା। ଏହାର ୧୫ ବର୍ଷ ପରେ ସେନାରେ ଏହାକୁ ୨୦୧୬ରେ ସାମିଲ କରାଯାଇଥିଲା। ସେବେଠୁ ୮ ବର୍ଷ ବିତି ଯାଇଥିଲେ ବି ୨୦୧୦ରେ ଅର୍ଡର ହୋଇଥିବା ୪୦ଟି ତେଜସ ବିମାନ ବାୟୁସେନାକୁ ଏବେଯାଏଁ ମିଳିପାରି ନାହିଁ। ଏହା ହେଉଛି ଭାରତର ଉତ୍ପାଦନ କ୍ଷମତା। ତେବେ ଆମକୁ ପ୍ରତିଯୋଗିତା ମନୋଭାବ ରଖିବାକୁ ପଡ଼ିବ। ଆମ ପାଖରେ ବିକଳ୍ପ ରହିବା ମଧ୍ୟ ଆବଶ୍ୟକ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ମାର୍ଶଲ ଏପି ସିଂହ।

Indian Air Force AIR Chief Marshal AP Singh Tejas Jets Indian Defense