ବିମାନ ଦୁର୍ଘଟଣା ଗ୍ରସ୍ତ
ଭାରତୀୟ ବାୟୁ ସେନା(IAF)ର ଗୋଟିଏ ଟ୍ରେନିଂ ବିମାନ ପୋଖରୀରେ ଖସି ପଡ଼ିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଜର୍ଜ ଟାଉନ ସହରର କେପି କଲେଜ ଗ୍ରାଉଣ୍ଡ ପାଖରେ ଥିବା ପୋଖରୀରେ ଏହା କ୍ରାଶ କରି ଯାଇଛି। ବିମାନଟି ପୋଖରୀରେ କ୍ରାଶ କରିଥିଲେ ହେଁ ଏହା ମଧ୍ୟରେ ଥିବା ଦୁଇ ପାଇଲଟ ସୁରକ୍ଷିତ ରହିଛନ୍ତି।
ସେମାନେ ଠିକଣା ସମୟରେ ପାରଚ୍ୟୁଟ ଜରିଆରେ ବିମାନରୁ ବାହାରି ଯାଇଥିଲେ। ସେହିପରି ବିମାନଟି ଜନବସତିରେ ଖସି ନଥିବାରୁ ସାଧାରଣ ଲୋକ କିମ୍ବା କୌଣସି ସମ୍ପତ୍ତି ମଧ୍ୟ ନଷ୍ଟ ହୋଇ ନାହିଁ।
ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନକୁ ବାମରୌଲି ବାୟୁ ସେନା ଷ୍ଟେସନରୁ ପରିଚାଳନା କରାଯାଉଥିଲା। ଏହାକୁ ପକ୍ଷୀମାନଙ୍କ ଚଳପ୍ରଚଳ ଉପରେ ନଜର ରଖିବାକୁ ବ୍ୟବହାର କରାଯାଏ। ଆଜି ଦିନ ପ୍ରାୟ ୧୨.୧୫ରେ ଏହା ରୁଟିନ ଉଡ଼ାଣ ଭରିଥିଲା। କିନ୍ତୁ ୧୨.୩୦ରେ ଏହା ପୋଖରୀରେ ଖସି ପଡ଼ିଛି। ଉଡ଼ାଣ ବେଳେ ଏହାର ଇଞ୍ଜିନିୟରେ ହଠାତ୍ ତ୍ରୁଟି ଦେଖାଯାଇଥିବା କୁହାଯାଉଛି।
ବିମାନକୁ ଗ୍ରୁପ କ୍ୟାପ୍ଟେନ ପ୍ରବୀଣ ଅଗ୍ରୱାଲ ଓ ଗ୍ରୁପ କ୍ୟାପ୍ଟେନ ସୁନୀଲ କୁମାର ପାଣ୍ଡେ ଚଳାଉଥିଲେ। ଗ୍ରୁପ କ୍ୟାପ୍ଟେନ ପ୍ରବୀଣ ହେଉଛନ୍ତି ବାୟୁ ସେନା ମେଡାଲ ବିଜେତା। ସେ ବାମରୌଲି ଏୟାର ଫୋର୍ସ ଷ୍ଟେସନର ମୁଖ୍ୟ ଅପରେଟିଂ ଅଫିସର। ସେହିପରି ଗ୍ରୁପ କ୍ୟାପ୍ଟେନ ସୁନୀଲ ହେଉଛନ୍ତି ବାମରୌଲି ଏୟାର ଫୋର୍ସ ଷ୍ଟେନର ମୁଖ୍ୟ ପ୍ରଶାସନିକ ଅଧିକାରୀ।
ଘଟଣା ପରେ ଦୁଇ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ପ୍ରତିରକ୍ଷା ପିଆରଓ ୱିଙ୍ଗ କମାଣ୍ଡର ଦେବ୍ରାତୋ ଧର ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଯେ ଏହା ଏକ ରୁଟିନ ଉଡ଼ାଣ ଥିଲା। ଉଭୟ ପାଇଲଟ ସଂପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି।
ତଥାପି ଘଟଣାର କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି। ଇଞ୍ଜିନରେ ବୈଷୟିକ ତ୍ରୁଟି ପାଇଁ ଏତେ ବଡ଼ ଘଟଣା ଘଟିଥିବା କୁହାଯାଉଛି। କିନ୍ତୁ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ୱିଙ୍ଗ କମାଣ୍ଡର ଧର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/21/iaf-2026-01-21-14-51-45.jpg)