/odisha-reporter/media/media_files/2026/01/04/owaisi-2026-01-04-15-48-48.jpg)
ଭେନେଜୁଏଲା ଉପରେ ଅତର୍କିତ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଆମେରିକା ଉଠାଇ ନେବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି AIMIM ମୁଖ୍ୟ ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଓୱେସୀ। ସେ କହିଛନ୍ତି ଯେ ଯଦି ଟ୍ରମ୍ପ କରିପାରିଲେ, ତା’ହେଲେ ମୋଦି କ’ଣ କିଛି କମ୍ କି? ଯଦି ଟ୍ରମ୍ପ କରିପାରିବେ, ତା’ହେଲେ ମୋଦିଙ୍କୁ ବି କରିବାକୁ ପଡ଼ିବ।
ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଓୱେସୀ କହିଥିଲେ, ଟ୍ରମ୍ପ ତାଙ୍କ ସେନାକୁ ଭେନେଜୁଏଲାକୁ ପଠାଇ ସେଠାକାର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀକୁ ଉଠାଇ ଆମେରିକା ନେଇଯାଇଛନ୍ତି। ଯଦି ଟ୍ରମ୍ପ ତାଙ୍କ ସେନାକୁ ପଠାଇ ଭେନେଜୁଏଲରାରୁ ଏହାର ରାଷ୍ଟ୍ରପତିଙ୍କୁ ଉଠାଇ ନେଇପାରୁଛନ୍ତି, ତା’ହେଲେ ମୋଦିଜୀ ଆପଣ ନିଜ ସେନାକୁ ପାକିସ୍ତାନକୁ ପଠାଇ ୨୬/୧୧ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀମାନଙ୍କୁ – ସେ ମସୁଦ ଆଝାର ହେଉ ବା ଲସ୍କର-ଇ-ତାଏବାର କୌଣସି ସଇତନା ହେଉ, ଉଠାଇ ଆଣନ୍ତୁ।
ସେ କହିଛନ୍ତି, ମୋଦିଜୀ ଆପଣଙ୍କର ଛାତି ତ ୫୬ ଇଞ୍ଚ ଚଉଡ଼ା। ଆପଣ ସେନାକୁ ପଠାଇ ସେମାନଙ୍କୁ ଉଠାଇ ଭାରତ ଆଣନ୍ତୁ। ଯଦି ଟ୍ରମ୍ପ କରିପାରିବେ, ତା’ହେଲେ ଆପଣ କ’ଣ କିଛି କମ୍। ଟ୍ରମ୍ପ କରିପାରୁଛନ୍ତି ମାନେ ଆପଣଙ୍କୁ ବି କରିବାକୁ ପଡ଼ିବ। କାରଣ ଆପଣ କହିଥିଲେ ଯେ ଅବ୍କୀ ବାର୍ ଟ୍ରମ୍ପ ସରକାର।
୨୦୦୮ ନଭେମ୍ବର ୨୬ ତାରିଖରେ ଲସ୍କର-ଇ-ତାଏବାର ୧୦ ଜଣ ଆତଙ୍କବାଦୀ ମୁମ୍ବାଇରେ ଆକ୍ରମଣ କରିଥିଲେ। ସେମାନେ ମୁମ୍ବାଇର ୧୨ଟି ସ୍ଥାନରେ ଆକ୍ରମଣ କରିଥିଲେ। ଏଥିରେ ପ୍ରାୟ ୧୭୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଅନେକ ପୁଲିସ୍ ଅଧିକାରୀ ଓ କର୍ମଚାରୀ ମଧ୍ୟ ଏଥିରେ ସହିଦ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
