ହରିରାଜ (ଫାଇଲ ଫଟୋ)
ବୟସ ମାତ୍ର ୩୭। ବ୍ୟାଡମିଣ୍ଟନ ଖେଳରେ ବେଶ ମାହିର। ସବୁବେଳେ ଯୋଗ କରିବା ସହ ଉପଯୁକ୍ତ ଖାଦ୍ୟ ଖାଆନ୍ତି। ହସଖୁସିରେ ରୁହନ୍ତି। କିନ୍ତୁ ସବୁବେଳେ ଫିଟନେସକୁ ଗୁରୁତ୍ୱ ଦେଉଥିବା ୩୭ ବର୍ଷୀୟ ଯୁବ ଇଞ୍ଜିନିୟର ହୃଦଘାତ(Heart Attack)ରେ ଆଖି ବୁଜିଛନ୍ତି।
ୟୁଏଇ(UAE)ରେ ହୃଦଘାତରେ ଆଖି ବିଜୁବାର ମାତ୍ର କିଛି ଘଣ୍ଟା ପୂର୍ବରୁ ସେ ପତ୍ନୀ ଓ ପୁଅଙ୍କୁ ଅବୁଧାବି ଏୟାରପୋର୍ଟରେ ଛାଡ଼ିଥିଲେ। ଏହାପରେ ଜଣେ ବନ୍ଧୁଙ୍କ ଘରକୁ ଯାଇ ବାର୍ଥ ଡେ’ ପାର୍ଟିରେ ସାମିଲ ହୋଇଥିଲେ। ହେଲେ ଜନ୍ମ ଦିନ ପାର୍ଟି ପରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ। କିନ୍ତୁ ୩୭ ବର୍ଷୀୟ ହରିରାଜ ସୁଦେବନ ଆଖିବୁଜି ଦେଇଛନ୍ତି। ରବିବାର ରାତି ୧୧.୪୦ରେ ୟୁଏଇରେ ଗୋଟିଏ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।
ଘଟଣା ଘଟିବା ପୂର୍ବରୁ ହରିରାଜଙ୍କ ପତ୍ନୀ ଡା. ଅନୁ ଅଶୋକ ଓ ପୁଅ ଈଶାନ ଦେବ ହରି ୧୦ ଦିନ ୟୁଏଇରେ ସମୟ କାଟିଥିଲେ। ଏହାପରେ ରବିବାର ସେମାନେ ନିଜ ଘର କେରଳ ଫେରିଥିଲେ। ଅନୁ ଓ ପୁଅ ଈଶାନ ପ୍ରାୟ ୬ ମାସରେ ଥରେ ହରିରାଜଙ୍କ ପାଖକୁ ବୁଲିବାକୁ ଯାଆନ୍ତି। ହରିରାଜ ମଧ୍ୟ ପୁଅର ଜନ୍ମ ଦିନକୁ କେରଳ ଆସନ୍ତି। ଏଥର ଈଶାନଙ୍କ ୧୦ମ ଜନ୍ମ ଦିନ ଅକ୍ଟୋବର ୨୭ରେ ପଡ଼ୁଛି। ଏଥିପାଇଁ ହରିରାଜ କେଳର ଆସିବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାଙ୍କର ଏହି ପ୍ରତିଶ୍ରୁତି ଅଧାରେ ରହି ଯାଇଛି।
ହରିରାଜ ଆଇଆଇଡି ମାଡ୍ରାସର ପୂର୍ବତନ ଛାତ୍ର। ସେ ୧୨ ବର୍ଷ ହେଲେ ସିନିୟର ନିର୍ମାଣ ଇଞ୍ଜିନିୟର ଭାବେ ୟୁଏଇରେ କାର୍ଯ୍ୟ କରୁଥିଲେ। ସିୟୁଏସଏଟିରୁ ସେ ବିଟେକ ଓ ଆଇଆଇଟି ମାଡ୍ରାସରୁ ଏମଟେକ ଡିଗ୍ରୀ ହାସଲ କରିଥିଲେ।
ପ୍ରକୃତରେ କ’ଣ ଘଟିଥିଲା ?
ରବିବାର ସନ୍ଧ୍ୟାରେ ହରିରାଜ ପତ୍ନୀ ଓ ପୁଅଙ୍କୁ ଅବୁଧାବି ଅନ୍ତର୍ଜାତୀୟ ଏୟାରପୋର୍ଟରେ ଡ୍ରପ କରିଥିଲେ। ଏହାପରେ ବନ୍ଧୁ ଡିଗିନ ଥୋମାସଙ୍କ ଝିଅର ଜନ୍ମଦିନ ପାର୍ଟିରେ ସାମିଲ ହେବାକୁ ତାଙ୍କ ଘରକୁ ଯାଇଥିଲେ। ଥୋମାସ କହିଛନ୍ତି, “ଏୟାରପୋର୍ଟରୁ ସେ ସିଧା ମୋ ଆପାର୍ଟମେଣ୍ଟକୁ ଆସିଥିଲେ। ଆମେ ଏକାଠି କିଛି ସମୟ ବିତାଇଥିଲୁ। କେକ କାଟିବା ପରେ ସେ ମୋ ଝିଅକୁ ଉପହାର ଦେଇଥିଲେ। ମୋ ପିଲାଙ୍କ ସହ କିଛି ସମୟ ଖେଳିଥିଲେ। ମୋର ସବୁ ପିଲା ତାଙ୍କ ସହ ବେଶ ପରିଚିତ।”
ରାତି ପ୍ରାୟ ୧୧.୪୦ରେ ହରିରାଜ ଅସୁସ୍ଥ ଅନୁଭବ କରିଥିଲେ। ନିଃଶ୍ୱାସ ନେବାରେ ତାଙ୍କୁ କଷ୍ଟ ହୋଇଥିଲା। ଏହା ଦେଖି ତାଙ୍କ ରୁମେଟ ସୁଜିତ ତୁରନ୍ତ ଥୋମାସ ଓ ଆଉ ଜଣେ ବନ୍ଧୁଙ୍କୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଆସିଥିଲା। ଏସବୁ ଭିତରେ ହରିରାଜ ଅଚେତ ହୋଇଯାଇଥିଲେ।
ପାରମେଡିକ ପକ୍ଷରୁ ତାଙ୍କର ସିପିଆର ହୋଇଥିଲା। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କ ଜୀବନ ରକ୍ଷା କରି ପାରି ନଥିଲେ। ଅଧା ଘଣ୍ଟା ଧରି ସବୁ ପ୍ରକାରର ଉଦ୍ୟମ ହୋଇଥିଲେ ହେଁ ହରିରାଜ ଆଉ ଆଖି ଖୋଲି ନଥିଲେ ବୋଲି ଥୋମାସ କହିଛନ୍ତି।
ହରିରାଜ ମଧୁମେହରେ ପୀଡ଼ିତ ଥିଲେ। କିନ୍ତୁ ଯୋଗ, ଉପଯୁକ୍ତ ଜୀବନ ଶୈଳୀ ଓ ଖାଦ୍ୟ ଯୋଗୁ ଏହା ନିୟନ୍ତ୍ରଣରେ ରହିଥିଲେ। ସେ ନିୟମିତ ବ୍ୟାଡମିଣ୍ଟନ ବି ଖେଳନ୍ତି। ସେ ତାଙ୍କ ଫିଟନେସକୁ ବେଶ ଗୁରୁତ୍ୱ ଦିଅନ୍ତି। କିନ୍ତୁ କିଛି ଦିନ ତଳେ ତାଙ୍କ ଇସିଜିରେ କିଛି ଚିନ୍ତାଜନକ ରେଜଲ୍ଟ ଆସିଥିଲା। ଏହାପରେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଓ କିଛି ଅତିରିକ୍ତ ଟେଷ୍ଟ ମଧ୍ୟ କରାଇଥିଲେ। ସବୁ କିଛି ଠିକଠାକ ରହିଥିଲା। ଖାଇବା ପରେ ସେ ଛାତିରେ ପୋଡ଼ାଜଳା ଭଳି ଅନୁଭବ କରୁଥିଲେ। ତେଣୁ ଏହାକୁ ସେ ଗ୍ୟାସ ସମସ୍ୟା ବୋଲି ଭାବୁଥିଲେ ବୋଲି ଥୋମାସ ସୂଚନା ଦେଇଛନ୍ତି।
ରବିବାର ୟୁଏଇରେ ହରିରାଜ ଆଖି ବୁଝିଥିଲେ। ଗୁରୁବାର କେରଳ(Kerala) ସ୍ଥିତ ଜନ୍ମ ମାଟିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/09/kerala-2025-10-09-15-28-57.jpg)