୯ ବର୍ଷରେ ୧୦ମ ଓ ୨୨ ବର୍ଷରେ ଆଇଆଇଟି ପ୍ରଫେସର ହୋଇଥିବା ଯୁବକ ଏବେ ବେକାର

ଏବେ ତୁଳସୀ ବେକାର। ତାଙ୍କ ପାଖରେ କୌଣସି ଚାକିରି ନାହିଁ। ଏକଦା ବିସ୍ମୟ ବାଳକର ପରିଚୟ ହାସଲ କରିଥିବା ତୁଳସୀ ୧୯୮୭ ମସିହା ସେପ୍ଟେମ୍ବର ୯ରେ ବିହାରର ସମିସ୍ତିପୁରରେ ଜନ୍ମ ଗ୍ରହଣ କରିଥିଲେ।

ତଥାଗତ ଅବତାର ତୁଳସୀ

  • Published: Thursday, 24 October 2024
  • , Updated: 24 October 2024, 07:54 PM IST

ନିଜର ଦକ୍ଷତା ଓ ଇଚ୍ଛାଶକ୍ତି ବଳରେ ଆମ ଦେଶରେ ଏମିତି ଅନେକ ପିଲା ରହିଛନ୍ତି, ଯେଉଁମାନେ ଖୁବ କମ ବୟସରେ ଅନେକ କୀର୍ତ୍ତିମାନ ହାସଲ କରିଛନ୍ତି। ସେମାନେ ଅଳ୍ପ ବୟସରେ ଏମିତି କିଛି ଅସାଧାରଣ ସଫଳତା ହାସଲ କରନ୍ତି, ଯାହାକୁ ଦେଖି ସମସ୍ତେ ଚକିତ ମଧ୍ୟ ହୁଅନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ତଥାଗତ ଅବତାର ତୁଳସୀ। ଏକଦା ସେ ଏଭଳି କିଛି ଅସାଧାରଣ ସଫଳତା ହାସଲ କରିଥିଲେ, ଯାହା ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏବେ ସେହି ତୁଳସୀ ବେକାର। ତାଙ୍କ ପାଖରେ କୌଣସି ଚାକିରି ନାହିଁ। ଏକଦା ବିସ୍ମୟ ବାଳକର ପରିଚୟ ହାସଲ କରିଥିବା ତୁଳସୀ ୧୯୮୭ ମସିହା ସେପ୍ଟେମ୍ବର ୯ରେ ବିହାରର ସମିସ୍ତିପୁରରେ ଜନ୍ମ ଗ୍ରହଣ କରିଥିଲେ। ସେ ଏତେ ବୁଦ୍ଧିମାନ ଓ ଜ୍ଞାନୀ ଥିଲେ ଯେ ମାତ୍ର ୯ ବର୍ଷ ବୟସରେ ସ୍କୁଲ ଶିକ୍ଷା ଅର୍ଥାତ ୧୦ମ ଶ୍ରେଣୀ ପାସ୍‌ କରିଥିଲେ।

୧୧ ବର୍ଷ ବୟସରେ ସେ ଇତିହାସ ସୃଷ୍ଟି କରି ପାଟନା ସାଇନ୍ସ କଲେଜରୁ ବିଏସ୍‌ସିରେ ଡିଗ୍ରୀ ହାସଲ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ସେ ସମାନ କଲେଜରୁ ମାତ୍ର ୧୨ ବର୍ଷ ବୟସରେ ଏମଏସ୍‌ସି ଡିଗ୍ରୀ ପାଇଥିଲେ। ବିଏସ୍‌ସି ଓ ଏମଏସ୍‌ସି ପରେ ତୁଳସୀ ବେଙ୍ଗାଲୁରୁ ସ୍ଥିତି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରେ ପିଏଚଡି କରି ସଫଳତା ହାସଲ କରିଥିଲେ।

ତାଙ୍କର ଦକ୍ଷତା ଯୋଗୁ ତାଙ୍କୁ ମାତ୍ର ୨୨ ବର୍ଷ ବୟସରେ ଆଇଆଇଟି ବମ୍ବେରେ ଆସିସଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ଏହି ନିଯୁକ୍ତି ୨୦୧୯ରେ ବାତିଲ କରି ଦିଆଯାଇଥିଲା। ସେ ଅସୁସ୍ଥ ଜନିତ ଛୁଟି ବଢ଼ାଇ ଚାଲିବାରୁ ତାଙ୍କ ବିରୋଧରେ ସଂସ୍ଥା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା।

ତୁଳସୀଙ୍କ କହିବା କଥା ୨୦୧୧ରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଆରମ୍ଭ ହୋଇଥିଲା। ପ୍ରଥମେ ସେ ସାଂଘାତିକ ଜ୍ୱରରେ ପଡ଼ିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ଆଲର୍ଜି ଭଳି ରୋଗରେ ପଡ଼ିଥିଲେ। ଆଇଆଇଟି ମୁମ୍ବାଇରୁ ସେ ୪ ବର୍ଷ ଛୁଟି ନେବା ପରେ ୨୦୧୩ରେ ପାଟନାକୁ ଚାଲି ଆସିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ଛୁଟି ବୃଦ୍ଧି କରିଥିଲେ। ହେଲେ ୨୦୧୯ରେ ଦୁର୍ଭାଗ୍ୟବଶତଃ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା।

ସେବେ ଠାରୁ ତାଙ୍କ ପାଖରେ କୌଣସି ଚାକିରି ନାହିଁ। ଏବେ ସେ ନିଜ କ୍ୟାରିୟରରୁ ଆଉ ଏକ ଦିଗ ଦେବାକୁ ଚାହୁଁଛନ୍ତି। ସେ ଆଇନ ବିଷୟରେ ପାଠ ପଢ଼ି ଓକିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।

Related story