/odisha-reporter/media/post_attachments/uploadimage/library/16_9/16_9_0/CJI_1748061129.jpg)
CJI
ଜଣେ ଆଇନଜୀବୀଙ୍କ ଉପରେ ଲାଗିଛି ୭ ହଜାର ଟଙ୍କାର ଫାଇନ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଗବାଇ ନିଜେ ଏପରି ଜୋରିମାନା ଲାଗୁ କରିଛନ୍ତି। ଆଇନଜୀବୀ ଜଣଙ୍କ ଗୋଟିଏ ପିଆଇଏଲ ଦାଖଲ କରିଥିଲେ। ଉକ୍ତ ଓକିଲ ଜଣଙ୍କ ପାଖରେ ଓକିଲାତିର ୭ ବର୍ଷର ଅଭିଜ୍ଞତା ଥିବାରୁ ସିଜେଆଇ ତାଙ୍କ ଆବେଦନକୁ ଖାରଜ କରି ୭ ହଜାର ଟଙ୍କା ଫାଇନ ଦେବାକୁ କହିଛନ୍ତି।
ମେ’ ୧୮ରେ ସିଜେଆଇ ଜଷ୍ଟିସ ଗବାଇ ନିଜ ରାଜ୍ୟ ମହାରାଷ୍ଟ୍ରକୁ ଗସ୍ତ କରିଥିଲେ। ପ୍ରଧାନ ବିଚାରପତି ହେବା ପରେ ଏହା ଜଷ୍ଟିସ ଗବାଇଙ୍କ ପ୍ରଥମ ଗସ୍ତ ଥିଲା। କିନ୍ତୁ ସେଠାରେ ସିଜେଆଇଙ୍କ ପାଇଁ ଲାଗୁ ହେଉଥିବା ପ୍ରୋଟକଲକୁ ପାଳନ କରାଯାଇଥିଲା। ତାଙ୍କୁ ସ୍ୱାଗତ କରିବାକୁ ରାଜ୍ୟର ମୁଖ୍ୟ ସଚିବ, ପୁଲିସ୍ ମୁଖିଆ କିମ୍ବା ବରିଷ୍ଠ ଅଧିକାରୀମାନେ ମୁମ୍ବାଇ ଏୟାରପୋର୍ଟକୁ ଆସି ନଥିଲେ। ଏହାକୁ ନେଇ ସିଜେଆଇ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଏହାକୁ ବଡ଼ ପ୍ରସଙ୍ଗ ନ କରିବାକୁ କହିଥିଲେ। ତଥାପି ଏହାର ତଦନ୍ତ କରିବାକୁ ଆଇନଜୀବୀ ଜଣଙ୍କ ନିଜ ଆଡ଼ୁ ଗୋଟିଏ ପିଆଇଏଲ ଦାଖଲ କରିଥିଲେ।
ଏହି ଆବେଦନକୁ ସିଜେଆଇ ଗବାଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଅଗ୍ରାହ୍ୟ କରି ଦେଇଛନ୍ତି। କେବଳ ଗଣମାଧ୍ୟମରେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଏପରି ପିଆଇଏଲ ଦାଖଲ କରାଯାଇଥିବା ଖଣ୍ଡପୀଠ କହିଛନ୍ତି। ମେ’ ୧୮ରେ ପ୍ରୋଟକଲ ଉଲ୍ଲଙ୍ଘନ ହୋଇଥିବା ବେଳେ ମେ’ ୨୦ରେ ସିଜେଆଇ ଏହି ବିବାଦକୁ ଆଗକୁ ନ ବଢ଼ାଇବାକୁ ଆହ୍ୱାନ ଦେଇଥିଲେ। ତଥାପି ଓକିଲ ଜଣଙ୍କ ଜାଣିଶୁଣି ତଦନ୍ତ ପାଇଁ ଆବେଦନ କରିଥିବାରୁ ସିଜେଆଇ ତାଙ୍କ ଉପରେ ଜୋରିମାନା ଲାଗୁ କରିଛନ୍ତି।
ଶୁଣାଣି ବେଳେ ଆବେଦନକାରୀଙ୍କୁ ସିଜେଆଇ କହିଥିଲେ ଯେ ସେ ଗୋଟିଏ ଛୋଟିଆ ମାଟି ଗଦାକୁ ପାହାଡ଼ରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଶୁଣି ଆଇନଜୀବୀ ଜଣଙ୍କ ନିଜ ଆବେଦନ ପ୍ରତ୍ୟାହାର କରି ନେବାକୁ ଅନୁମତି ମାଗିଥିଲେ। କିନ୍ତୁ ସିଜେଆଇ ତାଙ୍କ ଓକିଲାତି ଅଭିଜ୍ଞତା କେତେ ବର୍ଷ ବୋଲି ଜାଣିବାକୁ ଚାହିଁଥିଲେ।
ଏହାର ଜବାବରେ ଓକିଲ ଜଣଙ୍କ ୭ ବର୍ଷ ବୋଲି କହିବାରୁ ସିଜେଆଇ ତାଙ୍କ ଉପରେ ୭ ହଜାର ଟଙ୍କାର ଜୋରିମାନା ଲଗାଇଥିଲେ। ଏହି ଜୋରିମାନାକୁ ଗରିବ ଆବେଦନକାରୀଙ୍କ ଆଇନଗତ ସହାୟତାରେ ଖର୍ଚ୍ଚ ହେବ ବୋଲି ଜଷ୍ଟିସ ଗବାଇ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
