Advertisment

ଚଢ଼ାଉ ପାଇଁ ଯାଇଥିବା ଟିମ୍‌ ଉପରକୁ ଟେକା ମାଡ଼, ମହିଳା ଅଧିକାରୀଙ୍କୁ ଘୋଷାରି ପିଟିଲେ

ବେଆଇନ ଖଣି ଖନନ ଉପରେ ଅତର୍କିତ ଚଢ଼ାଉ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଅଧିକାରୀ।

author-image
Niharika Rout
Attack

Attack

ବେଆଇନ ଖଣି ଖନନ ଉପରେ ଅତର୍କିତ ଚଢ଼ାଉ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଅଧିକାରୀ। ଅସାମାଜିକ ଲୋକେ ଚଢ଼ାଉ କରିବାକୁ ଯାଇଥିବା ଟିମ୍‌କୁ ଚତୁଃପାର୍ଶ୍ୱରୁ ଘେରି ଟେକା ମାଡ଼ କରିଥିଲେ। ଏପରିକି ଏଥିରେ ସାମିଲ ମହିଳା ଅଧିକାରୀଙ୍କୁ ବି ସେମାନେ ଛାଡ଼ି ନ ଥିଲେ। ମହିଳା ଅଧିକାରୀଙ୍କୁ ଟେକା ମାଡ଼ କରିବା ସହ ଠେଙ୍ଗାରେ ବି ପିଟିଥିଲେ। ଏପରି ଏକ ଅମାନବୀୟ ଘଟଣା ବିହାର ରାଜଧାନୀ ପାଟନାରେ ଘଟିଥିବା ବେଳେ ପୁଲିସ୍‌ ଏହାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଗତକାଲି ଅପରାହ୍ନ ପ୍ରାୟ ସାଢେ ୩ଟା ପରେ ଏମବିଆଇ ଟିମ୍‌, ପରିବହନ ଓ ମାଇନିଂ ଟିମ୍‌ ମିଳିତ ଭାବେ ଏକ ବେଆଇନ ଖଣି ପରେ ଚଢ଼ାଉ କରିବାକୁ ଯାଇଥିଲେ। ମାତ୍ର ସେଠାରେ ଉପସ୍ଥିତି ଅସାମାଜିକ ଲୋକେ ଅଧିକାରୀମାନଙ୍କୁ ଚାରିପଟୁ ଘେରି ପଥର ମାଡ଼ କରିଥିଲେ।

ଏହି ଚଢ଼ାଉରେ ସାମିଲ ମହିଳା ଅଧିକାରୀଙ୍କୁ ଅଭିଯୁକ୍ତମାନେ ଟାଣି ନେବା ସହ ନିର୍ଦ୍ଦୟ ଭାବେ ଠେଙ୍ଗାରେ ନିର୍ଧୂମ ପିଟିଛନ୍ତି। ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ତାଙ୍କ ସହ ଉପସ୍ଥିତ ଥିବା ସହକର୍ମୀ ମହିଳା ଅଧିକାରୀଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଏପରିକି ଚଢ଼ାଉ ପାଇଁ ଯାଇଥିବା ଟିମ୍‌ ସେଠାରୁ ପ୍ରାଣ ବିକଳେ ଖସିବାକୁ ଚେଷ୍ଟା କରୁଥିବା ବେଳେ ବହୁ ଅଭିଯୁକ୍ତ ସମସ୍ତଙ୍କୁ ଘେରି ଯାଇ ଟେକା ମାଡ଼ କରିବାକୁ ପଛାଇ ନାହାନ୍ତି। ଏହି ଘଟଣାରେ ଜିଲ୍ଲା ଖଣି ଅଧିକାରୀଙ୍କ ସମେତ ୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ଖବର ପାଇ ପୁଲିସ୍‌ ଟିମ୍‌ ଫୋର୍ସ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ଏହି ଘଟଣାରେ ୪୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ୫୦ ଗାଡ଼ିକୁ ଜବତ କରାଯାଇଛି। ଜବତ ସମସ୍ତ ଗାଡ଼ି ମାଲିକ ଓ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପୁଲିସ୍‌ କହିଛନ୍ତି।

ଘଟଣାସ୍ଥଳରୁ ଏକ ବୋଲେରୋ ଜବତ ହୋଇଥିବା ବେଳେ ତା’ ଭିତରେ ଓୟାରଲେସ୍‌ ସେଟ ଥିବା ପଶ୍ଚିମ ପାଟନା ଏସ୍‌ପି ସୂଚନା ଦେଇଛନ୍ତି। ପୁଲିସ୍‌ ଖୁବ୍‌ ଶୀଘ୍ର ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କ ସମେତ ମାଷ୍ଟର ମାଇଣ୍ଡକୁ ବି ଗିରଫ କରିବ ବୋଲି ପୁଲିସ୍‌ ଅଧିକ୍ଷକ ରାଜୀବ ମିଶ୍ରା ସୂଚନା ଦେଇଛନ୍ତି।

Bihar Tension Situation