Advertisment

ଅଯୋଧ୍ୟାରେ ନୂଆ ମସଜିଦ: ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆସିବେ ମକ୍କାର ଇମାମ

ଚଳିତ ବର୍ଷ ଅକ୍ଟୋବର ମାସରେ ମୁମ୍ବାଇ ଠାରେ ଅନେକ ବରିଷ୍ଠ ମୌଲବୀ ଓ ସଂଗଠନର ଅଧ୍ୟକ୍ଷ ଜୁଫର ଅହମଦ ଫାରୁକିଙ୍କୁ ନେଇ ଗୋଟିଏ ବୈଠକ ବସିଥିଲା।

author-image
Hemant Lenka
Masjid

Masjid

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେବ ଗୋଟିଏ ନୂଆ ତଥା ବିଶାଳ ମସଜିଦ। ବାବ୍ରୀ ମସଜିଦ ଥିବା ସ୍ଥାନରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଥିବାରୁ ତା’ ଠାରୁ କିଛି ଦୂରରରେ ମସଜିଦ ନିର୍ମାଣ ହେବ।

Advertisment

ବାବ୍ରୀ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ମିଳିଥିବା ସ୍ଥାନରେ ମସଜିଦ ମହମ୍ମଦ ବିନ ଅବଦୁଲ୍ଲା ତିଆରି କରାଯିବ। ଏହାର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ମକ୍କାରୁ ଇମାମ ଆସିବେ। ପିବତ୍ର ମକ୍କାରେ ନମାଜ କରୁଥିବା ଇମାମ ଅଯୋଧ୍ୟରେ ନିର୍ମାଣ ହେବାକୁ ଥିବା ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡ଼ିଛି। 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉତ୍ତର ପ୍ରଦେଶ ସରକାର ମୁସଲିମ ପକ୍ଷକୁ ଅଯୋଧ୍ୟା ଠାରୁ ୨୫ କିମି ଦୂର ଧନ୍ନିପୁରରେ ମସଜିଦ ପାଇଁ ଜମି ଯୋଗାଇ ଦେଇଛନ୍ତି। ଏବେ ସେଠାରେ ମସଜିଦ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି।

Advertisment

ମୁମ୍ବାଇ ଭିତ୍ତିକ ବିଜେପି ନେତା ହାଜି ଅରାଫତ ଶେଖ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶେଖ ମସଜିଦ ମହମ୍ମଦ ବିନ ଅବଦୁଲ୍ଲା ବିକାଶ କମିଟିର ଅଧ୍ୟକ୍ଷ ମଧ୍ୟ। ସେ କହିଛନ୍ତି, ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦ ଭାରତର ସବୁଠାରୁ ବଡ଼ ମସଜିଦର ଆଖ୍ୟା ପାଇବ। ସେହିପରି ବିଶ୍ୱର ସବୁଠାରୁ ବଡ଼ କୁରାନ ଏଠାରେ ରହିବ। ଏହାର ଉଚ୍ଚତା ୨୧ ଫୁଟ ଓ ଚଉଡ଼ା ୩୬ ଫୁଟ ହେବ।

ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ୨୦୨୦ ଜୁଲାଇ ୨୯ରେ ଗୋଟିଏ କମିଟି ଗଠନ କରାଯାଇଥିଲା। ମସଜିଦ ସହ ଏହାର ଆଖପାଖ ଅଞ୍ଚଳରେ କ’ଣ ସବୁ ତିଆରି କରାଯିବ, ସେବିଷୟରେ ଏହି କମିଟି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଦାୟିତ୍ୱ ପାଇଥିଲା।

ଚଳିତ ବର୍ଷ ଅକ୍ଟୋବର ମାସରେ ମୁମ୍ବାଇ ଠାରେ ଅନେକ ବରିଷ୍ଠ ମୌଲବୀ ଓ ସଂଗଠନର ଅଧ୍ୟକ୍ଷ ଜୁଫର ଅହମଦ ଫାରୁକିଙ୍କୁ ନେଇ ଗୋଟିଏ ବୈଠକ ବସିଥିଲା। ଏହି ବୈଠକରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦର ନାଁ ମହମ୍ମଦ ବିନ ଅବଦୁଲ୍ଲା ରହିବ ବୋଲି ନିଷ୍ପତ୍ତି ହୋଇଛି।

ମସଜିଦ ପାଇଁ ବ୍ୟବହାର ହେବାକୁ ଥିବା ପ୍ରଥମ ଇଟାକୁ ସାର୍ବଜନୀନ କରାଯିବା ସହ ଉକ୍ତ ବୈଠକରେ ଡିଜାଇନକୁ ମଧ୍ୟ ପ୍ରଦର୍ଶନ କରାଯାଇଥିଲା।

ଶେଖ କହିଛନ୍ତି, “ମସଜିଦରେ ୫ଟି ମିନାରରେ ଇସଲାମର ୫ ସ୍ତମ୍ଭର ସଙ୍କେତ ରହିବ। କଲିମା, ନମାଜ, ରୋଜା, ହଜ ଓ ଜାକାତ ମିନାରରେ ରହିବ। ପ୍ରଥମେ ମୁଁ ସଂଗଠନର ଟ୍ରଷ୍ଟୀ ଥିଲି। କିନ୍ତୁ ଏବେ ମୋତେ ମସଜିଦ କମିଟିର ମୁଖ୍ୟ କରାଯାଇଛି।”

ମସଜିଦ ବ୍ୟତୀତ କମ୍ପ୍ଲେକ୍ସ ଭିତରେ ଗୋଟିଏ କ୍ୟାନସର ହସ୍ପିଟାଲ, ସ୍କୁଲ, କଲେଜ, ମ୍ୟୁଜିୟମ ଓ ଲାଇବ୍ରେରୀ ରହିବ। ସେହିପରି ସଂପୂର୍ଣ୍ଣ ନିରାମିଷ ରୋଷେଇ ଘର ନିର୍ମାଣ କରାଯିବ। ଏଠାରେ ଲୋକଙ୍କୁ ମାଗଣାରେ ଖାଇବ ଯୋଗାଇ ଦିଆଯିବ।

ମସଜିଦର ୱଜୁ ଖାନା ନିକଟରେ ବିଶାଳ ଆକ୍ୟୁରମ ରହିବ। ଏହାକୁ ଦେଖିବା ପାଇଁ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ତାଜ ମହଲର ଚମକ ଭଳି ସୁନ୍ଦରତା ହାସଲ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ହେବ। ସବୁ ଧର୍ମର ଲୋକ ଏହାକୁ ଦେଖିବାକୁ ଆସିପାରିବେ ବୋଲି ଶେଖ କହିଛନ୍ତି।

Uttar Pradesh Ayodhya Ram Mandir Masjid