/odisha-reporter/media/media_files/2026/01/10/bihar-2026-01-10-16-20-17.jpg)
representational image
ଜଣେ ମହିଳାଙ୍କୁ ଗର୍ଭବତୀ(Pregnancy) କର ଓ ପୁରସ୍କାର ଆକାରରେ ୧୦ ଲକ୍ଷ ଟଙ୍କା ଯାଏ ନିଅ। ଏପରି ନାରାରେ ସବୁ କିଛି ଆରମ୍ଭ ହୋଇଥିଲା। ଅନଲାଇନରେ ତଥାକଥିତ ସର୍ବଭାରତୀୟ ଗର୍ଭବତୀ ନିଯୁକ୍ତି ନାଁରେ ଏପରି ବିଜ୍ଞାପନ ଦେଖି ସମସ୍ତେ ଚକିତ ହୋଇଥିଲେ।
ମାଗଣା ସେକ୍ସ ଓ ଆର୍ଥିକ ପୁରସ୍କାର ପାଇଁ ଅନେକ ପୁରୁଷ ବେଶ ଉତ୍ସାହିତ ହୋଇ ଉଠିଥିଲେ। ସେକ୍ସ ଓ ଅଧିକ ଟଙ୍କା ଆଶାରେ ଅନେକ ବ୍ୟକ୍ତି ପ୍ରାରମ୍ଭିକ ଫି’ ମଧ୍ୟ ଦାଖଲ କରିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେମାନେ ଠକାମୀର ଶିକାର ହୋଇଥିବା ଜାଣି ମୁଣ୍ଡରେ ହାତ ଦେଇଛନ୍ତି।
ବିହାର(Bihar)ର ନବାଦା ସାଇବର ପୁଲିସ୍ ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରିବା ପାଇଁ ପୁରସ୍କାର, ଶସ୍ତା ଋଣ ଓ ଚାକିରିର ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ଗୋଟିଏ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଏହି ଗ୍ୟାଙ୍ଗର ସଦସ୍ୟମାନେ ନିରୀହ ଲୋକମାନଙ୍କୁ ଠକୁ ଥିବା ବେଳେ ସେମାନଙ୍କ ଖେଳ ଖତମ କରିଛି ବିହାରର ସାଇବର ପୁଲିସ୍।
ଏହି ଘଟଣାରେ ପୁଲିସ୍ ନବାଦର ରଞ୍ଜନ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେହିପରି ଜଣେ ନାବାଳକଙ୍କୁ ନିଜ ହେପାଜତକୁ ନେଇଛି।
ସର୍ବ ଭାରତୀୟ ଗର୍ଭବତୀ ସେବା
ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ସର୍ବ ଭାରତୀୟ ଗର୍ଭବତୀ ଚାକିରି ବାସ୍ତବରେ ଗୋଟିଏ ସ୍କାମ। ଚାକିରି ଓ ଋଣ ନାଁରେ ଏହି ଠକେଇ ଚାଲିଥିଲା। ସେମାନେ ବିଭିନ୍ନ ବିଭ୍ରାନ୍ତ କରିବା ଭଳି ଶବ୍ଦ ଯଥା ପ୍ଲେବୟ ସର୍ଭିସର ବ୍ୟବହାର କରୁଥିଲେ। ଧନୀ ଫାଇନାନ୍ସ ଓ ଏସ୍ବିଆଇ ଶସ୍ତା ଋଣ ନାଁରେ ଅଳ୍ପ ସୁଧରେ ଋଣର ପ୍ରସ୍ତାବ ଦେଉଥିଲେ। ନିରୀହ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଫେସବୁକ ଓ ହ୍ୱାଟସଆପରେ ନକଲି ବିଜ୍ଞାପନର ମଧ୍ୟ ପ୍ରଚାର ପ୍ରସାର କରାଯାଉଥିଲା।
କେମିତି ଫସିଥିଲେ ଲୋକେ
ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରିପାରିଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଅଭିଯୁକ୍ତ ଗ୍ୟାଙ୍ଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଉଥିଲେ। ଯଦି ବି ସେମାନେ ମହିଳାଙ୍କୁ ଗର୍ଭବତୀ କରାଇବାରେ ବିଫଳ ହେଲା, ତା’ହେଲେ ବି ସେମାନଙ୍କୁ ଅଧା ଟଙ୍କା ମିଳିବ। ସମ୍ଭାବ୍ୟ ପୀଡ଼ିତଙ୍କୁ ମହିଳା ମଡେଲଙ୍କ ଫଟୋ ପଠା ଯାଉଥିଲା ଓ ସେମାନଙ୍କୁ ମାଗଣା ସେକ୍ସ ପାଇଁ ପ୍ରଲୋଭିତ କରାଯାଉଥିଲା।
ମାଗଣା ସେକ୍ସ ପାଇଁ ଗ୍ୟାଙ୍ଗ ପକ୍ଷରୁ ସର୍ତ୍ତ ମଧ୍ୟ ରହିଥିଲା। ପଞ୍ଜିକରଣ ନାଁରେ ପୀଡ଼ିତମାନଙ୍କୁ ପ୍ରାରମ୍ଭିକ ଫି’ ଦେବାକୁ କୁହାଯାଉଥିଲା। ହୋଟେଲ ଟାରିଫ ଓ ଅନ୍ୟାନ୍ୟ ଫି’ ନାଁରେ ଠକମାନେ ସେମାନଙ୍କୁ ଟଙ୍କା ମାଗୁଥିଲେ। ଯେଉଁ ପର୍ଯ୍ୟନ୍ତ ଜଣେ ଠକାମୀର ଶିକାର ହେଉଥିବା ନ ଜାଣିଛି, ସେମାନେ ସେଯାଏ ଟଙ୍କା ଆଦାୟ କରୁଥିଲେ।
ଲକ୍ଷପତି ହେବାର ଏପରି ଏକ ସହଜ ଉପାୟ ଲୋଭରେ ପଡ଼ି ଅନେକ ସେମାନଙ୍କ ସର୍ବସ୍ୱ ହରାଇଛନ୍ତି। ସେହିପରି ସାମାଜିକ ନିନ୍ଦା ଓ ଅପବାଦ କାରଣରୁ ଠକାମୀର ଶିକାର ହୋଇଥିବା ଲୋକମାନେ ପୁଲିସ୍ କିମ୍ବା ଅନ୍ୟ କାହାକୁ କିଛି ବି କହି ପାରି ନଥିଲେ।
ଗିରଫ ଓ ପୁଲିସର ଆହ୍ୱାନ
ସ୍ପେଶାଲ ଇନଭେଷ୍ଟିଗେସନ ଟିମ (ଏସଆଇଟି) ନବାଦାରେ ରହୁଥିବା ରଞ୍ଜନ କୁମାରଙ୍କୁ ଗିରଫ କରିଛି। ଏହି ମାମଲାରେ ଜଣେ ନାବାଳକଙ୍କୁ ମଧ୍ୟ ଅଟକ ରଖାଯାଇଛି। ଠକେଇରେ ବ୍ୟବହୃତ ହେଉଥିବା ୪ଟି ମୋବାଇଲକୁ ମଧ୍ୟ ଜବତ କରାଯାଇଥିବା ଏସ୍ପି ଅଭିନବ ଧିମାନ କହିଛନ୍ତି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସେ ସୂଚନା ଦେଇଛନ୍ତି।
ପୂର୍ବରୁ ମଧ୍ୟ ନବାଦାରୁ ଅନେକ ପ୍ରକାରର ସାଇବର ଠକେଇ ମାମଲା ସାମ୍ନାକୁ ଆସିଥିଲା। ପୂର୍ବରୁ ନିରୀହ ଲୋକଙ୍କୁ ବ୍ଲାକମେଲ କରି ସାଇବର ଠକମାନେ ଟଙ୍କା ଲୁଟ କରୁଥିଲେ। ଏହି ଘଟଣାରେ ଅନେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କିନ୍ତୁ ସାଇବର ଠକେଇ ବନ୍ଦ ହୋଇନାହିଁ।
ଏବେ ଗର୍ଭବତୀ ଚାକିରି ନାଁରେ ବିଭିନ୍ନ ବୟସର ପୁରୁଷମାନଙ୍କୁ ଠକା ଯାଇଛି। ତେଣୁ ଲୋକମାନେ ଏପରି ଘଟଣାରେ କୌଣସି ପଦକ୍ଷେପ ନେବା ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ ବୋଲି ପୁଲିସ୍ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
