Advertisment

ସେନା ଇତିହାସରେ ପ୍ରଥମ, ଦୁଇ କ୍ଲାସ୍‌ମେଟ୍‌ ସ୍ଥଳ ସେନା ଓ ନୌସେନା ମୁଖ୍ୟ

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସ୍ଥଳ ସେନା ସେନା ମୁଖ୍ୟ ହୋଇଥିବା ବେଳେ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ନୌସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି।

author-image
Madhupriya Mistry
Chiefs of Navy and Army

Chiefs of Navy and Army

ଭାରତୀୟ ସୈନ୍ୟ ଇତିହାସରେ ପ୍ରଥମ। ସ୍ଥଳସେନା ଓ ନୌସେନା ମୁଖ୍ୟ ହେଲେ ଦୁଇ କ୍ଲାସ୍‌ମେଟ୍‌। ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତୀୟ ସେନାର ନୂତନ ମୁଖ୍ୟ ହୋଇଛନ୍ତି। ତାଙ୍କୁ ଜୁନ୍‌ ୩୦ ତଥା ଆଜି ଏହି ଦାୟିତ୍ୱ ଦିଆଯାଇଛି। ଏହାପୂର୍ବରୁ ଏହି ଦାୟିତ୍ୱ ମନୋଜ ପାଣ୍ଡେଙ୍କ ପାଖରେ ଥିଲା।

Advertisment

ଉପେନ୍ଦ୍ର ଦ୍ୱିବେଦୀ ସେନା ମୁଖ୍ୟ ହେବା ସହିତ ଭାରତୀୟ ସେନା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ସହପାଠୀ ମିଳିତ ଭାବେ ଭାରତୀୟ ସେନା ମୁଖ୍ୟ ପଦରେ ପହଞ୍ଚିଛନ୍ତି। ଉପେନ୍ଦ୍ର ଦ୍ୱିବେଦୀଙ୍କ ସାଙ୍ଗ ତଥା ସହପାଠୀ ଦୀନେଶ କୁମାର ତ୍ରିପାଠୀ ନୌସେନା ମୁଖ୍ୟଙ୍କ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି। ଦୀନେଶ କୁମାର ତ୍ରିପାଠୀ ଦୁଇ ମାସ ପୂର୍ବରୁ ନୌସେନାର କମାଣ୍ଡ ନିଜ ହାତକୁ ନେଇଥିଲେ।

ଏକାଠି ମିଶି ପଢ଼ୁଥିଲେ, ଏବେ ଏହି ଦୁଇ ଜଣ ସ୍ଥଳ ସେନା ଓ ନୌସେନାର କମାନ ସମ୍ଭାଳିବେ। ମଧ୍ୟପ୍ରଦେଶର ରିଓ୍ୱାର ସୈନିକ ସ୍କୁଲରୁ ଆସିଥିବା ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ଏବଂ ନୂଆ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୧୯୭୦ ଦଶକରେ ଏକାଠି ମିଶି ପଞ୍ଚମ ଶ୍ରେଣୀରେ ପଢ଼ିଥିଲେ। ଦୁଇ ଅଧିକାରୀଙ୍କ ରୋଲ୍‌ ନମ୍ବର ମଧ୍ୟ ପାଖାପଖି ଥିଲା। ଲେଫ୍ଟନାଣ୍ଟ ଦ୍ୱିବେଦୀଙ୍କ ରୋଲ ନମ୍ବର ୯୩୧ ଥିବା ବେଳେ ଆଡମିରାଲ ତ୍ରିପାଠୀଙ୍କ ରୋଲ ନମ୍ବର ୯୩୮ ଥିଲା।

Advertisment

ସ୍କୁଲ ବେଳରୁ ଏହି ଦୁଇ ଜଣ ଅଧିକାରୀ ଭଲ ସାଙ୍ଗ ଥିଲେ। ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲେ ମଧ୍ୟ ସର୍ବଦା ଯୋଗାଯୋଗରେ ରହୁଥିଲେ ଉଭୟ। ଦୁହେଁ ଏକାଠି ପାଠ ପଢ଼ାରେ ସଫଳତା ହାସଲ କରିଥିଲେ ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେଶ ସେବା କରିବା ପରେ ସେମାନେ ବର୍ତ୍ତମାନ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଏ.ଭାରତ ଭୂଷଣ ବାବୁ ଟ୍ୱିଟ୍‌ କରି କହିଛନ୍ତି, ଦୁଇ ପ୍ରତିଭାଶାଳୀ ଛାତ୍ରଙ୍କୁ ପ୍ରଶିକ୍ଷିତ କରିବାର ଏହା ଦୁର୍ଲଭ ସମ୍ମାନ। ଯାହା ୫୦ ବର୍ଷ ପରେ ନିଜ ନିଜ ସେନାର ନେତୃତ୍ୱ ନେବେ।

ଦୁଇ ସହପାଠୀଙ୍କ ନିଯୁକ୍ତି ମଧ୍ୟ ସମାନ ସମୟରେ ହୋଇଥିଲା। ଅର୍ଥତ୍‌ ଦୁଇ ମାସ ବ୍ୟବଧାନରେ ଭଭୟଙ୍କ ନିଯୁକ୍ତି ହୋଇଛି। ଆଡମିରାଲ ତ୍ରିପାଠୀ ମେ' ୧ରେ ନୌସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ। ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ଜୁନ୍‌ ୩୦ ତଥା ଆଜି ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି।

Indian Army Indian Navy Army Chief Dinesh Tripathi Upendra Dwivedi