Advertisment

ଦିଅର ପ୍ରେମରେ ପଡ଼ି ସ୍ୱାମୀଙ୍କୁ ହତ୍ୟା, ପାଇଖାନା ଗାତରେ ପୋତିଲେ ମୃତଦେହ

ଜୁନ ୬ରୁ ସାଗରଙ୍କ କୌଣସି ପତ୍ତା ମିଳୁ ନଥିବାରୁ ତାଙ୍କ ପରିବାର ଲୋକ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ତଦନ୍ତ କରିବା ବେଳେ ଆଶିୟା ଓ ସୁହେଲଙ୍କ ଉପରେ ସନ୍ଦେହ କରିଥିଲା। ଉଭୟଙ୍କୁ ହେପାଜତକୁ ନେଇ ପୁଲିସ୍‌ ଜେରା କରିବାରୁ ସେମାନେ ନିଜର ଅପରାଧକୁ ସ୍ୱୀକାର କରି ନେଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
husband

husband

ସାମ୍ନାକୁ ଆସିଛି ପରକୀୟାପ୍ରୀତିର ଭୟଙ୍କର ଚିତ୍ର। ଦିଅର ପ୍ରେମରେ ପଡ଼ି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ଜଣେ ମହିଳା। ଏଥିସହ ମୃତଦେହକୁ ନୂଆ କରି ନିର୍ମାଣ ହୋଇଥିବା ଗୋଟିଏ ଘରର ପାଇଖାନା ଗାତରେ ପୋତି ଦେଇଛନ୍ତି। ପୂରା ଘଟଣାରେ ମହିଳାଙ୍କୁ ତାଙ୍କ ପ୍ରେମିକ ସହଯୋଗ କରିଛନ୍ତି।

Advertisment

ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଏହି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍‌ ଆଶିୟା ଓ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ସାନ ଭାଇ ସୁହେଲଙ୍କୁ ଗିରଫ କରିଛି। ଆଶିୟା ଓ ସୁହେଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଏଥିପାଇଁ ସେମାନେ ସାଗରଙ୍କୁ ନିଜ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେଇଛନ୍ତି। ଜୁନ ୬ରୁ ସାଗର ନିଖୋଜ ଥିଲେ। ପୁଲିସ୍‌ ତଦନ୍ତ କରି ତାଙ୍କ ମୃତଦେହକୁ ସେପଟିକ ଟ୍ୟାଙ୍କ ମଧ୍ୟରୁ ଜବତ କରିଛି।

ପୁଲିସ୍‌ କହିଛି ଯେ ଆଶିୟା ଓ ସୁହେଲ ଦୀର୍ଘ ଦିନ ହେଲା ପରସ୍ପରକୁ ପ୍ରେମ କରୁଥିଲେ। ତେବେ ଏହି ‌ଅବୈଧ ପ୍ରେମ ସମ୍ପର୍କ ବିଷୟରେ ସାଗର ଜାଣି ଦେଇଥିଲେ। ଏହାକୁ ନେଇ ବେଶ ତମ୍ବିତୋଫାନ ମଧ୍ୟ ହୋଇଥିଲା। ଏଥିରେ ରାଗି ଯାଇ ଆଶିୟା ସବୁଦିନ ପାଇଁ ସାଗରଙ୍କୁ ନିଜ ପ୍ରେମ ରାସ୍ତାରୁ ହଟାଇବା ଯୋଜନା କରିଥିଲେ। ଏଥିରେ ସାଗରଙ୍କ ସାନ ଭାଇ ସୁହେଲ ମଧ୍ୟ ସାଥ ଦେଇଥିଲେ।

Advertisment

ଜୁନ ୬ରେ ସେମାନେ ସାଗରଙ୍କୁ ଘର ଭିତରେ ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା କରିବାର ପରେ ମଧ୍ୟ ମୃତଦେହକୁ ତୁରନ୍ତ ଫିଙ୍ଗି ନଥିଲେ। ଉକ୍ତ ମୃତଦେହ ସହ ଆଶିୟା ବେଶ କିଛି ଦିନ ରୁମ ଭିତରେ ରହିଥିଲେ। ଏହାପରେ ଜୁନ ୯ରେ ମୃତଦେହକୁ ନୂଆ କରି ତିଆରି ହୋଇଥିବା ଗୋଟିଏ ଘରର ପାଇଖାନା ଗାତରେ ପୋତି ଦେଇଥିଲେ।

ଜୁନ ୬ରୁ ସାଗରଙ୍କ କୌଣସି ପତ୍ତା ମିଳୁ ନଥିବାରୁ ତାଙ୍କ ପରିବାର ଲୋକ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ତଦନ୍ତ କରିବା ବେଳେ ଆଶିୟା ଓ ସୁହେଲଙ୍କ ଉପରେ ସନ୍ଦେହ କରିଥିଲା। ଉଭୟଙ୍କୁ ହେପାଜତକୁ ନେଇ ପୁଲିସ୍‌ ଜେରା କରିବାରୁ ସେମାନେ ନିଜର ଅପରାଧକୁ ସ୍ୱୀକାର କରି ନେଇଥିଲେ।

ଜ୍ଞାନଶେଭର ବୌଦ୍ଧ ନାମକ ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ପ୍ରେମିକ ସୁହେଲଙ୍କ ସହ ମିଶି ସ୍ୱାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା କଥା ଆଶିୟା ସ୍ୱୀକାର କରିଛନ୍ତି। ହତ୍ୟା ପରେ ଉଭୟ ମୃତଦେହକୁ ଗୋଟିଏ ସେପଟିକ ଟ୍ୟାଙ୍କରେ ଫିଙ୍ଗି ଦେଇଥିଲେ।

ଆମେ ସାଗର ନାମ ଜଣେ ବ୍ୟକ୍ତିଙ୍କ ନିଖୋଜ ସମ୍ପର୍କରେ ସୂଚନା ଜୁନ ୬ରେ ପାଇଥିଲୁ। ଏହାପରେ ତଦନ୍ତ ହୋଇଥିଲା। ତଦନ୍ତ ବେଳେ ଆଶିୟା ଓ ସୁହେଲଙ୍କୁ ଜେରା କରାଯାଇଥିଲା। ସେମାନେ ଅପରାଧକୁ ସ୍ୱୀକାର କରିବା ପରେ ମାଜିଷ୍ଟ୍ରେଟଙ୍କୁ ଡକା ଯାଇଥିଲା।

ଏହାପରେ ମୃତଦେହକୁ ପୋତା ଯାଇଥିବା ସ୍ଥାନକୁ ସମସ୍ତେ ଯାଇଥିଲେ। ଉକ୍ତ ସ୍ଥାନକୁ ଖୋଳି ମୃତଦେହକୁ ବାହାର କରାଯାଇଥିଲା। ଏବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।”

Murder Uttar Pradesh