/odisha-reporter/media/media_files/2026/01/07/bjp-2026-01-07-17-23-21.jpg)
କଂଗ୍ରେସ ଓ ବିଜେପି
ମହାରାଷ୍ଟ୍ର(Maharashtra)ର ଥାଣେ ଜିଲ୍ଲାରେ ଥିବା ଅମ୍ବରନାଥ ପୌର ପରିଷଦରେ ଦେଖାଯାଇଥିବା ରାଜନୀତିକ ସମୀକରଣ ସମସ୍ତଙ୍କୁ ଚକିତ କରିଛି। ଏଠାକାର ରାଜନୀତିକ ସମୀକରଣ କେବଳ ମହାରାଷ୍ଟ୍ର ନୁହେଁ, ବରଂ ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। କଂଗ୍ରେସ(Congress) ମୁକ୍ତ ଭାରତ ନାରା ଦେଉଥିବା ବିଜେପି(Bjp) କ୍ଷମତା ପାଇଁ ହାତ ଦଳ ସହ କରିଛି ମେଣ୍ଟ।
ଜାତୀୟ ସ୍ତରରେ ବିଜେପି-କଂଗ୍ରେସ ମଧ୍ୟରେ ଥିବା ପାର୍ଥକ୍ୟ କଥା ସମସ୍ତଙ୍କୁ ଜଣା। ହେଲେ ଅମ୍ବରନାଥରେ ଦୁଇ ଦଳ ମଧ୍ୟରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। କ୍ଷମତା ପାଇଁ ଦୁଇ ଦଳ ପରସ୍ପର ସହ କରିଛନ୍ତି ମେଣ୍ଟ। ବିଜେପି ଯେଉଁ ଶିବସେନା ସହ ମିଶି ମହାରାଷ୍ଟ୍ରକୁ ଶାସନ କରୁଛି, ତା’କୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ସହ ମିଳାଇଛି ହାତ।
ସ୍ଥାନୀୟ ସ୍ତରରେ ଏପରି ମେଣ୍ଟ ହେବା ପରେ ଏହାର ପ୍ରଭାବ ଜାତୀୟ ସ୍ତରରେ ଦେଖିବାକୁ ମିଳିଛି। ବିଜେପିର ଏପରି ପଦକ୍ଷେପକୁ ଏକନାଥ ସିନ୍ଦେଙ୍କ ଶିବସେନା ବିଶ୍ୱାସ ଘାତକତା ବୋଲି କହିଛି। ସେହିପରି କଂଗ୍ରେସ ନେତୃବୃନ୍ଦ ମଧ୍ୟ ମେଣ୍ଟକୁ ସ୍ୱୀକୃତି ଦେଇ ନାହାନ୍ତି।
ଖାସ ଏଥିପାଇଁ କଂଗ୍ରେସ ଅମ୍ବରନାଥ ବ୍ଲକ ସଭାପତି ପ୍ରଦୀପ ପାଟିଲଙ୍କୁ ନିଲମ୍ବିତ କରିଛି। ସେହିପରି ନୂଆ କରି ନିର୍ବାଚିତ ହୋଇଥିବା ସମସ୍ତ ୧୨ କାଉନସିଲର ବା କର୍ପୋରେଟରଙ୍କୁ ମଧ୍ୟ ଦଳ ସସପେଣ୍ଡ କରିଛି। ଦଳୀୟ ଶୃଙ୍ଖଳାକୁ ଏମାନେ ଉଲ୍ଲଙ୍ଘନ କରିଥିବେ କଂଗ୍ରେସ କହିଛି।
ବିରଳ ବିଜେପି-କଂଗ୍ରେସ ମେଣ୍ଟ
ସମସ୍ତଙ୍କୁ ଚକିତ କରି ବିଜେପି, କଂଗ୍ରେସ ଓ ଅଜିତ ପାୱାରଙ୍କ ଏନସିପି ମେଣ୍ଟ କରିଛନ୍ତି। ଏହାର ନାଁ ଅମ୍ବରନାଥ ବିକାଶ ଅଘାଡ଼ି ରଖାଯାଇଛି। ମେଣ୍ଟରେ ବିଜେପିର ୧୪, କଂଗ୍ରେସର ୧୨, ଏନସିପର ୪ ଓ ଜଣେ ସ୍ୱାଧୀନ କାଉନସିଲର ରହିଛନ୍ତି। ମେଣ୍ଟ ପାଖରେ ୩୨ ଜଣ କାଉନସିଲର ଥିବାରୁ ବିଜେପି ବେଶ ସହଜରେ ପୌର ପରିଷଧର ଅଧ୍ୟକ୍ଷ ବା ମେୟର ପଦ ହାତେଇ ଥିଲା।
ବିଜେପିର ତେଜଶ୍ରୀ କାରାନଜୁଲେ ଅମ୍ବରନାଥ ପୌର ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ପରେ ଶିବସେନା(ଏକନାଇ ସିନ୍ଦେ) ଏକକ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିଲା। ଦଳ ଏକାକୀ ୨୭ଟି ଆସନ ଜିତିଥିଲା। କିନ୍ତୁ ଶିବସେନାକୁ ଅଧ୍ୟକ୍ଷ ପଦରୁ ଦୂରେଇ ରଖିବା ପାଇଁ ବିଜେପି-କଂଗ୍ରେସ ଓ ଏନସିପି ହାତ ମିଳାଇଥିଲେ। ଏପରି ମେଣ୍ଟକୁ ବିଜେପିର ରାଜ୍ୟସ୍ତରୀୟ ସହଯୋଗୀ ଶିବସେନା ତୀବ୍ର ସମାଲୋଚନା କରିଛି।
ମହାରାଷ୍ଟ୍ର କଂଗ୍ରେସର କାର୍ଯ୍ୟାନୁଷ୍ଠାନ
ମହାରାଷ୍ଟ୍ର କଂଗ୍ରେସ ସଭାପତି ଏପରି ମେଣ୍ଟକୁ ନାପସନ୍ଦ କରିଛନ୍ତି। ସେ ଅମ୍ବରନାଥ ବ୍ଲକ କଂଗ୍ରେସ କମିଟିକୁ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ନେତୃତ୍ୱବୃନ୍ଦ ଏପରି ମେଣ୍ଟ କରି ସଂପୂର୍ଣ୍ଣ ଭୁଲ ପଦକ୍ଷେପ ନେଇଥିବା ସେ କହିଛନ୍ତି। ପ୍ରଦୀପ ପାଟିଲଙ୍କୁ ଚିଠି କରି କଂଗ୍ରେସର ବରିଷ୍ଠ ଉପସଭାପତି ଗଣେଶ ପାଟିଲ କହିଛନ୍ତି, “ଏହା ଗୋଟିଏ ସଂପୂର୍ଣ୍ଣ ଭୁଲ ପଦକ୍ଷେପ ଓ ଦଳୀୟ ଶୃଙ୍ଖଳାର ଉଲ୍ଲଙ୍ଘନ।
ଏହି ପ୍ରସଙ୍ଗକୁ ବିଚାରକୁ ନେଇ ରାଜ୍ୟସଭାପତି ହର୍ଷବର୍ଦ୍ଧନ ସପକଲଙ୍କ ନିର୍ଦ୍ଦେଶରେ ଆପଣଙ୍କୁ(ପ୍ରଦୀପ ପାଟିଲ)ଙ୍କୁ କଂଗ୍ରେସ ଦଳରୁ ନିଲମ୍ବିତ କରାଯାଉଛି। ଏଥିସହ ଆପଣଙ୍କ ବ୍ଲକ କଂଗ୍ରେସ କାର୍ଯ୍ୟନିର୍ବାହୀ କମିଟିକୁ ମଧ୍ୟ ବିଭାଜିତ କରାଯାଉଛି। ସମାନ ସମୟରେ ସମସ୍ତ ନିର୍ବାଚିତ କର୍ପୋରେଟର ମଧ୍ୟ ଦଳୀୟ ବିଶୃଙ୍ଖଳା ପାଇଁ ନିଲମ୍ବିତ ହୋଇଛନ୍ତି।”
ଫଡନାଭିସ କହିଲେ ଅଗ୍ରହଣୀୟ ନୁହେଁ
ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ଏପରି ମେଣ୍ଟ ଆଦୌ ଗ୍ରହଣୀୟ ନୁହେଁ ଓ ଏହା ରଦ୍ଦ ହେବ। ଯଦି କୌଣସି ସ୍ଥାନୀୟ ନେତା ଏପରି ନିଷ୍ପତ୍ତି ନେଇଛନ୍ତି, ତା’ହେଲେ ଏହା ତାଙ୍କର ନିଜସ୍ୱ ପଦକ୍ଷେପ। ଶୃଙ୍ଖଳା ଦୃଷ୍ଟିରୁ ଏହା ଭୁଲ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମେଣ୍ଟକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ ଦେଇଥିଲେ କଂଗ୍ରେସ ନେତା
ଏହି ବିରଳ ମେଣ୍ଟ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ନେତା ସଚିନ ସାୱନ୍ତ ଏହାପରେ ସ୍ପଷ୍ଟୀକରଣ ଦେଇଥିଲେ। ସେ ବିଜେପି-କଂଗ୍ରେସ ମେଣ୍ଟ ରିପୋର୍ଟକୁ ଖଣ୍ଡନ କରିଥିଲେ। ସାୱନ୍ତ ସ୍ପଷ୍ଟ କରିଥିଲେ ଯେ ଏହା କେବଳ ବିଜେପି ଓ କଂଗ୍ରେସର ମେଣ୍ଟ ନୁହେଁ, ବରଂ ବିଭିନ୍ନ ରାଜନୀତିକ ଦଳର ନେତାମାନେ ଶିବସେନାର ଦୁର୍ନୀତି ବିରୋଧରେ ଲଢ଼ିବାକୁ ଏକାଠି ହୋଇଛନ୍ତି।
ସେ କହିଥିଲେ, “ଅମ୍ବରନାଥରେ ଦଳ ଓ ଚିହ୍ନକୁ ସାଇଡରେ ରଖି ବିଭିନ୍ନ ଦଳର କର୍ମୀମାନେ ମିଳିତ ଭାବେ ଅମ୍ବେରନାଥ ବିକାଶ ଫ୍ରଣ୍ଟ ଗଠନ କରିଛନ୍ତି। ସ୍ଥାନୀୟ ସିନ୍ଦେ ସେନାର ଦୁର୍ନୀତି ବିରୋଧରେ ଲଢ଼େଇ କରିବାକୁ ସମସ୍ତେ ଏକାଠି ହୋଇଛନ୍ତି। ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ଏଥିରେ ରହିଛନ୍ତି। ତେଣୁ କଂଗ୍ରେସ-ବିଜେପି ଏକାଠି ହୋଇଥିବା ରିପୋର୍ଟ ଭୁଲ। ଏହାକୁ ସମସ୍ତେ ଧ୍ୟାନ ଦିଅନ୍ତୁ।”
ଶିବସେନାର ସମାଲୋଚନା
ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଏକାଠି ସରକାରରେ ଥିବା ବେଳେ ଅମ୍ବରନାଥ ପୌର ପରିଷଦ ନିର୍ବାଚନରେ ଏପରି ମେଣ୍ଟ ଖବର ସମସ୍ତଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସିନ୍ଦେ ସେନାର ବିଧାୟକ ବାଲାଜୀ କିନିକାର ଏହାକୁ ଅପବିତ୍ର ମେଣ୍ଟ କହିବା ସହ ବିଜେପି ଧୋକା ଦେଇଥିବା ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ଦଳ(ବିଜେପି) ସବୁବେଳେ କଂଗ୍ରେସ ମୁକ୍ତ ଭାରତ କଥା କହୁଛି। କିନ୍ତୁ ଏବେ କଂଗ୍ରେସ ସହ ମିଶି ଶାସନ କରିବାକୁ ଆଗେଇ ଆସିଛି। ଏହା ଶିବସେନାକୁ ପଛରୁ ଛୁରୀ ମାଡ଼ କରିବା ଛଡ଼ା ଆଉ କିଛି ନୁହେଁ।”
ଏଆଇଏମଆଇଏମ ସହ ବିଜେପିର ମେଣ୍ଟ
କେବଳ ଅମ୍ବରନାଥ ନୁହେଁ, କ୍ଷମତା ପାଇଁ ବିଜେପି ଅକୋଟ ପୌର ପରିଷଦରେ ମଧ୍ୟ ଗୋଟିଏ ବିଚିତ୍ର ମେଣ୍ଟ କରିଛି। ବିଚାରଧାରାରେ ପାର୍ଥକ୍ୟ ରହିଥିଲେ ହେଁ କ୍ଷମତା ହାସଲ ପାଇଁ ବିଜେପି ଏଠାରେ ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ ସହ ମେଣ୍ଟ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
