Advertisment

ବୁଲା କୁକୁର ପ୍ରସଙ୍ଗରେ ବଡ଼ କଥା କହିଲେ ସୁପ୍ରିମକୋର୍ଟ

ଅଗଷ୍ଟ ୧୧ରେ ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆର କର୍ତ୍ତୃପକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଧରି ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ ତଥାକଥିତ ପଶୁପ୍ରେମୀମାନେ ଆଗେଇ ଆସି ରାୟକୁ ବିରୋଧ କରିଥିଲେ।

author-image
Hemant Lenka
Dogs

Dogs

ବୁଲା କୁକୁରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତିକୁ ନେଇ ସ୍ଥାନୀୟ ପୌର ଅଧିକାରୀମାନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ-ଏନସିଆରେ ବୁଲୁ ଥିବା କୁକୁରମାନଙ୍କୁ ତୁରନ୍ତ ଧରି ଆଶ୍ରୟସ୍ଥଳକୁ ନେବା ପାଇଁ ଅଗଷ୍ଟ ୧୧ରେ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରାଯାଇଥିଲେ ହେଁ ଏହାକୁ ଆଜି ସର୍ବୋଚ୍ଚ ଅଦାଲତ ସଂରକ୍ଷିତ ରଖିଛି।

Advertisment

କିନ୍ତୁ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ବେଳେ ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହତା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ପୌର ସଂସ୍ଥାର କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି।

ଖଣ୍ଡପୀଠ କହିଛନ୍ତି, “ସଂସଦ ନିୟମ ଓ ଆଇନ ତିଆରି କରୁଛି। କିନ୍ତୁ ସେଗୁଡ଼ିକୁ ଲାଗୁ କରାଯାଉ ନାହିଁ। ସ୍ଥାନୀୟ ଅଧିକାରୀମାନଙ୍କୁ ଯାହା କରିବା ଦରକାର ସେମାନେ ସେସବୁ କରୁ ନାହାନ୍ତି। ସେମାନେ ଏଠାରେ ଉତ୍ତରଦାୟିତ୍ୱ ନେବା ଦରକାର।” ତେବେ ଖଣ୍ଡପୀଠ ଅଗଷ୍ଟ ୧୧ରେ ଜଷ୍ଟିସ ଜେବି ପାର୍ଡିୱାଲା ଓ ଜଷ୍ଟିସ ଆର ମହାଦେବନ ବୁଲା କୁକୁରଙ୍କ ଉପରେ ଦେଇଥିବା ରାୟ ଉପରେ କୌଣସି ପ୍ରକାରର ରୋକ ଲଗାଇ ନାହାନ୍ତି।

Advertisment

ଅଗଷ୍ଟ ୧୧ରେ ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆର କର୍ତ୍ତୃପକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଧରି ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ ତଥାକଥିତ ପଶୁପ୍ରେମୀମାନେ ଆଗେଇ ଆସି ରାୟକୁ ବିରୋଧ କରିଥିଲେ। ବିବାଦ ବଢ଼ୁଥିବାରୁ ପ୍ରଧାନ ବିଚାରପତି ନିଜେ ଏହି ପ୍ରସଙ୍ଗକୁ ୨ ଜଣିଆ ଖଣ୍ଡପୀଠଙ୍କ ନିକଟରୁ ପ୍ରତ୍ୟାହାର କରିଥିଲେ।

ଗୁରୁବାର ୩ ଜଣିଆ ଖଣ୍ଡପୀଠ ଅଗଷ୍ଟ ୧୧ ରାୟକୁ ହୋଇଥିବା ଚ୍ୟାଲେଞ୍ଜର ଶୁଣାଣି ବେଳେ କହିଛନ୍ତି ଯେ ପୂର୍ବ ରାୟ ଉପରେ ତୁରନ୍ତ ନିର୍ଦ୍ଦେଶ କିମ୍ବା ରୋକର ଆବଶ୍ୟକତା ରହିଛି କି ନାହିଁ, ତା’ର ବିଚାର କରିବେ। ଖଣ୍ଡପୀଠ କହିଛନ୍ତି, “ଗୋଟିଏ ପଟେ ଲୋକମାନେ ହଇରାଣ ହେଉଛନ୍ତି ଓ ଅନ୍ୟପଟେ ପଶୁ ପ୍ରେମୀମାନେ ରହିଛନ୍ତି।”

ଶୁଣାଣି ବେଳେ ଖଣ୍ଡପୀଠ ଆହୁରି କହିଛନ୍ତି ଯେ ପୂର୍ବ ରାୟ ସାର୍ବଜନୀନ ହେବା ପୂର୍ବରୁ କାହିଁକି ବିଭିନ୍ନ ଅଞ୍ଚଳର ଅଧିକାରୀମାନେ ବୁଲା ପଶୁମାନଙ୍କୁ ଉଠାଇବା ଆରମ୍ଭ କରିଥିଲେ? ବୁଲା ପଶୁମାନଙ୍କୁ ନିୟନ୍ତ୍ରଣ ପାଇଁ ପ୍ରଚଳିତ ଆଇନକୁ ଠିକ ଭାବେ ପାଳନ କରାଯାଉ ନଥିବାରୁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆମେ ଆତଙ୍କ ସୃଷ୍ଟି କରିବାକୁ ଦେବୁ ନାହିଁ।”

ପକ୍ଷ ରଖିଲେ ସଲିସିଟର ଜେନେରାଲ

ଛୋଟ ପିଲାଙ୍କୁ ବୁଲା କୁକୁରମାନଙ୍କୁ କାମୁଡ଼ିଥିବାରୁ ଆହତ ଓ ଜଳାନ୍ତକ ଜନିତ ମୃତ୍ୟୁ ହେଉଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ। ସେ କହିଛନ୍ତି, “ଛୋଟ ପିଲା ପ୍ରାଣ ହରାଉଛନ୍ତି। ବନ୍ଧ୍ୟାକରଣ ଆଦୌ ଜଳାନ୍ତକକୁ ରୋକି ପାରୁନି। ବନ୍ଧ୍ୟାକରଣ ହେଲେ ମଧ୍ୟ ବୁଲା କୁକୁରମାନେ ଛୋଟ ପିଲାମାନଙ୍କୁ ଝୁଣି ମାରି ଦେଉଛନ୍ତି। 

କେହି ପଶୁମାନଙ୍କୁ ଘୃଣା କରୁ ନାହାନ୍ତି। ୧୦୦ଟି ପ୍ରଜାତି ମଧ୍ୟରରୁ ୪ଟି ବିଷାକ୍ତ ପ୍ରଜାତି। ଆମେ ସେମାନଙ୍କୁ ଘର ଭିତରେ ରଖି ପାରିବା ନାହିଁ। କୁକୁରମାନଙ୍କୁ ହତ୍ୟା କରାଯିବ ନାହିଁ। ସେମାନଙ୍କୁ କେବଳ ଅଲଗା କରାଯିବ। ଗତବର୍ଷ ୩୭ ଲକ୍ଷ କୁକୁର କାମୁଡ଼ା ମାମଲା ଆସିଥିଲା। ଭୟରେ ବାପା ମା’ ନିଜର ପିଲାମାନଙ୍କୁ ଖେଳିବାକୁ ଛାଡ଼ୁ ନାହାନ୍ତି। ଛୋଟ ଶିଶୁ କନ୍ୟା କୁକୁର ଝୁଣିବାର ଶିକାର ହେଉଛନ୍ତି। ଏହାର ସମାଧାନ ନିୟମ ନୁହେଁ। କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଦରକାର।

ମୁଁ ଦେଖିବାକୁ ପାଇଛି ଯେ ଲୋକମାନେ ମାଂସ ଖାଇ ଭିଡିଓ ପୋଷ୍ଟ କରୁଛନ୍ତି ଓ ନିଜକୁ ପଶୁ ପ୍ରେମୀ କହୁଛନ୍ତି। କେହି ବି ଏଠି ପଶୁ ବିରୋଧୀ ନୁହନ୍ତି। WHOର ତଥ୍ୟ କହୁଛି ଯେ ବର୍ଷକୁ ୩୦୫ ଜଣଙ୍କ ମୃତ୍ୟୁ ହେଉଛି। ମୃତକଙ୍କ ମଧ୍ୟରେ ୧୫ ବର୍ଷରୁ କମ ବୟସ୍କଙ୍କ ସଂଖ୍ୟା ଅଧିକ। ଦିନକୁ ୧୦ ହଜାର କୁକୁର କାମୁଡ଼ା ଘଟଣା ଘଟୁଛି।”

କ’ଣ କହିଲେ ଆବେଦନକାରୀ ଓକିଲ?

ଆନିମଲ ୱେଲଫେୟାର ବଡି ପ୍ରୋଜେକ୍ଟ କାଇଣ୍ଡନେସ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଛନ୍ତି, “ପ୍ରଥମଥର ପାଇଁ ମୁଁ ଶୁଣିବାକୁ ପାଇଲି ଯେ ନିୟମ ରହିଛି କିନ୍ତୁ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି ବୋଲି ସଲିସିଟର ଜେନେରାଲ କହୁଛନ୍ତି। ଏଠାରେ କୌଣସି ଆଶ୍ରୟ ସ୍ଥଳ ନାହିଁ। କ’ଣ ପୌର ପାଳିକା ଆଶ୍ରୟସ୍ଥଳ ନିର୍ମାଣ କରିଛି? ଏବେ କୁକୁରମାନଙ୍କୁ ଧରା ଯାଉଛି। ଏହାକୁ ଗଭୀର ଭାବେ ବିଚାର କରିବାର ଅଛି।

ଏବେ ନିଜ ଆଡ଼ୁ ଆସିଥିବା ରାୟ ଉପରେ ରୋକ ଲଗାଯାଉ। ଅଗଷ୍ଟ ୧୧ ରାୟ କାର୍ଯ୍ୟକାରୀ ହୋଇପାରିବ ନାହିଁ। କାରଣ ଏଠାରେ କୌଣସି ଆଶ୍ରୟସ୍ଥଳ ନାହିଁ। ନିର୍ଦ୍ଦେଶରେ କୁହାଯାଇଛି ଯେ ବୁଲା କୁକୁରଙ୍କୁ କେହି ଛାଡ଼ି ପାରିବେ ନାହିଁ। ଆଶ୍ରୟ ସ୍ଥଳ ନଥିବାରୁ ବୁଲା କୁକୁରମାନେ କେଉଁଠି ରହିବେ? ସେମାନଙ୍କୁ କୁଆଡ଼େ ନିଆଯିବ?”

ବୁଲା କୁକୁରମାନଙ୍କୁ ଧରା ଯିବା ଦ୍ୱାରା ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା କରି ଶିବଲ କହିଛନ୍ତି, “ସେମାନଙ୍କୁ ଏକାଠି ରଖାଯିବ। ସେମାନଙ୍କ ନିକଟରେ ଖାଦ୍ୟକୁ ଫିଙ୍ଗା ଯିବ। ଏହାକୁ ଖାଇବା ପାଇଁ ସେମାନେ ପରସ୍ପରକୁ ଆକ୍ରମଣ କରିବେ। ଏହା ମହାମାରୀ। ଏଥିପ୍ରତି ଅନୁମତି ଦିଆଯାଇ ପାରିବ ନାହିଁ।”

Supreme Court Stray Dogs